ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର । ଭଏସ୍ କଲ ପାଇଁ ସବୁଠୁ ଭଲ ଆପ୍ ଆଣିଲା କମ୍ପାନୀ, ଭଏସ କଲିଂଠୁ ଗ୍ରୁପ ଭିଡ଼ିଓ କଲ ‘କ୍ୟାଚଅପ୍’ରେ ହେବ ସବୁକିଛି । ଜାଣନ୍ତୁ…ଏହି ସ୍ୱତନ୍ତ୍ର ଆପର ବିଶେଷତ୍ୱ ।

940

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମଧ୍ୟରୁ ଫେସବୁକ୍ ହେଉଛି ଅନ୍ୟତମ । ନିଜର କୋଟି କୋଟି ୟୁଜର୍ସମାନଙ୍କୁ ସବୁବେଳେ ଉତ୍ତମ ସୁବିଧା ଯୋଗାଇବା ପାଇଁ ଫେସବୁକ୍ ପ୍ରୟାସ କରିଥାଏ । ସେଥିପାଇଁ ତ ମେସସେଞ୍ଜର ଆପ୍ ପରେ କମ୍ପାନୀ ଏବେ ନିଜ ୟୁଜର୍ସମାନଙ୍କ ପାଇଁ ଆଣିଛି ଏକ ସ୍ୱତନ୍ତ୍ର ଆପ୍ । ଯେଉଁଥିରେ ଆପଣ ଭଏସ୍ କଲିଂକୁ ନେଇ ଏକ ଅତ୍ୟାଧୁନିକ ଫିଚର୍ସର ଲାଭ ଉଠାଇପାରିବେ ।

ମେସେଞ୍ଜର ତୁଳନାରେ ‘କ୍ୟାଚଅପ୍’ର ବିଶେଷତ୍ୱ କିଛି ଖାସ୍ ରହିଛି । ଏଥିରେ ଆପଣ ୟୁଜର୍ସଙ୍କ ଉପଲବ୍ଧତା ସ୍ଥିତିକୁ ଜାଣିପାରିବେ । ଯାହା ଦ୍ୱାରା କଲ୍ କରୁଥିବା ବ୍ୟକ୍ତି ଜାଣିବେ ଯେ ଆପଣ ସେହି ସମୟରେ ବ୍ୟସ୍ତ ଅଛନ୍ତି ନା ଉପଲବ୍ଧ ଅଛନ୍ତି । କମ୍ପାନୀ ଆହୁରି ମଧ୍ୟ ଦାବି କରିଛି ଯେ, ସାଧାରଣ ଫୋନ୍ କଲରେ ଥିବା ଅସୁବିଧାକୁ ସମାଧାନ କରିବା ପାଇଁ ଏହି ଆପର ପ୍ରସ୍ତୁତ କରାଯାଉଛି । ଯାହାଦ୍ୱାରା ଅନ୍ୟ ଆପ୍ ଭଳି ଗ୍ରୁପ ଭିଡ଼ିଓ କଲିଂର ସବୁଠାରୁ ଉତ୍ତମ ଫିଚର୍ସ ପାଇପାରିବେ ୟ୍ରୁଜର୍ସ ।

ଫେସବୁକ୍ ଏହା ମଧ୍ୟ ସୂଚନା ଦେଇଛି ଯେ ଏହି ଆପର ଅତ୍ୟାଧୁନିକ ଫିଚର୍ସକୁ ନେଇ ଗତ କିିଛି ମାସ ହେବ ଜୋରସୋରରେ ରିସର୍ଚ୍ଚ କରାଯାଉଛି । ସାରା ବିଶ୍ୱରେ କରୋନା ଲଢ଼େଇ ଜାରି ରହିଥିବାବେଳେ ଜରୁରୀକାଳୀନ ଲକଡାଉନ୍ ଯୋଗୁଁ କମ୍ପାନୀ ଏହି ଆପକୁ କମ୍ ସମୟ ମଧ୍ୟରେ ଡେଭଲପ୍ କରିଛି । ଏବଂ କମ୍ପାନୀର ଆଭ୍ୟନ୍ତରୀଣ ‘ଆର ଆଣ୍ଡ ଡି’ ବିଭାଗ ଏହି କ୍ୟାଚଅପ୍ ଆପର ଆବିଷ୍କାର କରିବାରେ ସଫଳତା ହାସଲ କରିଛି ବୋଲି କମ୍ପାନୀ କହିଛି ।

ସବୁଠାରୁ ବଡ଼ କଥା ହେଉଛି କି, ଏହି ଆପ୍ କେବଳ ଆମେରିକାର ୟୁଜର୍ସମାନଙ୍କ ପାଇଁ ଉପଲବ୍ଧ ହୋଇଛି ଏବଂ ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସରେ ଡାଉନଲୋଡ୍ ହୋଇପାରିବ । କମ୍ପାନୀ ବର୍ତ୍ତମାନ ଏହି ଆପ୍ ସମ୍ବନ୍ଧରେ ବ୍ୟବହାରକାରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି । ଯଦି ଏହି ନୂଆ ଅତ୍ୟାଧୁନିକ ଆପ୍ କ୍ୟାଚଅପକୁ ନେଇ ୟୁଜର୍ସଙ୍କ ଭଲ ପ୍ରତିକ୍ରିୟା ମିଳେ ତେବେ ଏହାକୁ ବିଶ୍ୱ ବଜାରରେ ଉପଲବ୍ଧ କରାଇବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି ।