କରୋନା ସହାୟତା ବାବଦକୁ ସରକାର ଦେଉଛନ୍ତି ୧୦୦୦ ଟଙ୍କା ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଖବର ପଛର ସତ ଜାଣନ୍ତୁ, ଭାଇରାଲ ମେସେଜରେ ଥିବା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ରିପୋର୍ଟ ଦେଖନ୍ତୁ ଓ ସତର୍କ ହୁଅନ୍ତୁ ।

1,451

କନକ ବ୍ୟୁରୋ : କରୋନା ଯୋଗୁଁ ଲୋକଙ୍କର ରୋଜଗାର ପନ୍ଥା ଏକପ୍ରକାର ଠପ ହୋଇଯାଇଥିବା ବେଳେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଅନେକ ଲୋକ । ଏଭଳି ସମୟରେ ସୋସିଆଲ ମିଡିଆରେ ଏକ ମେସେଜ ଜୋରଦାର ଭାଇରାଲ ହେବାରେ ଲାଗିଛି । ହ୍ୱାଟସଅପରେ ଗ୍ରୁପରୁ ଗ୍ରୁପକୁ ଭାଇରାଲ ହେଉଥିବା ମେସେଜରେ କୁହାଯାଉଛି ଯେ, କରୋନା ସହାୟତା ଯୋଜନାରେ ଡବ୍ଲୁସିଏଚଓ ତରଫରୁ ପ୍ରତି ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଲେଖାଏଁ ମଗଣା ଦିଆଯାଉଛି । ଫର୍ମ ଭର୍ତ୍ତି କରି ୧୦୦୦ ଟଙ୍କା ପାଇପାରିବେ ଲୋକେ ।

କରୋନା ସଙ୍କଟ ସମୟରେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଅନେକ ସହାୟତା ମିଳୁଛି । ଆଉ ଏଭଳି ସମୟରେ ଏହି ଭାଇରାଲ ମେସେଜକୁ ଲୋକେ ସତ ମାନିବା ସହ ବିଭିନ୍ନ ଗ୍ରୁପକୁ ସେୟାର କରୁଛନ୍ତି । ତେବେ ଏହି ମେସେଜ ଭାଇରାଲ ହେବା ପରେ ଏହାର ସତ୍ୟତା ଉପରୁ ପରଦା ଉଠାଇଛି ପିଆଇବି ଫ୍ୟାକ୍ଟ ଚେକ୍ । ବାସ୍ତବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କୌଣସି ଯୋଜନା ଅଣାଯାଇ ନାହିଁ ଯେଉଁଥିରେ ଲୋକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉଛି । ତେଣୁ ଭାଇରାଲ ହେଉଥିବା ମେସେଜରେ କୌଣସି ସତ୍ୟତା ନାହିଁ । ତେଣୁ ଏଭଳି ଠକଙ୍କ ଠାରୁ ସାବଧାନ ରୁହନ୍ତୁ ।

ଭାଇରାଲ ହେଉଥିବା ମେସେଜର ସତ୍ୟତା ଜଣାଇବା ସହ ଲୋକଙ୍କୁ ସାବଧାନ ରହିବା ପାଇଁ କହିବା ପଛରେ ବଡ କାରଣ ରହିଛି । ଭାଇରାଲ ହେଉଥିବା ମେସେଜରେ ଏକ ଲିଙ୍କ୍ ଦିଆଯାଉଛି । ଯାହାକୁ କ୍ଲିକ୍ କରିଲେ ଏକ ଫର୍ମ ଆସିବ । ଉକ୍ତ ଫର୍ମରେ ନାମ ଓ ଠିକଣା, ରାଜ୍ୟର ନାମ ଦେବା ପରେ ଆଉ ଏକ ପେଜ ଖୋଲିବ । ଯେଉଁଥିରେ ମୋବାଇଲ ନମ୍ବର ଓ ପିନ କୋର୍ଡ ଦେବା ପରେ ଏହାକୁ ୫ ଜଣଙ୍କ ପାଖକୁ ସେୟାର କରିବାକୁ କୁହାଯାଉଛି । ତେବେ ଏହି ଲିଙ୍କ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବାର ଆଶଙ୍କା ପ୍ରକାଶ ପାଇଛି ।

ସେହିଭଳି ଲକଡାଉନ ପାଇଁ ଭାରତୀୟ ଦୂରସଞ୍ଚାର ବିଭାଗ ତରଫରୁ ସମସ୍ତ ମୋବାଇଲ ଗ୍ରାହକଙ୍କୁ ମେ’ ୩ ପର୍ଯ୍ୟନ୍ତ ମାଗଣାରେ ଇଣ୍ଟରନେଟ ଦେବାକୁ ଘୋଷଣା କରିଛି ବୋଲି ଏକ ମେସେଜ ଭାଇରାଲ ହେଉଛି । ଯାହାଦ୍ୱାରା ଘରେ ବସି ଆପଣ କାମ କରିପାରିବେ । ଆଉ ଏହାର ସୁବିଧା ପାଇବାକୁ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ମାଗଣାରେ ରିଚାର୍ଜ କରିପାରିବେ ବୋଲି କୁହାଯାଉଛି । କିନ୍ତୁ ଏହି ଭାଇରାଲ ମେସେଜରେ ମଧ୍ୟ କୌଣସି ସତ୍ୟତା ନାହିଁ ବୋଲି ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । କାରଣ ଏଭଳି କୌଣସି ଘୋଷଣା ଭାରତୀୟ ଦୂରସଞ୍ଚାର ବିଭାଗ ପକ୍ଷରୁ କରାଯାଇନାହିଁ । ତେଣୁ ଏଭଳି ଗୁଜବରୁ ନିଜକୁ ଦୂରେଇ ରଖନ୍ତୁ ଓ ଆପଣଙ୍କୁ ପଠାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏ ବାବଦରେ ସଚେତନ କରନ୍ତୁ ।