ଟ୍ରାଫିକ ଜାମରେ ଆମ୍ବୁଲାନ୍ସରେ ଶିଶୁ ମୃତ୍ୟୁ ଘଟଣା: ଅପବାଦ ମୁଣ୍ଡାଇବା ପରେ କମିଶନରେଟ୍ ପୁଲିସର ସ୍ପଷ୍ଟିକରଣ; ମେଡିକାଲରେ ପହଞ୍ଚିବାକୁ ଘଂଟାଏ ନୁହେଁ, ୨୨ ମିନିଟ୍ ୩୮ ସେକେଣ୍ଡ ଲାଗିଥିଲା ସମୟ

ଏଜି ଛକ ଦେଇ ଯାଇନଥିଲା ଆମ୍ବୁଲାନ୍ସ; ସିସିଟିଭି ଫୁଟେଜ ସୂଚନା ଆଧାରରେ ପୁଲିସର ସୂଚନା

349

କନକ ବ୍ୟୁରୋ: ରାଜଧାନୀରେ ଟ୍ରାଫିକ ଜାମରେ ଆମ୍ବୁଲାନ୍ସରେ ଶିଶୁମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଶିଶୁମୃତ୍ୟୁ ନେଇ ଆଜି କମିଶନରେଟ ପୋଲିସ ରଖିଛି ସ୍ପଷ୍ଟୀକରଣ । ଏକ ଘଂଟାରୁ ଅଧିକ ସମୟ ନୁହେଁ ବରଂ ୨୨ ମିନିଟ୍ ୩୮ ସେକେଣ୍ଡରେ ଆମ୍ବୁଲାନ୍ସ ରାଜଭବନରୁ କିମ୍ସ ଯାଇଛି ବୋଲି କହିଛି କମିଶନରେଟ ପୋଲିସ । ସିସିଟିଭି ଫୁଟେଜ ସୂଚନା ଆଧାରରେ କମିଶନରେଟ ପୋଲିସ ଏହି ସ୍ପଷ୍ଟୀକରଣ ଜାରି କରିଛି ।

ସବୁଠାରୁ ବଡ କଥା ହେଲା, ଏଜି ଛକ ଦେଇ ଆମ୍ବୁଲାନ୍ସ ଯାଇନାହିଁ ବରଂ ଆମ୍ବୁଲାନ୍ସଟି ରାଜଭବନରୁ ଦିନ ୧୦ଟା ୦୧ ମିନିଟ ୪୦ ସେକେଣ୍ଡରେ ବାହାରିଥିଲା । ୧୨୦ ବାଟାଲିଅନ ନିକଟରେ ପହଂଚିବା ସମୟରେ ୧୦ଟା ୨ ମିନିଟ୍, ନାଲକୋ ଛକରେ ୧୦ଟା ୧୦ ମିନିଟ୍ ଓ କିମସ ହସ୍ପିଚାଲ ନିକଟରେ ଆମ୍ବୁଲାନ୍ସ ପହିଂଚିବା ବେଳକୁ ୧୦ଟା ୨୪ ବାଜିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ରାଜଭବନରୁ କିମସ ହସ୍ପିଟାଲ ୨୨ ମିନିଟ୍ ୩୮ ସେକେଣ୍ଡରେ ସମୟ ନେଇଛି ବୋଲି ପୋଲିସ କହିଛି ।

ମୂଳ ଅଭିଯୋଗ ଅନୁସାରେ, ଆମ୍ବୁଲାନ୍ସଟି ଏଜି ଛକ ବାଟେ ଯାଇଥିବା କୁହାଯାଇଥିଲା । ଟ୍ରାଫିକ୍ ଜାମରେ ଫସି ଆମ୍ବୁଲାନ୍ସଟି ୧ ଘଂଟା ୨୦ ମିନିଟ ସମୟ ନେବା କାରଣରୁ ଶିଶୁପୁତ୍ରଟି ପ୍ରାଣ ହରାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେଦିନ କ୍ୟାପିଟାଲ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସରେ ନେବା ପାଇଁ କୁହାଯାଇଥିବା ବେଳେ କାହିଁକି ଭେଂଟିଲେଟର ନଥିବା ଏକ ଘରୋଇ ଆମ୍ବୁଲାନ୍ସରେ ନିଆଗଲା, ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରାଯାଉଥିବା ସୂଚନା ମିଳିଛି । ତେବେ ବାସ୍ତବରେ ପୁଲିସ ଆତ୍ମରକ୍ଷା ପାଇଁ ଘଟଣାକୁ ଏଭଳି ନାଟକୀୟ ମୋଡ ଦେଉଛି ନା ପୁଲିସ ତଦନ୍ତ ଯେଉଁ ଦିଗରେ ଆଗଉଛି ତାହା ସତ ତାର ଏକ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ।