କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଦେଶରେ କାହାରି ମୃତ୍ୟୁ ହୋଇନଥିବା କହିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ସଂସଦରେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ରାଜ୍ୟଗୁଡିକ ଦେଇଥିବା ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ଏଭଳି ଉତ୍ତର ରଖିଥିବା ଦାବି କରୁଛି ବିଜେପି । ଅର୍ଥାତ ରାଜ୍ୟ ସରକାରଗୁଡିକ କେନ୍ଦ୍ରକୁ ଏଭଳି ରିପୋର୍ଟ ଦେଇଛନ୍ତି । ଅକ୍ସିଜେନ ଅଭାବରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ମୋଦୀ ସରକାର ସଂସଦରେ ମିଛ କହିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ହେଲେ ଗତ ଏପ୍ରିଲ-ମେ’ରେ ବିଭିନ୍ନ ହସ୍ପିଟାଲରୁ ଆସିଥିବା ମୃତ୍ୟୁ ଖବର ଏବେ କେନ୍ଦ୍ର ସରକାରଙ୍କ ମିଛ ପଦାରେ ପକାଇ ଦେଇଛି ।
- ମେ ୧ ତାରିଖରେ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୧୨ ଜଣଙ୍କ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
- ବାତ୍ରା ହସ୍ପିଟାଲରେ ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
- ଗୋଆରେ ମେ ୧୧ରୁ ୧୫ ଭିତରେ ୮୩ ରୋଗୀଙ୍କ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ହୋଇଥିଲା
- ମେ ୧୧ରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଥିଲେ ରାତି ୨ରୁ ସକାଳ ୬ ମଧ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି
- କର୍ଣ୍ଣାଟକରେ ମେ ୨ ଓ ୩ ତାରିଖରେ ଅକ୍ସିଜେନ ସ୍ତର କମିଯିବାରୁ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
- କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅନୁଯାୟୀ ରାଜ୍ୟରେ ୩୬ ଜଣଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି
- ଆନ୍ଧ୍ରରେ ୪୫ ଜଣଙ୍କ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଅଭିଯୋଗ ହୋଇଥିବାବେଳେ ୨୩ ଜଣଙ୍କ ମୃତ୍ୟୁକୁ ହାଇକୋର୍ଟରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର
- ହରିୟାଣାରେ ଏପ୍ରିଲ ୫ରୁ ମେ ୧ ମଧ୍ୟରେ ୧୯ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି