ଅନଲାଇନରେ ଟିକା ପାଇଁ ପଞ୍ଜିକରଣ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ନଚେତ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ।

437

କନକ ବ୍ୟୁରୋ: ଅନଲାଇନରେ ଟିକା ପାଇଁ ପଞ୍ଜିକରଣ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ନଚେତ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । କାରଣ ବଜାରରେ ବୁଲୁଛି ନକଲି ଆପ । ସରକାରଙ୍କ କୋୱିନ ଆପ ଭଳି ନକଲି ଆପ ତିଆରି କରିଛନ୍ତି ଅନଲାଇନ ଠକ । ଆଉ ଏହି ଆପ ଜରିଆରେ ଲୋକଙ୍କୁ ସ୍ଲଟ ଦେବା ବାହାନାରେ ଫସାଉଛନ୍ତି । ତା ପରେ ଆଖି ପିଛୁଳାକେ ଟଙ୍କା ଗାଏବ କରିଦେଉଛନ୍ତି ।

କରୋନା ମହାମାରୀ ପାଇଁ ଏବେ ସାରା ଦେଶରେ ଜାରି ରହିଛି ଟିକାକରଣ । ଆଉ ଏହି ଟିକାକରଣ ଅନଲାଇନ ଜରିଆରେ ହେଉଛି । କେନ୍ଦ୍ରସରକାରଙ୍କ କୋୱିନ ଆପ ଜରିଆରେ ଲୋକମାନେ ସ୍ଲଟ ବୁକିଂ କରି ଟିକା ନେଉଛନ୍ତି । ହେଲେ ଏହାର ଫାଇଦା ଉଠାଉଛନ୍ତି ଅନଲାଇନ ଠକ । ଏହି ଆପ ଭଳି ଅନଲାଇନରେ କିଛି ନକଲି ଆପ ତିଆରି କରିଛନ୍ତି । ଯାହା ଦ୍ୱାରା ଲୋକମାନେ ଠକାମୀର ଶିକାର ହେଉଛନ୍ତି ।

ସେହିପରି ଲୋକମାନଙ୍କ ପାଖକୁ ମେସେଜ ମଧ୍ୟ ଆସିଥାଏ । ଆଉ ସେଥିରେ ଲିଙ୍କ ଥାଏ । ସେହି ଲିଙ୍କକୁ କ୍ଲିକ କଲେ ସ୍ଲଟ ବୁକିଂ ହେବ ବୋଲି ଲେଖାଥାଏ । ଆଉ ଏହାକୁ କ୍ଲିକ କଲେ ଏହି ନକଲି ଆପ ମୋବାଇଲରେ ଇନଷ୍ଟଲ ହୋଇଯାଏ । ଏହାଦ୍ୱାରା ଆପଣଙ୍କ ଡାଟା ଚୋରି ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏହି ଲିଙ୍କକୁ ଏଣ୍ଡ୍ରାୟଲ ମାଲବେୟାର କୁହାଯାଏ ।

ଏହାଦ୍ୱାରା ଆପଣଙ୍କ ମୋବାଇଲ ହ୍ୟାକ କରିବା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବାର ସମ୍ଭାବନା ରହିଛି । ଟିକା ଦେବା ବାହାନାରେ ଲୋକମାନଙ୍କୁ ଠକିବାର ଏ ହେଉଛି ଠକ ମାନଙ୍କ ନୂଆ ତରିକା । ତେବେ ଟିକା ବୁକିଂ କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ଆପଣ ବି ଏହି ଠକାମୀର ଶିକାର ହୋଇ ପାରନ୍ତି ।

ଅନଲାଇନରେ ଠକେଇ ନୂଆ ନୁହେଁ । ଠକମାନେ ଅନଲାଇନ ମାଧ୍ୟମରେ ଲୋମାନଙ୍କୁ ବିଭିନ୍ନ ତରିକାରେ ଠକିଥାନ୍ତି । ହେଲେ ଏହି ତରିକା ଏବେ ନୂଆ । ତେଣୁ ଏହି ଠକମାନଙ୍କଠାରୁ ସାବଧାନ ରହିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି ।