ପାନ୍‌, ଅଡିଟ୍‌ ରିପୋର୍ଟ ଯାଞ୍ଚ କରି ଜାଲ୍‌ କଂପାନି ଖୋଜାଯିବ !

23

pan-card-big-size-300x190କନକ ବ୍ୟୁରୋ : ଜାଲ୍‌ କମ୍ପାନିଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ସରକାର ଏହି କମ୍ପାନିଗୁଡ଼ିକୁ ଧରିବା ଲାଗି ଜାଲ ବିଛାଇବାରେ ଲାଗିଛନ୍ତି। କମ୍ପାନିଗୁଡ଼ିକ ସମ୍ପର୍କରେ ନିୟମିତ ତଥ୍ୟ ବିନିମୟ ଲାଗି କମ୍ପାନି ବ୍ୟାପାର ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ମଧ୍ୟରେ ଏକ ରାଜିନାମା ଗତ ୬ ତାରିଖରେ ସ୍ୱାକ୍ଷର ହୋଇ ସେହିଦିନଠାରୁ କାର୍ଯ୍ୟକାରୀ ହୋଇଛି ।

ରାଜିନାମା ଅନୁଯାୟୀ, କମ୍ପାନି ଗୁଡ଼ିକର ଅଡିଟ ରିପୋର୍ଟ, ପାନ୍‌କାର୍ଡ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆୟକର ବିଭାଗ କମ୍ପାନି ବ୍ୟାପାର ମନ୍ତ୍ରାଳୟକୁ ପ୍ରଦାନ କରିବ। ଏଥିପାଇଁ ଏକ ତଥ୍ୟ ବିନିମୟ ଷ୍ଟିଅରିଂ ଗ୍ରୁପ୍‌ ଗଠନ ହୋଇଛି। ତଥ୍ୟ ବିନିମୟ କିପରି ଚାଲିଛି ତାହାର ଅନୁଧ୍ୟାନ କରିବା ଏବଂ ଏଥିପାଇଁ ଅଧିକ କ’ଣ ପଦକ୍ଷେପ ଆବଶ୍ୟକ ସେଥିଲାଗି ଏହି ଷ୍ଟିଅରିଂ ଗ୍ରୁପ୍‌ର ବୈଠକ ନିୟମିତ ଭାବେ ହେବେ। ପ୍ୟାନ୍‌-ସିଆଇଏନ୍‌ (କର୍ପୋରେଟ୍‌ ପରିଚୟ ନମ୍ବର) ଏବଂ ପାନ୍‌-ଡିଆଇଏନ୍‌ ( ଡାଇରେକ୍ଟର ପରିଚୟ ନମ୍ବର) ଆଦାନପ୍ରଦାନ ଯେଭଳି ସୁରୁଖୁରୁରେ ହେବ ସେ ନେଇ ବୁଝାମଣାପତ୍ରରେ ବ୍ୟବସ୍ଥା ରହିଛି ।

ଉଭୟ ଦେଶୀ ଏବଂ ବିଦେଶୀ କମ୍ପାନିଙ୍କ ମଧ୍ୟରେ ଦୁଇ ବିଭାଗ ତଥ୍ୟ ଆଦାନପ୍ରଦାନ କରିବେ । ଯାଞ୍ଚ ଏବଂ ତଦନ୍ତ ଆଦି ଉଦ୍ଦେଶ୍ୟରେ ଏହି ତଥ୍ୟ ଆଦାନପ୍ରଦାନ ହେବ। ଉଲ୍ଲେଖଯୋଗ୍ୟ ଯେ, ଜାଲ କମ୍ପାନିଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ସରକାର ୧.୦୬ ଲକ୍ଷ ନିର୍ଦ୍ଦେଶକଙ୍କୁ ଅଯୋଗ୍ୟ ଘୋଷଣା କରି ସାରିଥିବା ସୂଚନା ଦେଇସାରିଛନ୍ତି। ଦୀର୍ଘଦିନ ହେଲା କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟ କରୁ ନଥିବା ୨ ଲକ୍ଷ ୯ ହଜାର କମ୍ପାନିଙ୍କ ପଞ୍ଜୀକରଣ କମ୍ପାନି ବ୍ୟାପାର ମନ୍ତ୍ରାଳୟ ବାତିଲ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏତଦ୍‌ବ୍ୟତୀତ ଏହି କମ୍ପାନି ଏବଂ ସେମାନଙ୍କ ନିର୍ଦେଶକଙ୍କ ବ୍ୟାଙ୍କ ଆକାଉଣ୍ଟ କାରବାର ଉପରେ ରୋକ ଲଗାଇବାକୁ ମଧ୍ୟ ସରକାର ପଦକ୍ଷେପ ନେଇ ସାରିଛନ୍ତି। ୨ ଲକ୍ଷରୁ ଅଧିକ କମ୍ପାନିର ପଞ୍ଜୀକରଣ ବାତିଲ ହେବା ପରେ ଏବେ ପ୍ରାୟ ୧୧ ଲକ୍ଷ କମ୍ପାନି ଦେଶରେ ସକ୍ରିୟ ଅଛନ୍ତି ।