ଫିଲ୍ମ ଷ୍ଟାଇଲରେ ଏକାକୀ ଦୁଇ ଦୁଇଟି ବ୍ୟାଙ୍କ ଲୁଟିଥିଲା ଲୁଟେରା । ୟୁ-ଟ୍ୟୁବରୁ ଶିଖିଥିଲା ବ୍ୟାଙ୍କ ଲୁଟର ବାଟ ଆଉ ଖସିଯିବାର ଉପାୟ ।

746

କନକ ବ୍ୟୁରୋ : ହଲିଉଡରୁ ଆରମ୍ଭ କରି ବଲିଉଡ ଫିଲ୍ମରେ ଆପଣ ବ୍ୟାଙ୍କ ଲୁଟର ଦୃଶ୍ୟ ଦେଖିଛନ୍ତି । ଯେଉଁଠି ପେସାଦାର ଅପରାଧୀ ହାତରେ ମାରଣାସ୍ତ୍ର ଧରି ଅତର୍କିତ ଭାବେ ବ୍ୟାଙ୍କକୁ ପସିଆସିବା ସହ କର୍ମଚାରୀଙ୍କୁ ଭୟ ଦେଖାଇ କରିଥାନ୍ତି ଲୁଟ୍ । ଏଥିପାଇଁ ସେମାନେ ଢେର ପୂର୍ବରୁ ବ୍ୟାଙ୍କରେ କରିଥାନ୍ତି ରେକି । ଅର୍ଥାତ କେଉଁ ବାଟେ ବ୍ୟାଙ୍କକୁ ପ୍ରବେଶ କରିବେ ଏବଂ କେଉଁଠାରେ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ବ୍ୟାଙ୍କ ଲୁଟ୍ କରିବା ପରେ କେଉଁ ବାଟେ ଖସିଯାଇ ହେବ, ସେ ବାବଦରେ ଅନୁଧ୍ୟାନ କରି ବନାନ୍ତି ରଣନୀତି । ହେଲେ ଏକାଧିକ ଫିଲ୍ମରେ ଆମେ ଦେଖିଛେ ଏଭଳି ବଡଧରଣର ଲୁଟରେ ଏକାଧିକ ବ୍ୟକ୍ତି ହିଁ ସଂପୃକ୍ତ ଥାନ୍ତି । କିନ୍ତୁ ବ୍ୟାଙ୍କର ସିସିଟିଭିରୁ ନିଜର ପରିଚୟ ଗୋପନ ରଖିବାକୁ ମୁହଁ ଲୁଚାଇବା ଭଳି ରଣନୀତିଟି ଆପଣାଇଥାନ୍ତି ।

ଭୁବନେଶ୍ୱରରୁ ଗିରଫ ହୋଇଥିବା ସୌମ୍ୟରଞ୍ଜନ ୟୁ-ଟ୍ୟୁବରୁ ଶିଖିଥିଲା ବ୍ୟାଙ୍କ ଲୁଟର ବାଟ । ପରିଚୟ ଲୁଚାଇବା ଓ ଖସିଯିବାର ଉପାୟ । ପେସାଦାର ଲୁଟେରା ନହୋଇ ମଧ୍ୟ ପୂର୍ଣ୍ଣ ପ୍ରସ୍ତୁତିରେ ବ୍ୟାଙ୍କ ଲୁଟିବାକୁ ଆସିଥିଲା ସୌମ୍ୟରଞ୍ଜନ ଜେନା । ବ୍ୟାଙ୍କରେ ଲାଗିଥିବା ସିସିଟିଭିରୁ ବର୍ତ୍ତିବା ପାଇଁ, ମୁହଁକୁ ଲୁଚାଇ ରଖିବା ପାଇଁ ପିନ୍ଧିଥିଲା ମାସ୍କ ଓ ହେଲମେଟ୍ । ଗୋଡରୁ ମୁଣ୍ଡ ଯାଏଁ କଳା ରଙ୍ଗର ପୋଷାକ । କେଉଁଠାରେ ଅଙ୍ଗୁଳି ଛାପ ନଛାଡିବାକୁ ହାତରେ ପିନ୍ଧିଥିଲା ଗ୍ଲୋବ୍ସ ।

ଏକାକି ବ୍ୟାଙ୍କ ଲୁଟିବାକୁ ଆସିଥିଲେ ମଧ୍ୟ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବାରେ ସମର୍ଥ ହେଲା । ଏହାପରେ ଟଙ୍କା ଲୁଟ୍ କରି ଫେରାର ମାରିଲା । ପୋଲିସର କହିବା ହେଲା ଏସବୁ ପ୍ରକ୍ରିୟା ଶିଖିବା ପାଇଁ ୟୁ-ଟ୍ୟୁବର ସାହାରା ନେଇଥିଲା ଲୁଟେରା ସୌମ୍ୟରଞ୍ଜନ । ବ୍ୟାଙ୍କରେ ନିଜର ଆକାଉଂଟ ଥିବାରୁ ଏହାର ପ୍ରତ୍ୟେକଟି କୋଠରୀ ଓ ଯିବା ଆସିବା ବାଟ ବାବଦରେ ତାର ଜ୍ଞାନ ଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏସକେପ ପ୍ଲାନ । ଅର୍ଥାତ ବ୍ୟାଙ୍କ ଲୁଟିବା ପରେ ସେଠାରୁ ସୁରକ୍ଷିତ ଫେରାର ହୋଇଯିବାର ଉପାୟ । ଏଥିପାଇଁ ପ୍ରଥମେ ଏମିତି ଏକ ବ୍ୟାଙ୍କକୁ ବାଛିଥିଲା ସୌମ୍ୟରଞ୍ଜନ, ଯାହା ଏକ ନଦୀବନ୍ଧ ରାସ୍ତା କଡରେ ଥିଲା । ଅର୍ଥାତ ସାଙ୍ଗରେ ନେଇ ଆସିଥିବା ଏକ ନମ୍ବର ବିହୀନ ସ୍କୁଟିରେ ଫେରାର ମାରିବାକୁ ସହଜ ହେବ ।

ୟୁ-ଟ୍ୟୁବରୁ ଦେଖି ଶିଖିଥିବା ସବୁ ଉପାୟକୁ ଲଗାଇ ପୋଲିସ ଆଖିରେ ଧୁଳି ଦେବାକୁ ସମର୍ଥ ବି ହୋଇଥିଲା ଲୁଟେରା । ହାତରେ ଗ୍ଲୋବ୍ସ ପିନ୍ଧିଥିବାରୁ ତାର ଅଙ୍ଗୁଳି ଛାପ ବ୍ୟାଙ୍କରୁ ମିଳିନଥିଲା । ସେହିପରି ଦେହରୁ ମୁଣ୍ଡ ଯାଏଁ କଳା ପୋଷାକ ପିନ୍ଧି ପରିଚୟ ଗୋପନ ରଖିବାକୁ ବି ଅନେକାଂଶରେ ସଫଳ ହୋଇଥିଲା । ପ୍ରଥମେ ଖେଳଣା ବନ୍ଧୁକ ଓ ପରେ ଏକ ଦେଶୀ ବନ୍ଧୁକ କିଣି ପୁରା ଲୁଟ ଯୋଜନାକୁ କାର୍ଯ୍ୟକାରୀ କରିଥିଲା । ହେଲେ କୁହାଯାଏ ଆଇନର ହାତ ବହୁତ ଲମ୍ବା । ତେଣୁ ଅପରାଧୀ ଗୋଟିଏ ପାଦ ଚାଲିଲେ, ପୋଲିସ ଦୁଇପାଦ ଚାଲିଥାଏ ।ଆଉ ପେସାଦାର ଅପରାଧୀ ହୋଇନଥିବାରୁ ଶେଷରେ ପୋଲିସ ତା ନିକଟରେ ପହଞ୍ଚିବାକୁ ସମର୍ଥ ହେଲା । ଲକଡାଉନ୍ କଷ୍ଟରୁ ବଂଚିବାକୁ ନୂଆକରି ଲୁଟେରା ସାଜିଥିବା ଏହି ଅପରାଧୀ ହାତରେ ପୋଲିସ ପକାଇଥିଲା ହାତକଡି ।