ଯୁବକ କରୁଥିଲା ଆତ୍ମହତ୍ୟାର ଫେସବୁକ୍ ଲାଇଭ । ଫେସବୁକର ମୁଖ୍ୟାଳୟ ଆୟର୍ଲାଣ୍ଡ ଏଚକ୍ୟୁ ମୁମ୍ବାଇ ସାଇବର ପୋଲିସକୁ ଦେଲା ସୂଚନା । ୫୦ ମିନିଟ୍ ମଧ୍ୟରେ ଉଦ୍ଧାର କଲା ଧୁଲେ ପୋଲିସ

165

କନକ ବ୍ୟୁରୋ : ଆଜିକା ସମୟରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଲୋକଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ସୋସିଆଲ ମିଡିଆ ଲୋକଙ୍କ ପାଖରେ ଦେଶ ବିଦେଶର ଖବର ଠାରୁ ପ୍ରିୟ ପରିଜନଙ୍କ ପର୍ଯ୍ୟନ୍ତ ପହଂଚାଇବାରେ ସହଯୋଗ କରୁଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଲୋକର ଜୀବନ ବଂଚାଇଛି ଫେସବୁକ । ସୂଚନା ମୁତାବକ ଆୟର୍ଲାଣ୍ଡର ଫେସବୁକ୍ ହେଡ କ୍ବାଟର୍ସ ମହାରାଷ୍ଟ୍ରର ଧୁଲେଇ ଅଞ୍ଚଳରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇଛି । ହେଲେ ଏହା କିଭଳି ସମ୍ଭବ ହୋଇପାରିଲା ଆସନ୍ତୁ ଜାଣିବା ।
ମହାରାଷ୍ଟ୍ର ଧୁଲେ ଅଞ୍ଚଳର ଜଣେ ୨୩ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ତାହାକୁ ଫେସବୁକ୍ ଲାଇଭ୍ କରୁଥିଲେ । ଏହି ଫେସବୁକ୍ ଲାଇଭରେ ଦେଖିବାକୁ ମିଳିଥିଲା କି ଯୁବକ ଜଣକ ଏକ ଧାରୁଆ ଅସ୍ତ୍ର ସହାୟତାରେ ନିଜର ଗଳାକାଟିବାକୁ ଚେଷ୍ଟା କରୁଥିଲେ । ଏନେଇ ଆୟର୍ଲାଣ୍ଡର ଫେସବୁକ୍ ଏଚକ୍ୟୁ ଏହାକୁ ଦେଖି ମୁମ୍ବାଇର ସାଇବର ଥାନାକୁ ସୂଚନା ଦେଇଥିଲା । ସକାଳ ୮.୩୦ ମିନିଟରେ ମୁମ୍ବାଇ ପୋଲିସ ସୂଚନା ପାଇବା ପରେ ସେ ସଂଗେ ସଂଗେ ଏହି ସୂଚନା ଓ ଲୋକେସନକୁ ଧୁଲେ ପୋଲିସକୁ ଜଣାଇଥିଲେ । ଧୁଲେ ପୋଲିସ ୯ଟା ସୁଦ୍ଧା ସେଠାରେ ପହଂଚିଯାଇଥଲା । ସେଠାରେ ପହଂଚିବା ପରେ ଦେଖିବାକୁ ମିଳିଥିଲା କି ଯୁବକ ଜଣକ ନିଜ ଗଳାର କିଛି ଅଂଶ କାଟିବା ପରେ ବେହୋସ ହୋଇ ଘର ଭିତରେ ପଡି ରହିଥିଲେ । ପୋଲିସ ସଂଗେ ସଂଗେ ତାଙ୍କୁ ମେଡିକାଲକୁ ପଠାଇଥିଲା ଓ ସେଠାରେ ଯୁବକ ଜଣଙ୍କର ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ ।

ଯୁବକ ଜଣକ ସୁସ୍ଥ ହୋଇ ଘରକୁ ଯିବା ପୂର୍ବରୁ ମହାରାଷ୍ଟ୍ର ଧୁଲେର ଏସପି ଚିନ୍ମୟ ପଣ୍ଡିତ ତାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । ସେଠାରେ ଶ୍ରୀ ପଣ୍ଡିତ ତାଙ୍କ ସହ କଥା ହେବା ପରେ ଯାହା କହିଛନ୍ତି ତାହା ଏହି ଭଳି ଯୁବକ ଜଣଙ୍କର ମା ଧୁଲେ ଥାନାରେ ଜଣେ ମହିଳା ଗୃହରକ୍ଷୀ ଭାବେ କାର୍ଯ୍ୟରତ ଓ ତାଙ୍କ ପିତା ମାଲେଗାଁଓ ଅଞ୍ଚଳରେ ଜଣେ କୃଷକ ଅଟନ୍ତି । ଯୁବକ ଜଣକ ଏକ ଘରୋଇ ଫାର୍ମରେ କାମ କରୁଛନ୍ତି । କୌଣସି ଏକ କାରଣକୁ ନେଇ ସେ ମାନସିକ ଅବସାଦ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ଏସପି ଶ୍ରୀ ଚିନ୍ମୟ ପଣ୍ଡିତ କହିଛନ୍ତି କି ଯୁବକ ଜଣକୁ ବୂୁଝାସୁଝା କରିବା ପରେ ସେ ପ୍ରତିଶୃତି ଦେଇଛନ୍ତି କି ସେ କେବେବି ଆଉ ଏଭଳି ଉଦ୍ୟମ କରିବେ ନାହିଁ ।