ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଫେସବୁକ ତିଆରି କରୁଛି ଏକ ନୂଆ ଟୁଲ, ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍ ।

215

କନକ ବ୍ୟୁରୋ : ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଆଗାମୀ ଦିନରେ ଫେସବୁକ ଆଣିବାକୁ ଯାଉଛି ନୂଆ ଫିଚର । ଫେସବୁକ ଏକ ନୂଆ ଟୁଲ ତିଆରି କରୁଛି ଯାହା ମାଧ୍ୟମରେ ୟୁଜର୍ସଙ୍କ ମସ୍ତିଷ୍କକୁ ପଢିପାରିବ ଏହି ଫେସବୁକ ଟୁଲ୍୍ । ୟୁଜର୍ସ ଯାହା ଚିନ୍ତା କରୁଥିବେ ବା ଭାବୁଥିବେ ତାହା ଫେସବୁକରେ ଆକ୍ସନ ମାଧ୍ୟମରେ ପରିବର୍ତ୍ତନ ହୋଇଯିବ । ଏଭଳି ଏକ ନୂଆ ପ୍ରୋଜେକ୍ଟ  ଉପରେ କାମ କରୁଛି ଫେସବୁକ ।

ପୂର୍ବରୁ ମଧ୍ୟ ଏଲୋନ ମସ୍କ କମ୍ପାନୀ ମସ୍ତିସ୍କକୁ ପଢିପାରୁଥିବା ମେସିନ ଉପରେ କାମ କରି ସାରିଛି । ମୁଣ୍ଡରେ ଅତି ସୂଖ୍ମ ଚିପ୍ ଲଗାଯାଇ ତାକୁ ଫୋନରେ ସଂଯୋଗ କରାଯାଏ ଫଳରେ ୟୁଜର୍ସଙ୍କ ଭାବନାକୁ ପଢିହେବ । ଏଲୋନ ମସ୍କ କମ୍ପାନୀ ଚିକିତ୍ସା ପାଇଁ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିବାକୁ ଚାହୁଁଛି । ଯାହାକି କଥା କହିପାରୁନଥିବା ଲୋକଙ୍କ ପାଇଁଇ ସହାୟକ ହେବ ।

ଏହାସହ ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିଷ୍ଟାଣ୍ଟ ନାମକ ଏକ ଟୁଲ୍ ତିଆରି କରିଛି । ଏହି ଟୁଲ୍ ନ୍ୟୁଜ ଆର୍ଟିକିଲର ସମରି ତିଆରି କରିବ । ଯାହା ଫଳରେ ୟୁଜର୍ସଙ୍କୁ ବଡ ବଡ ନ୍ୟୁଜ ପଢିବାକୁ ପଡିବ ନାହିଁ । ଏହି ଟୁଲ ମାଧ୍ୟମରେ କେବଳ ସମରି ପଢି ୟୁଜର୍ସ ଖବରଟିକୁ ବୁଝିପାରିବେ ।

ମାର୍ଚ୍ଚ ୨୦୨୦ରେ ଫେସବୁକ ନିଜ ବ୍ଲଗରେ ପୋଷ୍ଟ କରି କହିଥିଲା ଯେ, ଆମେ ଏଭଳି ଏକ କମ୍ପାନୀ ଏଭଳି ଏକ ଡିଭାଇସ ତିଆରି କରିବାକୁ ଚାହୁଁଛୁ ଯେଉଁଥିରେ ଲୋକଙ୍କୁ ଭାବନାକୁ ପଢିହେବ । ହେଲେ ଏହା ପରଠୁ ଫେସବୁକ କୌଣସି ପ୍ରକାର ପ୍ରତିକ୍ରିୟ ରଖିନଥିଲା ।

ପୂର୍ବରୁ ଫେସବୁକ ଉପରେ ୟୁଜର୍ସଙ୍କ ଗୋପନୀୟତା ଓ ଡାଟା ଚୋରୀ ହେବାର ଅନେକ ଅଭିଯୋଗ ଲାଗିଛି । ଏହାରି ମଧ୍ୟରେ ଫେସବୁକ ମସ୍ତିଷ୍କ ପଢିପାରୁଥିବା ଟୁଲ ତିଆରି କରିବା କାମରେ ଲାଗିଛି । ଏହି ଟୁଲ ଅନେକ କ୍ଷେତ୍ରରେ ଲୋକଙ୍କୁ ସହାୟକ ହୋଇପାରେ । ନିଜ ମନର କଥାକୁ ଲୋକମାନେ ନକହି ମଧ୍ୟ ଫେସବୁକରେ ଆକ୍ସନ ମାଧ୍ୟମରେ ଦେଖାଇପାରିବେ । ଏହାସହ କେତେକ କ୍ଷେତ୍ରରେ ଏଭଳି ଟୁଲକୁ ଲୋକମାନେ ସ୍ୱାଗତ କରିନାହାନ୍ତି । କାରଣ ଏହି ଟୁଲ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତାରେ ହସ୍ତକ୍ଷେପ କରାଯାଉଛି ବୋଲି କୁହାଯାଉଛି ।