କରୋନା ହେଲ୍ପ ଲାଇନ ନମ୍ବର ୧୦୪କୁ ଆସୁଛି ଫେକ୍ ଫୋନ କଲ: ସଂକଟ ସମୟରେ ଫୋନ କରି ହଇରାଣ କରୁଛନ୍ତି କିଛି ଲୋକ; କରୋନା ନମ୍ବରରେ ପ୍ରେମ ନିବେଦନ

1,162

କନକ ବ୍ୟୁରୋ: ସଂକଟ ସମୟରେ ସେବା ଯୋଗାଉଥିବା ଲୋକଙ୍କ ହଇରାଣ ହରକତ କରିବା ହୁଏତ ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ । କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି । କରୋନା ସଂପର୍କରେ ସହାୟତା କରିବା ପାଇଁ ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ପାଇଁ ସରକାର ଖୋଲିଥିବା ହେଲ୍ପ ଲାଇନ୍ ନମ୍ବରକୁ ଆସୁଛି ପ୍ରେମ ନିବେଦନ କଲ । କରୋନା ଭୂତାଣୁକୁ ନେଇ ରାଜ୍ୟବାସୀ ଆତଙ୍କିତ ଥିବା ବେଳେ ଲୋକଙ୍କ ହିତ ପାଇଁ ଜାରି ହୋଇଥିବା ୧୦୪ ନମ୍ବରରେ ଏଭଳି ଫୋନ କଲ ଆସୁଛି ।

ତେବେ ବଡ କଥା ହେଉଛି ୧୦୪କୁ ଆସୁଥିବା ଏଭଳି ନକଲି ଫୋନ କଲ୍ କେଉଁମାନେ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ନିହାତି ଦରକାର । ନଚେତ୍ ହେଲ୍ପ ଲାଇନ୍ ନମ୍ବରରେ ଯେଉଁମାନେ କାମ କରୁଛନ୍ତି, ସେମାନେ ହତାସ ହେବାର ସମ୍ଭାବନା ରହିଛି । ଏବଂ ପ୍ରକୃତରେ ଯିଏ ସହାୟତା ପାଇଁ ଏହି ନମ୍ବରକୁ କଲ୍ କରିଥିବ ହୁଏତ ସେ ସେବା ନପାଇ ପାରନ୍ତି ।

ଅନ୍ୟପଟେ, ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି । ଏବେ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କ ଠାରେ କରୋନା ଚିହ୍ନଟ ହେଉଛି । ସେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ ଠାରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ହେଲପ୍ ଲାଇନ୍ ନମ୍ବରରେ କାମ କରୁଥିବା କର୍ମଚାରୀଙ୍କୁ ଅଯଥା ଫୋନ କଲ କରି ଅସୁବିଧାରେ ପକାଉଥିବା ଦୁର୍ବୃତଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ତେବେ ମହାମାରୀ ଆଇନରେ ଥିବା ଦଣ୍ଡ ବିଧାନ ବ୍ୟବସ୍ଥା ଅନୁସାରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏମାନଙ୍କୁ କେମିତି ଚିହ୍ନଟ କରାଯିବ ଏବଂ ତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ।