୧୦୮ ଆମ୍ବୁଲାନ୍ସ କଲସେଣ୍ଟରକୁ ଆସୁଛି ଫେକ୍ କଲ । କିଏ ପ୍ରେମ ନିବେଦନ କରୁଛି ତ ପୁଣି କିଏ ପ୍ରେମ କାହାଣୀ ଶୁଣାଉଛି । 

139

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍ କଲ । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଫେକ୍ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କର୍ମଚାରୀଙ୍କୁ ହଇରାଣ କରିବା ସହ କରୁଛନ୍ତି ପ୍ରେମ ନିବେଦନ । ପ୍ରାୟତଃ ସବୁଦିନ ଏଭଳି କିଛି ବ୍ୟକ୍ତିଙ୍କର କଲ ଆସୁଥିବା ନେଇ ଅଭିଯୋଗ ହୋଇଛି ।

ଜରୁରୀକାଳୀନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଅମାନିଆ ଯୁବକଙ୍କ ପାଲଟିଛି ମନୋରଞ୍ଜନର ମାଧ୍ୟମ । କିଏ ଫୋନ କରି ପ୍ରେମ ନିବେଦନ କରୁଛି ତ ପୁଣି କିଏ ନିଜର ପ୍ରେମ କାହାଣୀ କର୍ମଚାରୀଙ୍କୁ କହୁଛି । ଏପରିକି କିଛି ବ୍ୟକ୍ତି ଫୋନ ଉଠାଉଥିବା ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷା କହିବାକୁ ମଧ୍ୟ ପଛାଉ ନାହାନ୍ତି । ଜରୁରୀକାଳୀନ ସେବା ପାଇଁ ନମ୍ବର ଉଦ୍ଦିଷ୍ଟ ଥିବା ଜାଣି ମଧ୍ୟ ଏଭଳି ମଜାମସ୍ତି କରୁଛନ୍ତି କିଛି ବ୍ୟକ୍ତି । ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏଭଳି କଲ ବଢିଚାଲିଥିବା ବେଳେ ମହିଳା କର୍ମଚାରୀଙ୍କୁ କଲ ଲଗାଇ ହଇରାଣ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଅନାବଶ୍ୟକ କଲ ଆସିବା ଦ୍ୱାରା ଜରୁରୀକାଳୀନ ସେବା ପାଇଁ ଫୋନ୍ କରିଥିବା ବ୍ୟକ୍ତିଙ୍କ ଫୋନ୍ ଉଠାଇ ହେଉନଥିବା ବେଳେ ୧୦୮ ସେବାକୁ ଦୋଷ ଦେଉଛନ୍ତି ଲୋକେ ।

ଜରୁରୀକାଳୀନ ସମୟରେ ସେବା ଯୋଗାଇଦେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ରାଜ୍ୟର ଯେକୌଣସି ଅଞ୍ଚଳରେ ମାଗଣାରେ ଆମ୍ବୁଲାନ୍ସ ସେବା ପହଞ୍ଚାଇବା ପାଇଁ ଏହି ସେବା ଆରମ୍ଭ କରାଯାଇଥିଲା । ଆଉ ଏଥିପାଇଁ ୧୦୮ ନମ୍ବର ଜାରି କରାଯାଇଥିଲା । ଯେକୌଣସି ବ୍ୟକ୍ତି ଏହି ନମ୍ବରରେ କଲ କଲେ ତାହା ପ୍ରଥମେ ଭୁବନେଶ୍ୱରରେ ଥିବା କଲସେଣ୍ଟରକୁ ଆସିଥାଏ । ସେଠାରୁ ରୋଗୀଙ୍କର ବାବଦରେ ତଥ୍ୟ ହାସଲ କରିବା ପରେ ସେହି ସ୍ଥାନକୁ ଆମ୍ବୁଲାନ୍ସ ପଠାଯାଇଥାଏ । କିନ୍ତୁ ଏବେ ଫେକ୍ କଲ କରି କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଧରି ହଇରାଣ କରିବା ଦ୍ୱାରା ପ୍ରକୃତ ରୋଗୀ ଏହି ସେବା ପାଇବାରୁ ବଞ୍ଚିତ ହେଉଛି ।

ଏହାପୂର୍ବରୁ କରୋନା କାଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥଲା । କରୋନାକୁ ଯେତେବେଳେ ସାରା ଓଡ଼ିଶା ସଂଘର୍ଷ କରୁଥିଲା,  ଠିକ୍ ସେତେବେଳେ କିଛି ଅସାମାଜିକ ବ୍ୟକ୍ତି କିଭଳି ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦେଉଥିଲେ, ତାର କିଛି ଉଦାହରଣ ସାମ୍ନାକୁ ଆସିଥିଲା । କରୋନା ସହାୟତା ପାଇଁ ରାଜ୍ୟ ସରକାର ଜାରି କରିଥିବା ୧୦୪ ହେଲ୍ପ ଲାଇନ୍ ନମ୍ବରକୁ ମିଛ ମିଛିକା କଲ୍ କରି, କର୍ମଚାରୀଙ୍କୁ ହଇରାଣ କରୁଥିଲେ କିଛି ଅସାମାଜିକ ବ୍ୟକ୍ତି । ତେଣୁ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଫେକ୍ କଲ କମିବା ସହ ରୋଗୀଙ୍କୁ ମଧ୍ୟ ୧୦୮ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଫୋନରେ ଅପେକ୍ଷା କରିବାକୁ ପଡିବନି ।