ଜ୍ୟୋତିଷଙ୍କ କଳା କାରନାମା: ଦୁଷ୍କର୍ମ ଉଦ୍ୟମ କଲେ, ଭିଡିଓ ବନାଇଲେ । ଟଙ୍କା ପାଇଁ ମହିଳାଙ୍କୁ ବ୍ଲାକମେଲ୍ କଲେ

2,116

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ କଳା କାରନାମା । ସୋସିଆଲ ମିଡିଆରେ ନିଜର ପ୍ରଚାର କରି ଲୋକଙ୍କୁ ଫସାଉଥିଲେ ଏବଂ ଯିଏ ତାଙ୍କ ଫାନ୍ଦରେ ପଡ଼ିଲା, ଟଙ୍କା ଲୁଟ୍ ଠାରୁ ଆରମ୍ଭ କରି ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉନଥିଲେ । ଭୁବନେଶ୍ୱରର ଜଣେ ମହିଳା ଥାନାରେ ଅଭିଯୋଗ କରିବା ପରେ ଏହି ଠକୁ କାନ୍ଧିଛି କମିଶନରେଟ ପୁଲିସ ।
ଭଣ୍ଡ ଜ୍ୟୋତିଷ ନୀଳାମ୍ବର ପାଣି । ଘର, ଭଦ୍ରକ ଜିଲ୍ଲା ପିରହାଟ ଥାନା ଅଧୀନ ସିନ୍ଦୋଳ ଗ୍ରାମରେ । ଘରର ବାସ୍ତୁଦୋଷ ଠାରୁ ଆରମ୍ଭ କରି ପାରିବାରିକ କଳହ, ଆର୍ôଥକ, ମାନସିକ ସମସ୍ୟାକୁ ଚୁଟକିରେ ସମାଧାନ କରିପାରନ୍ତି ବୋଲି ଦାବି କରିଥାନ୍ତି । ତାଙ୍କ ଫାନ୍ଦରେ ଥରେ ପଡ଼ିଗଲେ କଥା ସରିଲା ।

ସୋସିଆଲ ମିଡିଆରେ ପ୍ରଭାବିତ ହୋଇ ଭୁବନେଶ୍ୱରର ଜଣେ ଶିକ୍ଷିତ ମହିଳା ବି ଏହି ଠକର ମାୟାଜାଲରେ ପଡି ଯାଇଥିଲେ । ଏହା ପରେ ଯାହା ଘଟିଲା, ଜ୍ୟୋତିଷ ବୋଲାଉଥିବା ଏହି ଲମ୍ପଟର କଳା ଚେହେରା ସାମ୍ନାକୁ ଆଣିଛି । ବାସ୍ତୁଦୋଷ ଦୂର କରିବା ପାଇଁ ଉକ୍ତ ମହିଳାଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନକୁ ଆସିଥିବା ସମୟରେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଛି ଅଭିଯୁକ୍ତ ନୀଳାମ୍ବର ପାଣି ।

ରାତି ବିତାଇଲେ କଟିଯିବ ବାସ୍ତୁଦୋଷ..
ସଂପର୍କ ରଖିଲେ ହୋଇଯିବ ଗ୍ରହଶାନ୍ତି..
ମହିଳାଙ୍କ ସ୍ୱାମୀ ନଥିବା ବେଳେ ଗ୍ରହଶାନ୍ତି ପୁଜା ବାହାନାରେ ବାରମ୍ବାର ଘରକୁ ଆସୁଥିଲା ନୀଳାମ୍ବର । ବାସ୍ତୁଦୋଷ ଦୂର କରିବା ଲୋଭ ଦେଖାଇ ପାଖାପାଖି ୮୫ ହଜାର ଟଙ୍କା ମଧ୍ୟ ଉକ୍ତ ମହିଳାଙ୍କ ଠାରୁ ଠକି ନେଇଥିଲା ।

ଡିସେମ୍ବର ୧୨ ତାରିଖ
ଗ୍ରହଶାନ୍ତି ଆଳରେ ମହିଳାଙ୍କ ଘରକୁ ଆସିଥିଲା ଠକ ଜ୍ୟୋତିଷ
ଘରେ ମହିଳାଙ୍କ ସ୍ୱାମୀ ନଥିଲେ । ଏହାର ସୁଯୋଗ ନେଇ ଗୋଟିଏ ଦିନ ଉଭୟ ସ୍ୱାମୀ ସ୍ତ୍ରୀ ଭଳି ଚଳିଲେ ଗ୍ରହରିଷ୍ଟ ଖଣ୍ଡନ ହେବ ବୋଲି କହିଥିଲା ନୀଳାମ୍ବର । ତା’ର କୌଣସି କଥା ମହିଳାଜଣକ ନରଖିବାରୁ ଅଶ୍ଳୀଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା । ତାହା ବିଫଳ ହେବା ପରେ ନିଜ ବାସନାକୁ ପୂରଣ କରିବାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ସେହି ସମୟର ଭିଡିଓକୁ ମୋବାଇଲରେ ରେକର୍ଡ କରି ପରବର୍ତୀ ସମୟରେ ଭାଇରାଲ କରିବାର ଧମକ ଦେଇ ଦୁଇଲକ୍ଷ ଟଙ୍କା ମଧ୍ୟ ମାଗିଥିଲା ନୀଳାମ୍ବର ।

ଏ ଘଟଣା ନେଇ ସଂପୃକ୍ତ ମହିଳା ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ଭଣ୍ଡ ଜ୍ୟୋତିଷକୁ ଗିରଫ କରିଛି ପୋଲିସ । ଏଭଳି ଢଙ୍ଗରେ ଆଉ କେତେଜଣ ମହିଳାଙ୍କୁ ବ୍ଲାକମେଲ କରିଛି ସେନେଇ ଖୋଲତାଡ ଆରମ୍ଭ ହୋଇଛି । ଯଦି ଆଉକେହି ଏହି ଠକର ଠକାମୀର ଶିକାର ହୋଇଛନ୍ତି ତେବେ ତୁରନ୍ତ ଥାନାରେ ଯୋଗାଯୋଗ କରିବାକୁ ଅପିଲ କରିଛି କମିସନରେଟ୍ ପୋଲିସ ।