ସାମ୍ନାକୁ ଆସିଲା ଫେସବୁକର ଭିତିରି କଥା: ଛୋଟ ପିଲାଙ୍କ ମସ୍ତିଷ୍କକୁ ପ୍ରଭାବିତ କରିବା ପାଇଁ ଫେସବୁକ ଆଣୁଛି ନୂଆ ଫିଚର

175

କନକ ବ୍ୟୁରୋ: ଆମେରିକା କଂଗ୍ରେସର ନିର୍ବାଚିତ ପ୍ରତିନିଧିଙ୍କ ଆଗରେ, ଫେସବୁକରେ ପ୍ରଡକ୍ଟ ମ୍ୟାନେଜର ଭାବରେ କାମ କରିଥିବା ଏହି ମହିଳା ଯେଉଁ ତଥ୍ୟ ଦେଇଛନ୍ତି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେବ । ଆମେରିକୀୟ ପ୍ରତିନିଧିଙ୍କୁ ଫ୍ରାନସେସ ହଜେନ କହୁଛନ୍ତି- ଛୋଟ ପିଲା ଯେପରି ଫେସବୁକରେ ଲାଖି ହୋଇ ରହିବେ ସେହିଭଳି ରଣନୀତି ତିଆରି କରାଯାଉଛି ଏବଂ ଏହା ଛୋଟ ପିଲାଙ୍କ କୋମଳମତି ମସ୍ତିସ୍କକୁ କ୍ଷତି ପହଂଚାଇବ । ଫେସବୁକରେ ଯେଉଁଭଳି କଂଟେଟକୁ ଆଗକୁ ଅଣାଯାଉଛି ତାହା ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରିବ ଏବଂ ଦେଶର ଗଣତନ୍ତ୍ର ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ । ସେ ଆହୁରି ମଧ୍ୟ କହିଛନ୍ତି ଛୋଟ ପିଲାଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବା ପାଇଁ ଫେସବୁକ ଏକ ହାଇ ପ୍ରୋଫାଇଲ ରିସର୍ଚ ଦ୍ୱାରା ରଣନୀତି ପ୍ରସ୍ତୁତ କରିଛି ।

ସବୁଠାରୁ ଲୋକପ୍ରିୟ ଡିଜିଟାଲ ପ୍ଲାଟଫର୍ମ ଫେସବୁକକୁ ପ୍ରଥମ ଥର ପାଇଁ ଏତେ ବଡ ଝଟକା ଲାଗିଛି । ଫେସବୁକରେ କାମ କରିଥିବା କୌଣସି କର୍ମଚାରୀ ଏହାର ଭିତିରି କାରବାର ବିଷୟରେ ପ୍ରଥମ ଥର ପାଇଁ ଏଭଳି କଥାର ଖୁଲାସା କରିଛନ୍ତି ।

ଆମେରିକା କଂଗ୍ରେସର ସିନେଟ ସବ କମିଟି, ଏହି ମହିଳାଙ୍କୁ ଫେସବୁକର କାରବାର ନେଇ ବିଭିନ୍ନ ପ୍ରଶ୍ନ କରିିଥିଲା । ଏବଂ ମହିଳା ଜଣଙ୍କ ଅତି ନିର୍ଭିକ ଭାବରେ ଫେସବୁକର କାରବାର ସଂପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ଦେଇ ଚାଲିଥିଲେ ।

ସୋମବାର ଦିନ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ସାତ ଘଂଟା ପାଇଁ ବନ୍ଦ ହେବା ପରେ ହଠାତ ଏଭଳି ଏକି ଅଭିଯୋଗ ଚାରିଆଡେ ଚର୍ଚା ସୃଷ୍ଟି କରିଛି । ଫେସବୁକ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ସଂସ୍ଥାର ମୁଖ୍ୟ ମାର୍କ ଜୁକରବର୍ଗ ମୁହଁ ଖୋଲିଛନ୍ତି ।

ଫେସବୁକର ଚିଫ୍ ଏକଜିକ୍ୟୁଟିଭ, ମାର୍କ ଜୁକରବର୍ଗ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଛୋଟ ପିଲାଙ୍କୁ କ୍ଷତି ପହଂଚାଇବା ଭଳି କଂଟେଟକୁ ଫେସବୁକ ପ୍ରୋମୋଟ କରେ ନାହିଁ ବୋଲି କହିଛନ୍ତି । ମହିଳାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଠିକ୍ ନୁହେଁ ବୋଲି କହିଥିଲେ ମାର୍କ ଜୁକରବର୍ଗ । ଏ ନେଇ ସେ ନିଜ ଫେସବୁକ ଆକାଉନଟରେ ଏକ ସ୍ପଷ୍ଟୀକରଣ ଲେଖିଥିଲେ ।