ବିଶ୍ୱର ସବୁଠୁ ବଡ଼ ସୋସିଆଲ ନେଟୱାର୍କ ମଧ୍ୟରେ ଡିଲ୍ । ଫେସବୁକ ଓ ରିଲାଏନ୍ସ ଜିଓ ଭିତରେ ହେଲା ବ୍ୟବସାୟିକ ଚୁକ୍ତି, ଜାଣନ୍ତୁ କ’ଣ ମିଳିବ ଫାଇଦା…

926

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ସୋସିଆଲ ନେଟୱାର୍କ ଫେସବୁକ ଓ ରିଲାଏନ୍ସ ଜିଓ ଭିତରେ ବ୍ୟବସାୟିକ ଡିଲ୍ ହୋଇଛି । ରିଲାଏନ୍ସରେ ୪୩ ହଜାର କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଏହି ଚୁକ୍ତି ଫଳରେ ଦେଶର କୋଟି କୋଟି ଚାଷୀ ଓ ଖୁଚୁରା ବ୍ୟବସାୟୀ ଜିଓମାର୍ଟ ସହ ସିଧାସଳଖ ଯୋଡି ହୋଇପାରିବେ ।

ରିଲାଏନ୍ସ ଜିଓରେ ବଡ ନିବେଶ କରିବ ଫେସବୁକ । ଦୁନିଆର ସବୁଠାରୁ ବଡ ସୋସିଆଲ ନେଟୱର୍କ କମ୍ପାନୀ ଫେସବୁକ, ରିଲାଏନ୍ସ ଜିଓରେ ନିବେଶ କରିବାକୁ ଘୋଷଣା କରିଛି । ୪୩ ହଜାର ୫ଶହ ୭୪ କୋଟି ଟଙ୍କାରେ ଏହି ଚୁକ୍ତି ଚୂଡାନ୍ତ ହୋଇଛି । ଜିଓର ୯ ଦଶମିକ ୯୯ ପ୍ରତିଶତ ଅଂଶଧନ କ୍ରୟ କରିବ ଫେସବୁକ । ଏହି ନିବେଶ ପରେ ରିଲାଏନ୍ସରେ ସବୁଠୁ ବଡ ଅଂଶୀଦାର ହୋଇଯିବ ମାର୍କ ଜୁକରବର୍ଗଙ୍କ ଫେସବୁକ ।

ଏବେ ପଢ଼ନ୍ତୁ କ’ଣ ଏହି ଚୁକ୍ତି
୧- ଭାରତରେ କୌଣସି ଟେଲିଫୋନ୍ କମ୍ପାନୀରେ ଏହା ହେଉଛି ସବୁଠୁ ବଡ ବିଦେଶୀ ପୁଞ୍ଜି ନିବେଶ ।
୨- ରିଲାଏନ୍ସ ଜିଓ ଓ ହ୍ୱାଟ୍ସଆପ ମଧ୍ୟରେ ଭାଗୀଦାରି ହେବ
୩- ଦେଶର କୋଟି କୋଟି ଚାଷୀ ଓ ଖୁଚୁରା ବ୍ୟବସାୟୀ ଜିଓମାର୍ଟ ସହ ସିଧାସଳଖ ଯୋଡି ହୋଇପାରିବେ ।
୪- ଜିଓମାର୍ଟ ଜରିଆରେ ବ୍ୟବସାୟ କରୁଥିବା ଚାଷୀ ଓ ଛୋଟ ବ୍ୟବସାୟୀ, ହ୍ୱାଟ୍ସଆପ ଜରିଆରେ ଟଙ୍କା ନେଣଦେଣ କରିପାରିବେ । ଜିଓମାର୍ଟରେ ଅନଲାଇନ କାରବାର ପାଇଁ ହ୍ୱାଟ୍ସଆପ୍ ପେମେଂଟ ବ୍ୟବହାର ହେବ ।
୫- ଭାରତରେ ସବୁଠୁ ଅଧିକ ଫେସବୁକ ବ୍ୟବହାରକାରୀ ଥିବାବେଳେ ୪୦କୋଟି ଲୋକ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ତେଣୁ ଏହି ଡିଲ୍ ପରେ ଫେସବୁକକୁ ଫାଇଦା ମିଳିବ ।
୬- ଫ୍ଲିିପ୍କାର୍ଟ ଓ ଆମାଜନ ସହ ପ୍ରତିଦ୍ୱନ୍ଦିତା ପାଇଁ ଜିଓମାର୍ଟକୁ ଲଂଚ କରାଯାଇଛି । ତେବେ ସମଗ୍ର ଭାରତରେ ଏହାର ଲଂଚିଂ ବାକି ରହିଛି ।
୭- ଖୁଚୁରା ବ୍ୟବସାୟଙ୍କ ପାଇଁ ୨୦୧୮ରେ ଭାରତରେ ହ୍ୱାଟ୍ସଆପ୍ ବିଜନେସ ଆପ ଲଂଚ କରାଯାଇଥିଲା । ଜିଓ ସହ ଭାଗିଦାରୀ ପରେ ହ୍ୱାଟ୍ସଆପ ବିଜନେସ ଆପ୍ରେ ପରିବର୍ତନ ଆସିବା ସମ୍ଭାବନା ରହିଛି ।
୮- ଏହି ଡିଲ୍ ଯୋଗୁଁ ହ୍ୱାଟ୍ସଆପ ପେମେଂଟ ଜରିଆରେ କମ୍ପାନୀ ଉପକୃତ ହେବା ଆଶା କରାଯାଉଛି ।
୯- ଏହି ଚୁକ୍ତିରୁ ୬କୋଟି ଛୋଟ ବ୍ୟବସାୟୀ, ୧୨କୋଟି ଚାଷୀ, ୩କୋଟି ଖୁଚୁରା ବ୍ୟବସାୟୀଙ୍କୁ ଲାଭ ମିଳିବ ବୋଲି କହିଛି ରିଲାଏନ୍ସ କଂପାନୀ ।

ଏହି ଡିଲ୍ ଦ୍ୱାରା ଦୁଇ କମ୍ପାନୀକୁ କେବଳ ଫାଇଦା ହେବ ତାହା ନୁହେଁ, ଅଧିକ ରୋଜଗାର ମଧ୍ୟ ସୃଷ୍ଟି ହେବ ବୋଲି କହିିଛନ୍ତି ଫେସବୁକ ସିିଇଓ ମାର୍କ ଜୁକରବର୍ଗ । ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି, ଏହି ଡିଲ ଦ୍ୱାରା ଡିଜିଟାଲ ଇଣ୍ଡିଆର ମିଶନ ସଂପୂର୍ଣ୍ଣ ହୋଇ ପାରିବ ।