ପଦାରେ ପଡିଲା ଗଞ୍ଜାମ କଂଗ୍ରେସର ଦଳୀୟ ଗୋଷ୍ଠୀ କନ୍ଦଳ । ଦଳୀୟ କର୍ମୀଙ୍କ ପୋଷ୍ଟର ଚିରି ଧରାପଡିଲେ ଅଭିଯୁକ୍ତ ।

192

କନକ ବ୍ୟୁରୋ: ପଦାରେ ପଡିଲା କଂଗ୍ରେସର ଦଳୀୟ ଗୋଷ୍ଠୀ କନ୍ଦଳ, ଧରା ପଡିଲା ପୋଷ୍ଟର ଚିରା ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମର ଛାତରେ ଲାଗିଥିବା ପୋଷ୍ଟରକୁ ଚିରି ଥିବା ଯୁବକ ଜଣକ ବ୍ରହ୍ମପୁର ପୋଲିସ ହାତରେ ଲାଗିଛି । ଉକ୍ତ ଯୁବକ ଜଣକ ମଧ୍ୟ ଜିଲ୍ଲା କଂଗ୍ରେସର ସଭ୍ୟ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି ।

କଂଗ୍ରେସ ଦଳର ଜାତୀୟ ସ୍ତରର ନେତା, ପ୍ରଦେଶ କଂଗ୍ରେସ ସଭାପତିଙ୍କ ସହ ଗଞ୍ଜାମ ଜିଲ୍ଲା ପୂର୍ବାଞ୍ଚଳ ସଭାପତି ଦୀପକ ପଟନାୟକଙ୍କ ଫଟୋ ଥିବା ଏକ ପୋଷ୍ଟର ଜିଲ୍ଲା କଂଗ୍ରେସ କାର୍ୟାଳୟ ଛାତରେ ଲାଗିଥିଲା । ହେଲେ କେହି ଜଣେ ରାତିରେ ତାକୁ ଚିରି ଦେଇଥିବା ନେଇ ବ୍ରହ୍ମପୁର ଟାଉନଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସଂପୃକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ବେଳେ ଅଭିଯୁକ୍ତ ଜଣକ ଚିହ୍ନଟ ହୋଇଛି । ପୋଲିସ ଉକ୍ତ ଯୁବକକୁ ଧାରା ୧୦୭ରେ ନୋଟିସ ଜାରି କରିବା ସହ ତାଗିଦ କରି ଛାଡିଦେଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

କିଛିଦିନ ତଳେ ଦଳରେ ହୋଇଥିବା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦ ଚୟନରେ ଅସନ୍ତୁଷ୍ଟ ଥିବା କିଛି ନେତା ଓ କର୍ମୀ ଏଭଳି କାଣ୍ଡ ଭିଆଇଥିବା ସହରରେ ଚର୍ଚ୍ଚା ହେଉଛି ।