ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଅଭିଜ୍ଞଙ୍କ ଭବିଷ୍ୟବାଣୀ । ଏହା କେତେ ସତ ଓ କେତେ ମିଛ? ଭାଇରାଲ ଭବିଷ୍ୟବାଣୀର ସତ କଣ? ଥରେ ନଜର ପକାଇ ନିଅନ୍ତୁ ଏହି ରିପୋର୍ଟ ଉପରେ?

2,622

କନକ ବ୍ୟୁରୋ :ଅଭିଜ୍ଞ ଆନନ୍ଦ । ୧୪ ବର୍ଷର ଏହି ବାଳକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଅଭିଜ୍ଞ ଆନନ୍ଦଙ୍କ ଫଟୋ ସହ କିଛି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଯାହାକୁ କରୋନା ମହାମାରୀ ସହ ଯୋଡାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ମେସେଜରେ କୁହାଯାଉଛି ଯେ, ଦେଢ ବର୍ଷ ପୂର୍ବେ ଅଭିଜ୍ଞ କରୋନା ଭାଇରସକୁ ନେଇ ଭବିଷ୍ୟବାଣୀ କରି ସାରିଥିଲେ । ସେତେବେଳେ ଏହି ବାଳକଙ୍କ କଥାକୁ କେହି ଗୁରୁତ୍ୱ ଦେଇନଥିଲେ କିନ୍ତୁ ଏବେ ବାଳକଙ୍କ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ ସତ ହେଉଛି ବୋଲି ସୋସିଆଲ ମିଡିଆର ବିଭିନ୍ନ ଗ୍ରୁପରେ ମେସେଜ ଘୂରି ବୁଲୁଛି । ତେବେ ପ୍ରକୃତରେ ଭାଇରଲ ହେଉଥିବା ଭିଡ଼ିଓ ଓ ମେସେଜରେ କଣ ସତ୍ୟତା ରହିଛି ତାହା ଆମେ ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରିବୁ ।

ତେବେ ପୂରା ଘଟଣାକୁ ଯିବା ପୂର୍ବରୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭାଇରାଲ ମେସେଜ ବାବଦରେ ଜାଣିବାର ଆବଶ୍ୟକତା ରହିଛି ।

୧୪ ବର୍ଷର ବାଳକ ଯାହାଙ୍କ ନାଁ ଅଭିଜ୍ଞ ଆନନ୍ଦ । କର୍ଣ୍ଣାଟକର ଏହି ବାଳକ ଜଣ ଦେଢ ବର୍ଷ ତଳେ ନିଜର ୟୁଟ୍ୟୁବ ଚ୍ୟାନେଲ କନସାଇନ୍ସରେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୦ରେ ମଣିଷ ଓ ପ୍ରକୃତି ମଧ୍ୟରେ ଏକ ଭୟାନକ ସଂଘର୍ଷ ଦେଖିବାକୁ ମିଳିବ । ଯାହାଦ୍ୱାରା ପୂରା ବିଶ୍ୱରେ ଆତଙ୍କ ଖେଳିଯିବ । ୩୧ ମାର୍ଚ୍ଚ ୨୦୨୦ରେ ଅଚାନକ ଏହି ରୋଗ ବିସ୍ଫୋରକ ରୂପ ଧାରଣ କରିବ । ଯାହାଦ୍ୱାରା କିଛି ଦେଶ ନିଶ୍ଚିହ୍ନ ହୋଇଯିବ । ଏଥିରୁ ସେହିମାନେ ସୁରକ୍ଷିତ ରହିବେ, ଯେଉଁମାନେ ଘରେ ରହିବେ । ୨୯ ମେ ପର୍ଯ୍ୟନ୍ତ ବିଶ୍ୱର ୮୦ ପ୍ରତିଶତ ଲୋକ ଭାଇରସ ଦ୍ୱାରା ଆକ୍ରାନ୍ତ ହେବେ ଓ ବିଶ୍ୱର ୨୦ ପ୍ରତିଶତ ଲୋକେ ଏଥିରେ ମୃତ୍ୟୁବରଣ କରିବେ । ୩୦ ମେ’ରେ ଏଥିରେ ସୁଧାର ଆସିବ ଯାହା ୫ ସେପ୍ଟେମ୍ବର ଯାଏଁ ଜାରି ରହିବ । ୧୦ ସେପ୍ଟେମ୍ବରରେ ଏହି ଭାଇରସରେ ଶେଷ ମୃତ୍ୟୁ ହେବ । ଆଉ ଏହାପରେ ଏହି ଭାଇରସ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ ।  କିନ୍ତୁ ଏହାପରେ କିଛି ଦେଶ ଅନାହାରରେ ପଡିବେ । ଚୋରି ଓ ଲୁଟପାତ୍ ବଢିବ । ଏପରିକି କିଛି ଦେଶ ନିଜର ଅସ୍ତିତ୍ୱ ମଧ୍ୟ ହରାଇ ବସିବେ । ଏହାସହ ଏଭଳି ସମୟରେ ଭଗବାନ ରାମ ଓ କୃଷ୍ଣଙ୍କ ନାଁ ନେଇ ମନ୍ତ୍ର ଉଚ୍ଚାରଣ କରିଲେ କରୋନା ଭଳି ବିପଦରୁ ଦୂରେଇ ରହିପାରିବେ ।

କିଛି ଏଭଳି ଦାବିକୁ ନେଇ ସୋସିଆଲ ମିଡିଆରେ ଏହି ମେସେଜ ଏବେ ଭାଇରାଲ ହେଉଛି । ତେବେ ଅଭିଜ୍ଞଙ୍କ ୟୁଟ୍ୟୁବ ପେଜ୍ ଖୋଜିବା ପରେ ଆମକୁ ଯେଉଁ ଭିଡ଼ିଓ ମିଳିଲା  ତାହାର ଟାଇଟଲ ଥିଲା SEVERE DANGER TO THE WORLD FROM NOV 2019 TO APRIL 2020—Abhigya in English and Hindi । ଆଉ ଅଭିଜ୍ଞଙ୍କ ଏହି ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । କାରଣ ଅଭିଜ୍ଞ ଏହି ଭିଡ଼ିଓରେ ହିଁ ନଭେମ୍ବର ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ ବିଶ୍ୱରେ ବଡ ଧରଣର ବିପତ୍ତି ଆସିବ ବୋଲି ଦାବି କରିଥିଲେ । କିନ୍ତୁ ଏହି ଭିଡ଼ିଓକୁ ଅଭିଜ୍ଞ ୟୁଟ୍ୟୁବ ଚ୍ୟାନେଲରେ ୨୨ ଅଗଷ୍ଟ ୨୦୧୯ରେ ଅପଲୋଡ କରିଥିଲେ । ତେଣୁ ଏହି ଭିଡ଼ିଓ ଦେଢ ବର୍ଷ ତଳର ପୁରୁଣା ଭିଡ଼ିଓ ବୋଲି ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ ।

ଏହି ଭିଡ଼ିଓରେ ଅଭିଜ୍ଞ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହାର କିଛି ମୁଖ୍ୟ ପଏଣ୍ଟ ଉପରେ ନଜର ପକାନ୍ତୁ । ନଭେମ୍ବର ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ :

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ୯୯ ପ୍ରତିଶତ ସମ୍ଭାବନା ରହିଛି

ସୁନା, ରୂପା ଓ ତେଲର ଦାମ ବଢିବ

 ଆମେରିକା ଓ ଇରାନ ମଧ୍ୟ ଯୁଦ୍ଧ ହୋଇପାରେ

ସେୟାର ବଜାର ଓ ଅର୍ଥନୀତି ଭୁଷୁଡି ପଡିବ

ତେବେ ଏହି ଭିଡ଼ିଓରେ ଅଭିଜ୍ଞ ଯୁଦ୍ଧ କଥା କହିଥିଲେ ମଧ୍ୟ କୌଣସି ସ୍ଥାନରେ ଭାଇରସ କିମ୍ବା ରୋଗ କଥା କହିନାହାନ୍ତି । ତେବେ ଅଭିଜ୍ଞ କରିଥିବା ଭବିଷ୍ୟବାଣୀ କେତେ ଠିକ୍ ତାହା ଉପରେ ଥରେ ନଜର ପକାନ୍ତୁ ।

ପ୍ରଥମତଃ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ଭାବନା ନେଇ ଯେଉଁ ସଂକେତ ଦେଇଥିଲେ ତାହା ଭୁଲ ପ୍ରମାଣିତ ହୋଇଛି । କାରଣ ନଭେମ୍ବର ୨୦୧୯ରୁ ଏପ୍ରିଲ ୨୦୨୦ ମଧ୍ୟରେ ଯୁଦ୍ଧ ଭଳି କୌଣସି ସ୍ଥିତି ଦେଖିବାକୁ ମିଳିନାହିଁ ।

ସେହିଭଳି ସୁନା ଓ ରୂପାର ଦର ବଜାରର ଚାହିଦା ଓ ସ୍ଥିତିକୁ ପ୍ରତିଦିନ ବଦଳୁଥାଏ । ତେଣୁ ଏଭଳି ଭବିଷ୍ୟବାଣୀ ପଛରେ କୌଣସି ସତ୍ୟତା ନାହିଁ । ଅନ୍ୟପଟେ ଏବେ ଅଶୋଧିତ ତୈଳ ଦର ଲଗାତାର ଭାବେ କମିଚାଲିଛି । ଯାହା ଭବିଷ୍ୟବାଣୀକୁ ଭୂଲ ପ୍ରମାଣିତ କରୁଛି ।

ଅନ୍ୟ ଏକ ଭବିଷ୍ୟବାଣୀ ଅନୁଯାୟୀ, ଆମେରିକା-ଇରାନ ମଧ୍ୟରେ ୯୯ ପ୍ରତିଶତ ଯୁଦ୍ଧ ସମ୍ଭାବନା ।  ହଁ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । କିନ୍ତୁ ଯୁଦ୍ଧ ହୋଇନାହିଁ । ଏହି ଭିଡ଼ିଓ ଯେଉଁ ସମୟରେ ଅପଲୋଡ କରାଯାଇଛି ସେ ସମୟରେ ମଧ୍ୟ ଆମେରିକା-ଇରାନ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା ।

ହଁ କରୋନା ମହାମାରୀ ପାଇଁ ପୂରା ବିଶ୍ୱର ଅର୍ଥବ୍ୟବସ୍ଥା ଓ ସେୟାର ବଜାର ପ୍ରଭାବିତ ହୋଇଛି । କିନ୍ତୁ ଅଭିଜ୍ଞଙ୍କ ଭବିଷ୍ୟବାଣୀ ସହ ଯେ, ଏହାର ସମ୍ପର୍କ ରହିଛି ତାହା ଭାବିବା ଭୁଲ । କାରଣ ଅଭିଜ୍ଞଙ୍କ ଉପରୋକ୍ତ ୩ ଭବିଷ୍ୟବାଣୀ ଯାହା ସମ୍ପୂର୍ଣ୍ଣ ଭାବେ ଭୂଲ ସାବ୍ୟସ୍ତ ହୋଇଛି ।  ଏହାପୂର୍ବରୁ ମଧ୍ୟ ଅନେକ ଭବିଷ୍ୟବାଣୀକୁ ନେଇ ବିଶ୍ୱରେ ଚର୍ଚ୍ଚା ହୋଇଛି । କେତେବେଳେ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ ତ ପୁଣି କେତେବେଳେ ୨୦୧୨ରେ ବିଶ୍ୱ ଧ୍ୱଂସ ହେବାର ଖବର । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ମାନବଜାତି ବଡ ବଡ ମହାମାରୀ ବିପକ୍ଷରେ ଲଢେଇ କରି ପୁଣିଥରେ ଆଗକୁ ବଢିଛି । ତେଣୁ ଏଭଳି ସମୟରେ ଭବିଷ୍ୟତବାଣୀ ନୁହେଁ ବରଂ ବିଜ୍ଞାନ ଉପରେ ବିଶ୍ୱାସ ରଖି ଆଗକୁ ବଢିବାର ଆବଶ୍ୟକତା ରହିଛି ।