ଭାରତରେ ଫେସବୁକ୍ ବୁଣୁଛି ବିଷମଞ୍ଜି ! ଘୃଣା ବାଣ୍ଟୁଛି ଫେସବୁକ୍ !

201

କନକ ବ୍ୟୁରୋ : ସୋସିଆଲ ମିଡିଆ ଜାଏଂଟ ଫେସବୁକରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାର କରାଯାଉଥିବା ଭୁଲ ସୂଚନା ଓ ତଥ୍ୟ, ଦେଶରେ କଣ ପ୍ରଭାବ ପକାଇବ, ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଫେସବୁକର ପୂର୍ବତନ ପ୍ରଡକ୍ଟ ମ୍ୟାନେଜର, ସିନେଟର ସବକମିଟିରେ କହିଛନ୍ତି, ଭାରତରେ ଫେସବୁକର ପ୍ରଭାବ ନେଇ ସ୍ୱତନ୍ତ୍ର ଭାବେ ଡକ୍ୟୁମେଂଟ ପ୍ରସ୍ତୁତ ହୋଇଥିଲା, ଏବଂ ଏହାର ବଡ ଧରଣର ପ୍ରଭାବ ପଡିବାର ଆଶଙ୍କା ରହିଛି । ଆମେରିକାର ବହୁଳ ପ୍ରସାରିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏନେଇ ରିପୋର୍ଟ ପ୍ରକାଶ କରିଛି ।

ଫେସବୁକର ପ୍ରଡକ୍ଟ ମ୍ୟାନେଜର ଥିବା ଫ୍ରାନସେସ୍ ହଜେନ୍ ଦୁଇ ସପ୍ତାହ ତଳେ ଆମେରିକା ସିନେଟର ସବକମିଟିରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଶେଷକରି ଆମ ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ସବୁଠାରୁ ଅଧିକ ଫେସବୁକ୍ ଆକାଉଣ୍ଟ ପ୍ରାୟ ୩୪ କୋଟି ଭାରତୀୟ ବ୍ୟବହାର କରୁଥିବାବେଳେ ଏହି ତଥ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ।

ଫ୍ରାନସେସ୍ ହଜେନ ସିନେଟ ସବକମିଟିରେ କହିଛନ୍ତି, ଫେସବୁକର ଆଭ୍ୟନ୍ତରୀଣ ରିପୋର୍ଟ ଚେତାଇ ଦେଇଛି, ଉଦ୍ଦେଶ୍ୟମୂଳକ ଭାବେ ଭୁଲ ସୂଚନା ଦେବା ଦ୍ୱାରା ଏହାର ପ୍ରଭାବ କଣ ହେବ ତାହାକୁ କଳନା କରି ହେବ ନାହିଁ ।

ଭାରତରେ ଫେସବୁକରେ ଉଦ୍ଦେଶ୍ୟମୂଳକ ଭାବେ ଭୁଲ ଏବଂ ମିଛ ସୂଚନା ପୋଷ୍ଟ କରିବା ସମ୍ପର୍କରେ ‘ଫେସବୁକ୍ ପେପର୍ସ’ ନାମକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଂଟରେ, ଶାସକ ଦଳ ପକ୍ଷରୁ ରୋବୋର୍ଟ ଓ ମିଛ ଆକାଉଣ୍ଟ ଖୋଲାଯାଇ, ବ୍ୟାପକ ଭାବରେ, ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ହେଉଛି ବୋଲି ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିଶ୍ୱରେ ସବୁଠାରୁ ଅଧିକ ଭୁଲ ଓ ମିଛ ସୂଚନା ଭାରତରେ ହିଁ ପୋଷ୍ଟ ହେଉଛି ।

ଏହି ରିପୋର୍ଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି, ଉଦ୍ଦେଶ୍ୟମୂଳକ ଭାବେ ମିଛ ଓ ଭୁଲ ସୂଚନା ରୋକିବା ପାଇଁ ଫେସବୁକ୍ ପକ୍ଷରୁ ଯେଉଁ ବ୍ୟବସ୍ଥା ଗ୍ରହଣ କରିବା କଥା ତାହା ହୋଇନାହିଁ । ଏହାର କାରଣ ହେଉଛି, ଭାରତ ପାଇଁ ସେମାନେ ସେହି ପରିମାଣର ବ୍ୟୟବରାଦ କରିନାହାନ୍ତି ।
ସେପଟେ ଏନେଇ ଫେସବୁକର ଜଣେ ଅଧିକାରୀ କହିଛନ୍ତି, ହିଂସା ଉଦ୍ରେକ କରୁଥିବା ଭାଷଣ ବା ହେଟ୍ ସ୍ପିଚ୍ ଖୋଜି ବାହାର କରିବା ପାଇଁ ଫେସବୁକ୍ ପକ୍ଷରୁ ଭଲ ଭାବରେ ପୁଞ୍ଜିନିବେଶ କରାଯାଇଛି । ମୁଖ୍ୟତଃ ହିନ୍ଦୀ ଓ ବଙ୍ଗଳା ଭାଷାରେ କରାଯାଉଥିବା ପୋଷ୍ଟ ଗୁଡିକ ଚିହ୍ନଟ କରି ପଦକ୍ଷେପ ନିଆଯାଉଛି ।