କନକ ବ୍ୟୁରୋ : ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଟି ଘଟଣାମାନ ଜାଣିବା ଓ ଜଣାଇବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । କହିବାକୁ ଗଲେ, ଗଣମାଧ୍ୟମ ପ୍ରତିନିଧି ଭାବେ ଅନେକ ସମୟରେ ଭଲ ଖବର ଫେସବୁକ, ଟ୍ୱିଟର ଭଳି ସୋସିଆଲ ସାଇଟରୁ ମିଳିଥାଏ । ହେଲେ ଧୀରେ ଧୀରେ ଏହାର ଦୁରୁପଯୋଗ କିଛି ଏଭଳି ଘଟିଲାଣି ଯେ, ବଂଚିଥିବା ଲୋକଙ୍କୁ ମାରିଦେବାକୁ ଆମେ ପଛାଉନାହୁଁ । କେଉଁଠୁ ଏକ ଉଡା ଖବର ଶୁଣି ଆମେ ଲୋକଙ୍କୁ ଫେସବୁକରେ ମାରିଦେଉଛୁ, ଆଉ କିଛି ନବୁଝି ଲୋକମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ପଛଉନାହାନ୍ତି । ଏହାର ଆବଶ୍ୟକତା କଣ? କୋଟି କୋଟି ଲୋକ ବ୍ୟବହାର କରୁଥିବା ଏହି ସୋସିଆଲ ସାଇଟରେ କୈାଣସି ପୋଷ୍ଟ କରିବା ଆଗରୁ ଆମେ ଯଥେଷ୍ଟ ସଚେତନ ରହିବା ସହ ଏହାର ପ୍ରଭାବ କଣ ରହିବ ତାର ମଧ୍ୟ ଆକଳନ କରିବାର ଆବଶ୍ୟକତା ରହିଛି ।
publive-image

Advertisment

ହଠାତ୍ ଗତକାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ଏକ ଫେସବୁକ ପୋଷ୍ଟରେ କୁହାଗଲା, ଓଲିଉଡର ବିଶିଷ୍ଟ ହାସ୍ୟାଭିନେତା ଜୟୀରାମ ସାମଲଙ୍କ ଦେହାନ୍ତ ହୋଇଯାଇଛି । ସୁଦୀପ୍ତ ସାହୁ ନାମକ ଜଣେ ଫେସବୁକ ଆକାଉଂଟଧାରୀ ଫେସବୁକ ନ୍ୟୁଜ ସର୍ଭିସରେ କରିଥିବା ଏହି ପୋଷ୍ଟ ଆଖି ପିଛୁଳାକେ ଅନେକଙ୍କୁ ହତବାକ୍ କରିଦେଇଥିଲା । ଏମିତି କେହି ଜଣେ ଓଡିଆ ବା ଓଲିଉଡକୁ ଭଲ ପାଉଥିବା ବ୍ୟକ୍ତି ନଥିବେ ଯିଏ, ଜୟୀଙ୍କ ହସ ଆଉ କମେଡିକୁ ଭଲପାଉନଥିବେ । ତେଣୁ ଫେସବୁକର ଏହି ପୋଷ୍ଟ ସମସ୍ତଙ୍କ ମନରେ ଦୁଃଖ ଭରିଦେଇଥିଲା । ଆଉ ଏହି ପୋଷ୍ଟ ତଳେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଗଲା । ଗଣମାଧ୍ୟମ ପ୍ରତିନିଧି ଭାବେ ଆମେ ଫୋନ ଘୁରାଇଲୁ, ଏତେବଡ ଖବର ଘଟିଗଲା, କିନ୍ତୁ ଆମ ପ୍ରତିନିଧି ଜାଣିଲେ ନାହିଁ କେମିତି? କିଛି ସମୟ ପାଇଁ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ପ୍ରତିନିଧିଙ୍କୁ ଜଣାଇ ଆମେ କିଭଳି ଖବରକୁ ନେଇ ଅନ୍ୟମାନଙ୍କ ଠାରୁ ଆଗରେ ରହିବୁ, ତାର ପ୍ରକ୍ରିୟା ଆରମ୍ଭ କରିଦେଲୁ । ଜାଣିଥିବା ଓଲିଉଡର କିଛୀ କଳାକାରଙ୍କ ଆରମ୍ଭ କରିଥିଲୁ ଯୋଗାଯୋଗ । ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ୟ ହେଲା, ଆଉ କହିଲ ମୁଁ ତ ଜାଣିନି । ବୁଝିକି କହୁଛି । ଆଉ ଏହାର କେଇ ମିନିଟ ପରେ ଜଣାପଡିଲା ଏହି ଖବର ପୁରା ମିଛ । ଜୟୀରାମ ସାମଲ ସଂପୁର୍ଣ୍ଣ ସୁସ୍ଥ ଅଛନ୍ତି । ଖବର ଶୁଣି ମନ ସଂପୁର୍ଣ୍ଣ ଆଶ୍ୱସ୍ତ ହେଲା, ଆଉ ମନ ବିଚଳିତ ହେଲା ଜଣେ ବଂଚିଥିବା ଲୋକଙ୍କୁ ଯେଉଁଭଳି ଭାବେ ଫେସବୁକରେ ମାରି ଦିଆଗଲା ।

ମୁଳପ୍ରଶ୍ନ ହେଉଛି, ଏହାର ଆବଶ୍ୟକତା କଣ ଥିଲା । ଯେଉଁ ବ୍ୟକ୍ତିଜଣଙ୍କ ଏଭଳି ମିଛ ଖବର ଫେସବୁକରେ ପୋଷ୍ଟ କରିଥିଲେ, ତାଙ୍କର ଉଦ୍ଦେଶ୍ୟ କଣ ସାଧିତ ହେଲା? କାହାଠାରୁ ଶୁଣିଦେଇ ଏଭଳି ପୋଷ୍ଟ କରିବାର ପ୍ରଭାବ କଣ ହେବ, ତାକୁ ନେଇ ବୋଧେ ସେ କଳ୍ପନା ବି କରିନଥିବେ । କିନ୍ତୁ ତାଙ୍କର ଗୋଟିଏ ପୋଷ୍ଟ ଯେ, ଜୟୀରାମଙ୍କ ମନକୁ କେତେ ପୀଡା ଦେଇଥିବ ଆଉ ଏହି ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମନରେ କେତେ ଆଘତ ଲାଗିଥିବ, ତାହା ଏହି ଫେକ ପୋଷ୍ଟ କରିଥିବା ବ୍ୟକ୍ତି କଦାପି ବୁଝିପାରିବେ ନାହିଁ । ଯଦି ବୁଝିଥାନ୍ତେ ତେବେ ଗୋଟିଏ ପୋଷ୍ଟ କରିବା ଆଗରୁ ଅନକ ଦିଗରୁ ଚିନ୍ତା କରିଥାନ୍ତେ । ଫେସବୁକରେ ଏହାକୁ ଗୋଟିଏ ଉଦାହରଣ ଭାବେ ଦେଖାଯାଇପାରେ, ହେଲେ ଫିଦିନ ଏହି ଫେକ ପୋଷ୍ଟର ତାଲିକା ଲମ୍ବା । ଯିଏ ଯାହା ପାରିଲା ଲେଖୀଲା, ଯିଏ ଯାହାକୁ ପାରିଲା ଗାଳିଗଲା, ଯିଏ ଯାହାର ଚାହିଁଲା ଚରିତ୍ର ସଂହାର କଲା । ଏହା ହେଉଛି ଆଜିର ଦିନରେ ସୋସିଆଲ ମିଡିଆର ଚେହେରା । ସମୟ ସହ ତାଳଦେଇ ଯେତେବେଳେ ସବୁ କିଛି ବଦଳୁଛି, ସେତେବେଳେ ସୋସିଆଲ ମିଡିଆ ପଛରେ ବା ରହିବ କାହିଁକି? ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ଦିଗ ଯାଏଁ, ମାଳ ମାଳ ଫେକ ପୋଷ୍ଟ ଆଜିର ଦିନରେ ଲୋକଙ୍କ ବିବ୍ରତ କରୁଛି, ଆଉ ଜଣେ ଦ୍ୱନ୍ଦ୍ୱ ଭିତରକୁ ଆସୁଛି ଯେ, କାହାକୁ ବିଶ୍ୱାସ କରିବ ଆଉ କାହାକୁ ନୁହେଁ ।

ଫେସବୁକରେ ଜୟୀରାମ ସାମଲଙ୍କ ବାବଦରେ ଏହି ପୋଷ୍ଟ କିଛି ଜଣଙ୍କୁ ବ୍ୟସ୍ତ କରିଥିଲା, ଯେଉଁମାନେ ଘଟଣା ବାବଦରେ ଜାଣିବାକୁ ଚାହୁଁଥିଲେ, କିଏ ଜୟୀରାମ ସାମଲଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲା ତ ଆଉ କିଏ ଏହାକୁ ଫେକ ନ୍ୟୁଜ କହି ସତ ଖବରକୁ ସାମ୍ନାକୁ ଆଣିଥିଲା । ଏଥିଲା ଗତ ୧୨ ଘଂଟାର ଘଟଣାକ୍ରମ ।


ଆଉ ଏହାରି ଭିତରେ ଜୟୀରାମ ସାମଲଙ୍କୁ ଆସିଥିଲା ଅନେକ ଫୋନକଲ, ଯେଉଁଥିରେ ସେ ନିଜେ ଜୀବିତ ଥିବା କଥାକୁ ବାରମ୍ବାର ଦୋହରାଇ ଥିଲେ । ଏଭଳି ଅପପ୍ରଚାର ପାଇଁ ସେ କିଭଳି ଅସୁବିଧାର ସାମ୍ନା କରିଥିଲେ, ଆଉ ଶୀତ ରାତିରେ କିଭଳି ଅନେକ ପ୍ରଶଂସକ ତାଙ୍କ ଘରକୁ ଧାଇଁଥିଲେ, ସେକଥା ମଧ୍ୟ ଏହି କମେଡି କିଙ୍ଗ ଉଲ୍ଲେଖ କରିଛନ୍ତି । ଏକଥା କହିବାର ଉଦ୍ଦେଶ୍ୟ ହେଲା, ଯେତେବେଳେ ଆମେ ଜଣେ ଖ୍ୟାତି ସଂପନ୍ନ ଆଉ ଲୋକପ୍ରିୟ ବ୍ୟକ୍ତିଙ୍କ ବାବଦରେ କିଛି ମତ ରଖୁଛେ, ତାକୁ ସବୁଦିଗରୁ ଭାବିଚିନ୍ତି ଓ ବୁଝିବିଚାରି ରଖିଲେ ବେଶ ଭଲହୁଅନ୍ତା ।

ସୋସିଆଲ ମିଡିଆରେ ଖବର ବ୍ରେକ୍ କରିବା ଚକ୍କରରେ ଏଭଳି ଘଟଣାମାନ ବାରମ୍ବାର ଦେଖିବାକୁ ମିଳୁଛି । ଗଣମାଧ୍ୟମରେ ଯେଉଁଭଳି ପ୍ରତିଯୋଗୀତା ଚାଲୁଛି, ଠିକ ସେଭଳି ଏକ ଅଲିଖିତ ପ୍ରତିଯୋଗୀତା ଆଜିର ଦିନରେ ଡିଜିଟାଲ ମିଡିଆକୁ ଆଖି ଆଗରେ ରଖି ସୋସିଆଲ ସାଇଟରେ ଚାଲିଛି । ନିକଟ ଅତୀତର କିଛି ଘଟଣାକୁ ନଜର ପକାଇଲେ ଏହା ବେଶ ଭଲଭାବେ ବୁଝିହେବ । ସୋସିଆଲ ମିଡିଆ ଓ ଇନଷ୍ଟାଂଟ ମେସେଜିଂ ଜରିଆରେ ଗୋଟିଏ ମିଛ ପ୍ରଚାରିତ ହେବାକୁ ଏବେ ମାତ୍ର କେଇ ସେକେଣ୍ଡ ଲାଗୁଛି । ଗୋଟିଏ ଫେସବୁକରୁ ଆଉ ଗୋଟିଏ ଫେସବୁକ, ଗୋଟିଏ ହ୍ୱାଟସଆପ ଗ୍ରୁପରୁ ଆଉ ଗୋଟିଏ ଗ୍ରୁପକୁ ଆଖି ପିଛୁଳାକେ ଖବର ପ୍ରସାରିତ ହେଉଛି । ମୋଟରେ କହିବାକୁ ଗଲେ ଗଣମାଧ୍ୟମର ମୁଖ୍ୟସ୍ରୋତର ପ୍ରଭାବ ତୁଳନାରେ ସୋସିଆଲ ମିଡିଆର ପ୍ରଭାବ ବେଶ ଅଧିକା ବାରି ହୋଇଗଲାଣି । ଖାସ କରି ଲୋକପ୍ରିୟ ଚେହେରାଙ୍କୁ ନେଇ ଅନେକ ମିଛ ଖବର ଏବେ ଫେସବୁକ ଆଉ ଟ୍ୱିଟରରେ ପ୍ରଭାବ ବିସ୍ତାର କଲାଣି ।

publive-imageକିଛି ମାସ ଆଗରୁ ବାବା ରାମଦେବଙ୍କ ଦେହାନ୍ତ ହୋଇଥିବା ନେଇ ଏକ ଫଟୋ ଭାଇରାଲ ହେବାରେ ଲାଗିଲା । ଯେଉଁଥିରେ କୁଗାଲା, ଦୁର୍ଘଟଣାରେ ଯୋଗଗୁରୁଙ୍କ ଦେହାନ୍ତ ହୋଇଯାଇଛି । ଖବର ଆଖି ପିଛୁଳାକେ ଭାଇରାଲ ହେବାରେ ଲାଗିଲା, ଲୋକ ଶୋକ ପ୍ରକାଶ କଲେ, କାରଣ ଦେଶ ବିଦେଶରେ ବାବାଙ୍କ କୋଟି କୋଟି ଅନୁଗାମୀ ରହିଛନ୍ତି । ହେଲେ ପରେ ଜଣାପଡିଲା, ଏହା ଏକ ଫେକ ନ୍ୟୁଜ । ଯେଉଁ ଫଟୋ ବ୍ୟବହାର କରାଯାଇଥିଲା, ତାହା ଭିନ୍ନ ସମୟର । ୨୦୧୧ରେ ଯେତେବେଳେ ବାବା ରାମଦେବ ଆମରଣ ଅନଶନରେ ବସିଥିଲେ, ସେତେବେଳେ ବାବାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଷ୍ଟ୍ରେଚର ଜରିଆରେ ଡାକ୍ତରଖାନା ନିଆଯାଇଥିଲା । ବିହାରରେ ଘଟିଥିବା ଏକ ଦୁର୍ଘଟଣାର ଫଟୋ ଆଉ ବାବା ରାମଦେବଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ଫଟୋକୁ ବ୍ୟବହାର କରି ବାବାଙ୍କୁ ସୋସିଆଲ ମିଡିଆରେ ମାରି ଦିଆଯାଇଥିଲା ।

publive-imageଲୋକପ୍ରିୟ ଅଭିନେତା ରାଜପାଲ ଯାଦବଙ୍କୁ ମଧ୍ୟ କିଛି ବର୍ଷ ଆଗରୁ ସୋସିଆଲ ମିଡିଆରେ ମାରିଦିଆଯାଇଥିଲା । ଫୋଟୋସପର କମାଲ ହେଉ ଅବା ଲ୍ୟାଟେଷ୍ଟ ଟେକ୍ନୋଲୋଜୀ ଜରିଆରେ କିଛି ଦୁର୍ବୃତ୍ତ ରାଜପାଲ ଯାଦବଙ୍କ ଏଭଳି ଏକ ଫୋଟୋ ତିଆରି କରିବାରେ ସମର୍ଥ ହୋଇଥିଲେ, ଯେଉଁଥିରେ ତାଙ୍କର ମତ୍ୟୁ ହୋଇଥିବା ଦର୍ଶାଯାଇଥିଲା । ଏହା ମଧ୍ୟ ସଂପୁର୍ଣ୍ଣ ମିଛ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ରାଜପାଲ ଏନେଇ ଥାନାରେ ଅଭିଯୋଗ କରିଥିଲେ ଏବଂ ଏଭଳି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅପିଲ ମଧ୍ୟ କରିଥିଲେ । ଜନ ସିନା, ଲୋକପ୍ରିୟ ତାରକା ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା, ଏହା ମଧ୍ୟ ସଂପୁର୍ଣ୍ଣ ମିଛ ଥିଲା । ଗାୟକ ହନି ସିଂ, ଅଭିନେତା ଅମିତାଭ ବଚ୍ଚନଙ୍କ ଦେହାନ୍ତ ଖବର ମଧ୍ୟ କିଛ ଦିନ ତଳେ ଫେସବୁକରେ ବହୁଳ ଭାବେ ପ୍ରସାରିତ ହୋଇଥିଲା । ଦିନକୁ ଦିନ ଏହି ତାଲିକା ଲମ୍ବୁଛି, ଯେଉଁଠି ଜଣାଶୁଣା ଚେହେରାଙ୍କ ବିରୋଧରେ ମିଛ ଖବର ପ୍ରଚାରିତ କରାଯାଉଛି । ରାଜନୀତିରେ ମଧ୍ୟ ଏହାର ପ୍ରଭାବ ବେଶ ଅନୁଭୁତ । ମୁଖ୍ୟ ରାଜନୈତିକ ଦଳଙ୍କର ସାଇବର୍ ଆର୍ମି ଏଥିରେ ବେଶ ସକ୍ରିୟ । କିଭଳି ପ୍ରତିପକ୍ଷଙ୍କୁ ମାତ ଦେବାକୁ ମିଛ ପ୍ରଚାର କରାଯାଇ ପାରି, ସେଥିପାଇଁ ନୁଆ ନୁଆ କୈାଶଳ ମଧ୍ୟ ଅବଲମ୍ବନ କରାଯାଉଛି । ଗୁଜୁରାଟରେ ହେବାକୁ ଥିବା ନିର୍ବାଚନ ଆଗରୁ ଏହାର ବେଶ ବ୍ୟବହାର ମଧ୍ୟ କରାଯାଉଛି ।
publive-image

ଖାଲି ଏତିକି ନୁହେଁ, ଫେକ ମେସେଜ୍ ମଧ୍ୟ ଅନେକ ସମୟରେ କିଛି ଲୋକଙ୍କର ଜୀବନ ନେଇଯାଉଛି । ନିକଟରେ ଝାରଖଣ୍ଡରେ ହୋଇଥିବା ଦୁଇଟି ସଂଘର୍ଷରେ ସାତ ଜଣ ଲୋକ ପ୍ରାଣ ହରାଇଥିଲେ, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯେଉଁମାନଙ୍କର ପ୍ରାଣ ଯାଇଥିଲା, ସେମାନେ ପିଲା ଚୋରଉଥିବାର ଅଭିଯୋଗ ଆସିଥିଲା । ଗୋଟିଏ ହ୍ୱାଟସଆପ ମେସେଜରେ କୁହାଯାଇଥିଲା, ସତର୍କ ରୁହ ପିଲାଚୋର ମାତିଛନ୍ତି । ଅଜଣା ଲୋକଙ୍କ ଠାରୁ ବଂଚିକରି ରୁହନ୍ତୁ । ଫଳରେ ଲୋକେ ଅଜଣା ଲୋକଙ୍କୁ ଦେଖି ପିଲା ଚୋର ଭାବିଲେ ଆଉ ପିଟି ପିଟି ଜୀବନ ନେଇଗଲେ । ଏହା ଥିଲା ଏକ ଭାଇରାଲ ମେସେଜର କରୁଣ ପରିଣତି । ହୁଏତ େସେଜ ଭାଇରାଲ କରିଥିବା ବ୍ୟଖ୍ତି ଏବାବଦରେ ଚିନ୍ତା ମଧ୍ୟ କରିନଥିବ, କିନ୍ତୁ ଏହି ମେସେଜ ସାତ ଜଣଙ୍କର କିନ୍ତୁ ଜୀବନ ନେଇଗଲା । ଦେଶରେ ପାଖାପାଖି ୧୦୦ କୋଟି ଲୋକ ମୋବାଇଲ ସଂଯୋଗ ରହିଛି । ତେଣୁ ଆଖି ପିଛୁଳାକେ ଗୋଟିଏ ମେସେଜ ଭାଇରାଲ ହେଉଛି । ଖାସ କରି ଗ୍ରାମାଂଚଳରେ ଯେଉଁମାନେ ମୋବାଇଲ ବ୍ୟବହାର କରୁଛନ୍ତି, ସେମାନେ ଜାଣିବାରେ ଅସମର୍ଥ କେଉଁ ଖବର ସତ ଆଉ କେଉଁ ଖବର ମିଛ ।

publive-imageସେହିଭଳି ଫେସବୁକ ଆଉ ହ୍ୱାଟସଆପର ଆଉ କିଛି ଭାଇରାଲ ମେସେଜ ଉପରେ ନଜର ପକାନ୍ତୁ, ଯାହା ସଂପୁର୍ଣ୍ଣ ମିଛ ଥିଲା କି୍ତୁ ପ୍ରଭାବ ଅନୁଭୁତ ହୋଇଥିଲା । ଗୋଟିଏ ଫେକପୋଷ୍ଟରେ କିଛି ଦିନ ଆଗରୁ କୁହାଯାଇଥିଲା, ଯେଉଁଦିନ ଭଗତ ସିଂଙ୍କୁ ଫାଶୀ ଦିଆଯାଇଥିଲା, ସେହିଦିନକୁ ଭାଲେଂଟାଇନସ ଦିବସ ଭାବେ ପାଳନ କରାଯାଉଛି । ହେଲେ ଏହା ସଂପୁର୍ଣ୍ଣ ମିଛ ଥିଲା । ଭଗତ ସିଂଙ୍କ ଶହୀଦ ଦିବସର ୨୩ ମାର୍ଚ୍ଚ ହୋଇଥିବା ବେଳେ ଭାଲେଂଟାଇନସ ଡେ ଫେବୃୟାରୀ ୧୪ରେ ପାଳନ ହେଉଛି । ଉଭୟ ଦିବସ ମଧ୍ୟରେ କୈାଣସି ପ୍ରକାରରେ ସାମଂଜସ୍ୟ ନାହିଁ, ତଥାପି ଏହାର ତୁଳନାତ୍ମକ ଚିତ୍ର ରଖି ଏକ ବିଦ୍ୱେଷ ଭାବ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା କହିଲେ ଭୁଲ ହେବ ନାହିଁ । ସେହିଭଳି ଆଉ ଏକ ପୋଷ୍ଟ ଥିଲା, ଜନ ଗଣ ମନକୁ ୟୁନେସ୍କୋ ଶ୍ରେଷ୍ଠ ଜାତୀୟ ସଂଗୀତ ଭାବେ ଘୋଷଣା କରିଛି । ଜାତୀୟତାବାଦରେ ବିଶ୍ୱାସ କରୁଥିବା ବ୍ୟକ୍ତି ଏହାର ସତ୍ୟତା ପରୀକ୍ଷା କରିବା ବଦଳରେ ଏହି ବାର୍ତ୍ତାକୁ ପ୍ରଚାରିତ କରିବାରେ ଲାଗିଲେ । ବ୍ରେକଜିଟ ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଫେକ ନ୍ୟୁଜର ମାତ୍ରା ମଧ୍ୟ ସର୍ବାଧିକ ଥିଲା ।
ତେବେ କାହିଁକି ଏଭଳି ଫେକ ନ୍ୟୁଜର ମାତ୍ରା ବଢିବାରେ ଲାଗିଛ, ଏଥିରେ ଲାଭ କାହାର ହେଉଛି? ଯେଉଁମାନେ ଏଭଳି ଫେକ ନ୍ୟୁଜକୁ ପ୍ରଶ୍ରୟ ଦେଉଛନ୍ତି, ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯାଉଛି? ସାଇବର୍ ସେଲ କଣ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ନୁହେଁ? ମୋଟ ଉପରେ କହିବାକୁ ଗଲେ ଏଭଳି କୈଣସି ଶକ୍ତ ଆଇନ ନାହିଁ, ଯାହା ଏଭଳି ଫେକପୋଷ୍ଟିଂ ଉପରେ ରୋକ ଲଗାଇବା ସହ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

କିଛି ମାସ ଆଗରୁ ଫେସବୁକ ଭାରତରେ ଏକ କ୍ୟାମ୍ପେନ ଆରମ୍ଭ କରିଥିଲା, ଯେଉଁଠି ଫେକ ନ୍ୟୁଜକୁ କିଭଳି ଚିହ୍ନଟ କରାଯାଇପାରିବ ସେନେଇ ଲୋକଙ୍କୁ ସଚେତନ କରାଯାଉଥିଲା । ବଡ ବଡ ଗଣମାଧ୍ୟମରେ ଏବାବଦରେ ଫେସବୁକ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା । ଯେଁଥିରେ ସଚେତନ ରହିବାକୁ କୁହାଯିବା ସହ କିଭଳି ଏଭଳି ମିଥ୍ୟା ଖବର ଠାରୁ ଦୁରେଇ ରହିବେ ତାର ଟିପ୍ସ ମଧ୍ୟ ଦିଆଯାଇଥିଲା ।
publive-imageଭାରତରେ ସର୍ବାଧିକ ଫେସବୁକ ଓ ହ୍ୱାଟସଆପ ବ୍ୟବହାରକାରୀ ଅଛନ୍ତି । ୨୪୧ ମିଲିୟନ ଅର୍ଥାତ୍ ୨୪.୧ କୋଟି ଲୋକ ଫେସବୁକ ବ୍ୟବହାର କରୁଥିବା ବେଳେ ୨୦ କୋଟି ଲୋକ ହ୍ୱାଟସଆପ ବ୍ୟବହାର କରୁଛନ୍ତି । ଯାହା ଆମେରିକାରେ ଏହି ସୋସିଆଲ ସାଇଟକୁ ବ୍ୟବହାର କରୁଥିବା ସଂଖ୍ୟାଠାରୁ ଅଧିକ । ଅନେକ ସମୟରେ ଫେକପୋଷ୍ଟକୁ ନେଇ ଫେସବୁକରେ ଚିନ୍ତା ପ୍ରକଟ କରାଯିବା ସହ ଫେସବୁକ ଏହାକୁ ରୋକିବାରେ ବିଫଳ ହେଉଥିବାରୁ ଉଦବେଗ ମଧ୍ୟ ପ୍ରକାଶ ପାଇଥିଲା । ତେବେ କିଛି ପ୍ରମୁଖ ଖବରକାଗଜରେ ବିଜ୍ଞାପନ ଦେଇ ଫେସବୁକ ସେହି ସମୟରେ ନିଜ କର୍ତ୍ତବ୍ୟ ସାରିଦେଇଥିଲା । ଫୁଲ୍ ପେଜ୍ ବିଜ୍ଞାପନରେ କିଛି ସତର୍କତାମୁଳକ ପଦକ୍ଷେପ ନେବାକୁ ଅପିଲ କରାଯାଇଥିଲା । ହେଲେ ଏହା ଯଥେଷ୍ଟ ନଥିଲା । ଏହା ମଧ୍ୟ ବାସ୍ତବତା ଯେ, ଫେସବୁକ ଏବାବଦରେ ଚିନ୍ତା କରୁଛି କିଭଳି ଫେକନ୍ୟୁଜର ମାତ୍ରା ଆଉ ଏହାର ବହୁଳ ପ୍ରସାରକୁ ରୋକାଯାଇପାରିବ । ତେବେ ବ୍ୟବହାରକାରୀ ମଧ୍ୟ ସମାନ ପରିମାଣରେ ସଚେତନ ରହିବାର ଆବଶ୍ୟକତା ରହୁଛି ।
publive-image

ଫେସବୁକ ଆଉ ହ୍ୱାଟସଆପ ବାବଦରେ ଆମେ ବୁଝିବାର ମଧ୍ୟ ଆବଶ୍ୟକତା ରହିଛି । ଏହି ଦୁଇ ସୋସିଆଲ ସାଇଟ ଜରିଆରେ ଆମେ ଅନେକଙ୍କ ସହ ସଂପର୍କରେ ରହିପାରୁଛେ, ଆଉ ଏହି ସୋସିଆଲ ସାଇଟ ଅନେକଙ୍କ ସହ ଶତ୍ରୁତାର କାରଣ ମଧ୍ୟ ପାଲଟିଛି । ଅନେକାଂଶରେ ଏଥିରେ ପ୍ରସାରିତ ହେଉଥିବା ଖବର ଆଉ ଫୋଟୋ ବିବାଦର ମୁଳ କାରଣ ପାଲଟୁଛି । ତେଣୁ ଗୋଟିଏ ପୋଷ୍ଟ କରିବା ଆଗରୁ ଆମକୁ ମଧ୍ୟ ସମ ପରିମାଣରେ ସଚେତନ ରହିବାର ଆବଶ୍ୟକତା ରହୁଛି । ଖାସ କରି ଯଦି ଫେକ ନ୍ୟୁଜ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରାଯାଆନ୍ତା ତେବେ ହୁଏତ ଏହାର ଅନ୍ତ ଘଟିପାରନ୍ତା । ଠିକ ଯେମିତି ଅନ୍ତରଙ୍ଗ ମୁହୁର୍ତ୍ତର ଫୋଟୋ ଆଉ ଅଶ୍ଳୀଳ ଭିଡିଓ ବାବଦରେ ରୋକ ଲଗାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ନାଲିଆଖି ଦେଖାଇଲା, ଠିକ ସେଭଳି ଏକ ମୁହିମ ଫେକ ନ୍ୟୁଜ ବାବଦରେ ମଧ୍ୟ ଆରମ୍ଭ ହେବା ଉଚିତ । କାରଣ, ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି, ଯେଉଁଠି ଗଣମାଧ୍ୟମର ପ୍ରଭାବ ଅପେକ୍ଷା ସୋସିଆଲ ମିଡିଆର ପ୍ରଭାବ ବେଶ ଅଧିକ ରହୁଛି । ତେଣୁ ଏହି ସୋସିଆଲ ମିଡିଆର ପ୍ଲାଟଫର୍ମକୁ ଆମେ କିଭଳି ବ୍ୟବହାର କରିବା ତାହା ଦର୍ଶାଇବ ଆମେ ଆଗକୁ ଠିକ ରାସ୍ତାରେ ଯାଉଛେ ନା ଏକ କଂଟକିତ ରାସ୍ତା ଯେଉଁଥିରେ ବିଦ୍ୱେଷ, ହିଂସା ବ୍ୟାପିବ, ସେହି ରାସ୍ତାକୁ ଆପଣାଉଛେ । ପୋଲିସ, ସୋସିଆଲ ସାଇଟର ଟିମ୍ ଅପେକ୍ଷା ଅଧିକ ନିର୍ଭର କରିବ ଫେସବୁକ ଆଉ ହ୍ୱାଟସଆପ ବ୍ୟବହାରକାରୀଙ୍କ ଉପରେ, ଯଦି ସେମାନେ ନିଜେ ସଚେତନ ହୋଇ ଉଠିବେ ତେବେ ଫେକ ନ୍ୟୁଜର ଧାରା ସଂପୁର୍ଣ୍ଣ ଭାବେ ବନ୍ଦ ହୋଇଯିବ । ନଚେତ ଜୟୀରାମ ସାମଲ ବଂଚି ଥାଉ ଥାଉ ସମସ୍ତେ ତାଙ୍କୁ ସୋସିଆଲ ସାଇଟରେ ମାରି ଶ୍ରଦ୍ଧାଂଜଳି ଦେଇ ସାରିଥିବା ।