କୋଭିଡ କରୁଛି କଲବଲ, ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା: ଫିଡିଂ ଆମେରିକାର ରିପୋର୍ଟ, ଗତବର୍ଷ ଡିସେମ୍ବର ସୁଦ୍ଧା ୫ କୋଟି ଲୋକ ପାଉନାହାନ୍ତି ଦୁଇ ଓଳି ଦୁଇମୁଠା ଖାଦ୍ୟ

ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ

82

କନକ ବ୍ୟୁରୋ: ଆମେରିକାରେ ପ୍ରତି ୬ ଜଣରେ ଜଣେ ଭୋକିଲା । ଏଭଲି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛି ଭୋକ ଏବଂ ଖାଦ୍ୟ ସୁରକ୍ଷାକୁ ନେଇ କାମ କରୁଥିବା ସଂସ୍ଥା- ଫିଡିଂ ଆମେରିକା । ସଂସ୍ଥାର ରିପୋର୍ଟ ଅନୁସାରେ ୨୦୨୦ ଶେଷ ବେଳକୁ ଅର୍ଥାତ ଡିସେମ୍ବରରେ ଆମେରିକାରେ ପ୍ରାୟ ୫ କୋଟିରୁ ଅଧିକ ଲୋକ, ଦିନକୁ ଦୁଇବେଳା ଖାଇବା ଯୋଗାଡ କରିପାରୁନଥିଲେ । କଥାହେଲା କରୋନା ମହାମାରୀ ପୁରା ବିଶ୍ୱର ଆର୍ଥିକ, ସାମାଜିକ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଗାଡି ଦେଇଛି । ଅନେକ ଦେଶରେ ପରିସ୍ଥିତି ଏମିତି ହୋଇଛି ଯେ, ଲକ୍ଷ ଲକ୍ଷ ରୋଜଗାର ହରାଇ ପରିବାର ପାଇଁ ଖାଦ୍ୟ ଯୋଗାଡ କରିପାରୁ ନାହାନ୍ତି ।

୨୦୦୮ ମାନ୍ଦାବସ୍ଥାଠାରୁ ବି ଆହୁରି ଦୁର୍ବଳ ହୋଇପଡିଛି ଅର୍ଥନୀତି । ଆଉ କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା । ଏଠାରେ ୨୦୧୯ ଜୁନ୍ ମାସରୁ ହିଁ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଅନେକ ଲୋକଙ୍କ ରୋଜଗାର ଛଡାଇ ନେଇଛି କରୋନା ମହାମାରୀ । ଫଳରେ ଲୋକେ ଖାଇବା ଯୋଗାଡ କରିପାରୁ ନାହାନ୍ତି । ଫିଡିଂ ଆମେରିକାର କହିବା ହେଲା କରୋନା କାଳରେ ଏହା ଆମେରିକାରେ ୫୪ କୋଟି ୮୦ ଲକ୍ଷ ଲୋକଙ୍କୁ ଖାଦ୍ୟ ପ୍ୟାକେଟ ବାଂଟିଛି । ପୂର୍ବରୁ କିନ୍ତୁ ଏହାର ଅଧା ଭୋକିଲାଙ୍କୁ ଖାଦ୍ୟ ପ୍ୟାକେଟ୍ ବାଂଟୁଥିଲା ସଂସ୍ଥା । ସେହିପରି ପୂର୍ବରୁ ଖ୍ରୀଷ୍ଟମାସରେ ପ୍ରାୟ ୫ ହଜାର ପ୍ୟାକେଟ ଖାଦ୍ୟ ପୁଡିଆ ବାଂଟୁଥିବାବେଳେ ଏଥର ସଂସ୍ଥା ୮ ହଜାର ୫ଶହ ପ୍ୟାକେଟ ଖାଦ୍ୟ ବାଂଟିଛି ।