କନକ ବ୍ୟୁରୋ : ମୃତ ବ୍ୟକ୍ତି ଦେଇଛନ୍ତି ନିଯୁକ୍ତି ପରୀକ୍ଷା। ନିଯୁକ୍ତିରେ କୃତକାର୍ୟ୍ୟ ହୋଇ ଚାକିରି ବି ପାଇଛନ୍ତି। ପୂର୍ବରୁ ନିଯୁକ୍ତି ପାଇ ସାରିଥିବା ବ୍ୟକ୍ତିଙ୍କୁ ବି ସମାନ ପଦବିରେ ମିଳିଛି ଡବଲ୍ ନିଯୁକ୍ତି। ୨୦୦୬ରେ ରାଜ୍ୟ ପୁଲିସ ବିଭାଗରେ ସିପାହୀ/କନେଷ୍ଟବଳ ନିଯୁକ୍ତିକୁ ନେଇ ଏଭଳି ବିଚିତ୍ର କେଳେଙ୍କାରୀ ସାମନାକୁ ଆସିବା ପରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରୁଟି ସୁଧାରିବାକୁ ଗୃହ ବିଭାଗ ପଦକ୍ଷେପ ନେଉ ନାହିଁ। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଶତାଧିକ ବେକାର ଯୁବକ ଯୁବତୀ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୨୦୦୬ ମସିହାରେ କନେଷ୍ଟବଳ/ସିପାହୀ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୪୪୫୪ଟି ପଦବି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷା ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିଲା । କିନ୍ତୁ ସରକାର ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ସହ ଖେଳିଲେ ସାଂଘାତିକ ଖେଳ । ଫଳ ପ୍ରକାଶ ପାଇବା ପରେ ମୂଳ ପଦବି ସଂଖ୍ୟା ବାଦ୍ ଏସସି, ଏସଟି ଏବଂ ଓବିସି ବର୍ଗର ଆହୁରି ୭୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଗୃହ ବିଭାଗର ଏ ପ୍ରକାର ପଦକ୍ଷେପକୁ ନେଇ ୨୦୧୩ରେ ହାଇକୋର୍ଟରେ ନିଯୁକ୍ତି ସୁଯୋଗ ପାଇନଥିବା ସାଧାରଣ ବର୍ଗର ପ୍ରାର୍ଥୀ ଏକ ମାମଲା ଦାୟର କରିଥିଲେ।
ହାଇକୋର୍ଟ ସେହି ବର୍ଷ ଜୁଲାଇ ୧୩ ତାରିଖ ରାୟରେ ସଂରକ୍ଷିତ ବର୍ଗର ଅଧିକ ୭୭୩ ଜଣ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ ଆଡହକରେ ରଖିବା ସହିତ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆହୁରି ୭୭୩ ନୂତନ ପଦବି ସୃଷ୍ଟି କରାଯାଇ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ପ୍ରକାର ନିର୍ଦ୍ଦେଶକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ପ୍ରାର୍ଥୀଙ୍କ ସପକ୍ଷରେ ରାୟ ଦେଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ପାଳନ ପାଇଁ ସରକାରଙ୍କୁ ରାୟରେ ସ୍ପଷ୍ଟ କରିଥିଲେ । ସେହି ଆଧାରରେ ୨୦୧୬ ଜୁଲାଇ ୩୦ ତାରିଖରେ ରାଜ୍ୟ ସରକାର ସାଧାରଣ ବର୍ଗଙ୍କ ପାଇଁ ୭୭୩ ନୂଆ ପଦବି ସୃଷ୍ଟି କରିଥିଲେ। ସେଥିରେ କିନ୍ତୁ ୨୭୯ ଜଣ ସାଧାରଣ ବର୍ଗର ପିଲାଙ୍କୁ ନିଯୁକ୍ତି ଦେଇଥିବା ବେଳେ ୪୯୪ ପଦବିରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯେଉଁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିବା ଦର୍ଶାଯାଇଥିଲା ସେମାନେ କିନ୍ତୁ ୨୦୦୬ ମସିହାରୁ ପୁଲିସ ବିଭାଗରେ ନିଯୁକ୍ତି ପାଇ ସାରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବି ହାବିଲଦାର ପଦୋନ୍ନତି ପାଇଥିଲେ। ୨୦୧୪ ଅକ୍ଟୋବର ୧୯ ତାରିଖରୁ ମୃତ୍ୟୁ ହୋଇଥିବା ଏସ୍.ରମେୟା ରେଡ୍ଡୀ ନାମକ ଜଣେ ପୁଲିସ କର୍ମଚାରୀଙ୍କୁ କାଗଜପତ୍ରରେ ସରକାର ନିଯୁକ୍ତି ପ୍ରଦାନ କରାଯାଇଥିବା ଦର୍ଶାଇଥିଲେ। ସେହିଭଳି ୨୦୧୩ ଜୁନ ୨୦ ତାରିଖରେ ଭିଜିଲାନ୍ସ ମାମଲା ରୁଜୁ ହେବା ଯୋଗୁଁ ଚାକିରିରୁ ବହିଷ୍କାର ହୋଇଥିବା କିଶୋର କୁମାର ଜେନାଙ୍କ ନାମ ନୂତନ ନିଯୁକ୍ତି ତାଲିକାରେ ଭର୍ତ୍ତି କରାଯାଇଥିଲା ।
କୋର୍ଟର ନିର୍ଦ୍ଦେଶକୁ ଫାଙ୍କିବାକୁ ରାଜ୍ୟ ସରକାରଙ୍କ ଏପରି ଚାଲ୍ ଧରାପଡ଼ିବା ପରେ ଦ୍ୱିତୀୟ ଥର ନିଯୁକ୍ତିରୁ ବାଦ୍ ପଡ଼ିଥିବା ସାଧାରଣ ବର୍ଗର ୪୯୪ ପ୍ରାର୍ଥୀ ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ସଚିବ ଏବଂ ରାଜ୍ୟ ପୁଲିସ ଡିଜିଙ୍କୁ ମଧ୍ୟ ବାରମ୍ବାର ଭେଟି ଦାବି ପୂରଣ ପାଇଁ ଫେରାଦ ହୋଇଛନ୍ତି। କିନ୍ତୁ କୌଣସି ସୁଫଳ ନମିଳିବାରୁ ସାଧାରଣ ବର୍ଗର ଉକ୍ତ ପ୍ରାର୍ଥୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଅଦାଲତ ଦ୍ୱିତୀୟ ଥର ଗୃହ ବିଭାଗ ପକ୍ଷରୁ ହୋଇଥିବା ନିଯୁକ୍ତିକୁ ବେଆଇନ ଦର୍ଶାଇଥିଲେ । ଜାଲ୍ ନିଯୁକ୍ତି ମିଳିଥିବା ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଇ ଯୋଗ୍ୟ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ପ୍ରଦାନ ନକରିବା ଘଟଣାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଆଗାମୀ ଦିନରେ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।