କନକ ବ୍ୟୁରୋ : ମହାରାଷ୍ଟ୍ର ପୋଲିସର ଥାଣେ ଅପରାଧ ଶାଖାକୁ ବଡ ସଫଳତା ମିଳିଛି । ପୋଲିସ ଏକ ବଡ ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗକୁ ଧରିଛି । ସେମାନଙ୍କ ଠାରୁ ୮ କୋଟି ଟଙ୍କାର ନକଲି ୨ ହଜାର ଟଙ୍କିଆ ନୋଟ ଜବତ କରାଯାଇଛି ।
ଏହି ଗ୍ୟାଙ୍ଗ ନକଲି ନୋଟଗୁଡିକୁ ବଜାରରେ ପ୍ରବେଶ କରାଇବାକୁ ପ୍ରସ୍ତୁତ କରୁଥିଲେ । ସେମାନଙ୍କ ମଧ୍ୟରୁ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ପୋଲିସର କହିବା ମୁତାବକ ଏହି ଅଭିଯୁକ୍ତମାନେ ପାଲଘର ନିକଟରେ ରହିଥାନ୍ତି ଓ ନକଲି ନୋଟରେ ବଜାରରେ ପହଂଚାଇବାର କାମ କରିଥାନ୍ତି ।
ନକଲି ନୋଟ ଛାପୁଥିବା ଏହି ଗ୍ୟାଙ୍ଗଠାରୁ ପୋଲିସ ନକଲି ୨ ହଜାର ଟଙ୍କିଆ ୪୦୦ଟି ବଣ୍ଡଲ ଜବତ କରିଛି । ଏହାପରେ ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି । ପୋଲିସ ମୁଖ୍ୟତ ଏହି ଗ୍ୟାଙ୍ଗର ଚେର କେତେବାଟ ପର୍ଯ୍ୟନ୍ତ ଲମ୍ବିଛି ତାହା ଉପରେ ଅନୁସନ୍ଧାନ କରୁଛି । ପୋଲିସର କହିବା ମୁତାବକ ବଜାରରେ ୨ ହଜାର ଟଙ୍କିଆ ନୋଟ କମିବାରେ ଲାଗିଛି । ଏହାର ସୁଯୋଗ ନେଇ ଏହି ନକଲି ନୋଟକୁ ବଜାରରେ ପ୍ରବେଶ କରାଇବାକୁ ଗ୍ୟାଙ୍ଗ ପ୍ରୟାସ କରୁଥିଲା ।
ସେପଟେ ଅକ୍ଟୋବର ମାସରେ ଗୁଜରାଟ ଓ ମୁମ୍ବାଇରେ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ୩୧୭ କୋଟି ଟଙ୍କାର ଜାଲି ନୋଟ ଜବତ କରିଥିଲା ।