ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ: ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କଲା କ୍ରିକେଟ ଅଷ୍ଟ୍ରେଲିଆ; ବିସିସିଆଇକୁ ମାଗିଲା କ୍ଷମା

ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା

1,446

କନକ ବ୍ୟୁରୋ: ସିଡନୀ ଟେଷ୍ଟରୁ ଆସିଛି କ୍ରିକେଟ ପାଇଁ ଲଜ୍ଜାଜନକ ଘଟଣା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଏବେ ଚର୍ଚା ସୃଷ୍ଟି କରିଛି । ଗତକାଲି ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ବନିଥିଲେ । କ୍ୟାପଟେନ୍ ରାହାଣେଙ୍କୁ ଏହା ଜଣାଇବା ପରେ ଫିଲ୍ଡ ଅମ୍ପାୟାରଙ୍କ ନଜରକୁ ଅଣାଯାଇଥିଲା ଘଟଣା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ବାହାର କରିଦିଆଯାଇଥିଲା । ତେବେ ଭାରତୀୟ ଟିମ ଏନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ନିକଟରେ ଅଭିଯୋଗ କରିଛି । ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ରଖିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ପୋଲିସ ତଦନ୍ତ କରି ଘଟଣାରେ ଦୋଷୀ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି । ସେହିପରି ଏହି ଘଟଣା ପରେ ପରେ ବିସିସିଆଇ ନିକଟରେ କ୍ଷମା ପ୍ରାର୍ଥନା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ବହୁ ବର୍ଷ ପରେ କ୍ରିକେଟରେ ଏପରି ଜାତିଆଣ ଆକ୍ଷେପ ଆସିବା ପରେ ବରିଷ୍ଠ କ୍ରିକେଟର ଏହାକୁ ଗଭୀର ସମାଲୋଚନା କରିଛନ୍ତି ।