ଗିରଫ ହେଲେ ନକଲି ଡାକ୍ତର । ସାଢେ ୩ ବର୍ଷ ହେବ ଲୋକଙ୍କ ଆଖିରେ ଧୂଳି ଦେଇ ଆସୁଥିଲେ, ଲାଗିଲା ସାଂଘାତିକ ଦଫା ।  

487

କନକ ବ୍ୟୁରୋ : ଗିରଫ ହେଲେ ନକଲି ଡାକ୍ତର । ସୁନ୍ଦରଗଡ ନୂଆ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଢେ ୩ ବର୍ଷ ଧରି ଡାକ୍ତରୀ ଚିକିତ୍ସା ଯୋଗାଉଥିବା ପଦ୍ମନାଭ ମୁଖୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଡାକ୍ତର ନହେଲେ ବି ନକଲି ସାର୍ଟିଫିକେଟ ପାଖରେ ରଖି ଏହି ଡାକ୍ତର ଜଣଙ୍କ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା । ସେପଟେ ମାଲକାନଗିରି କାଲିମେଳାରୁ ମଧ୍ୟ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି କାଲିମେଳା ପୋଲିସ ।

ପୋଲିସ କବଜାରେ ଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହି ନକଲି ଡାକ୍ତର ଯିଏ, ସୁନ୍ଦରଗଡର ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିଲେ । ନକଲି ଡାକ୍ତର ପଦ୍ମନାଭ ମୁଖୀଙ୍କ ନାଁରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ୩ଦିନ ଧରି କୁଆଡେ ଫେରାର ହୋଇଯାଇଥିଲେ ଡାକ୍ତର । ଆଜି ସୁନ୍ଦରଗଡ ରାଣୀବଗିଚା ବାଇପାସ୍ ନିକଟରୁ ତାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।  ଏହି ନକଲି ଡାକ୍ତରଙ୍କ ବିରୋଧରେ ଲାଗିଛି ସାଂଘାତିକ ଦଫା । ଆଇପିସିର ଧାରା ୪୨୦-ଠକେଇ, ୪୬୫-ଷଡଯନ୍ତ୍ର, ୪୬୮-ଛଳନା କରି ଷଡଯନ୍ତ୍ର କରିବା , ୪୭୧- ଷଡଯନ୍ତ୍ର କରି ଦସ୍ତାବିଜ ତିଆରି କରିବା ଭଳି ଦଫା ଲାଗିଛି ।

ସେପଟେ ମାଲକାନଗିରି କାଲିମେଳାରୁ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି । କାଲିମେଳା ବ୍ଲକ ଏମଭି-୪୧ ଗାଁରୁ ନକଲି ଡ଼ାକ୍ତର ସମର ମୈତ୍ରକୁ ଗିରଫ କରିଛି କାଲିମେଳା ପୁଲିସ । ପାରାଦୀପ ଅଂଚଳର ସମର ଦୀର୍ଘ ୮ବର୍ଷ ହେଲା ଏମଭି-୪୧ ଗାଁରେ ରହି ଡାକ୍ତର ସାଜି ଚିକିତ୍ସା କରୁଥିଲେ । ଗତ ୮ ତାରିଖରେ ଏମପିଭି-୬ ଗାଁର ଜଣେ ଯୁବକଙ୍କୁ ଭୁଲ ଇଂଜେକସନ୍ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ କାଲିମେଳା ଥାନାରେ ଅଭିଯୋଗ ପରେ ଏହି ନକଲି ଡାକ୍ତର ସମର ମୈତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଜଣେ ୩ବର୍ଷ ଏବଂ ଆଉ ଜଣେ ୮ ବର୍ଷ ଧରି ଡାକ୍ତର ଭାବେ ସେବା ଯୋଗାଉଛନ୍ତି । ପ୍ରଶ୍ନ ଉଠୁଛି ସରକାରୀ କଳର ଜାଣତରେ ଏସବୁ ଘଟୁଛି କିପରି । ସାର୍ଟିଫିକେଟ ଯାଞ୍ଚ ସମୟରେ ଏହି ନକଲି ଡାକ୍ତରମାନେ ଧରାପଡୁନାହାନ୍ତି କେମିତି ।