ଫେସବୁକରେ ନିର୍ବାଚନୀ ପ୍ରଚାର । ୨ ମାସରେ ୩,୭୦୦ ବିଜ୍ଞାପନ ଜରିଆରେ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିଛି ବିଜେପି, ଦେଖନ୍ତୁ ରିପୋର୍ଟ ।

ସୋସିଆଲ ମିଡ଼ିଆର କିଙ୍ଗ୍ କୁହାଯାଉଥିବା ଫେସବୁକ ଜରିଆରେ ବିଭିନ୍ନ ଦଳମାନେ ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜ୍ଞାପନ ଦେଉଛନ୍ତି ।

196

କନକ ବ୍ୟୁରୋ: ୨୦୧୯ ବ୍ୟାଟେଲ୍ ଗ୍ରାଉଣ୍ଡରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ମାଧ୍ୟମରେ ପ୍ରଚାର କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ସେ ଦିଲ୍ଲୀରେ ସତ୍ତା ପାଇଁ ହେଉ କିମ୍ବା ଓଡ଼ିଶାରେ ବିଜୟ ହାସଲ ପାଇଁ ସବୁଠି ଏବେ ପ୍ରଚାର ଜୋରଦାର । ଆଉ ହାଇଟେକ ଯୁଗରେ ହାଇକେଟକ୍ ପ୍ରଚାର କରି ଭୋଟରଙ୍କ ମନଜିଣିବାକୁ ଉଦ୍ୟମ ଚଳାଇଛନ୍ତି ପ୍ରମୁଖ ଦଳ । ଏସବୁ ଭିତରେ ପ୍ରତ୍ୟକ୍ଷ ରାଜନୀତି ପ୍ରଚାରକୁ ବାଦ୍ ଏବେ ସୋସିଆଲ ମିଡ଼ିଆରେ ରାଜନୈତିିକ ଦଳମାନେ ନିଜର ପତିଆରା ଜାହିର କରି ଭୋଟ୍ ହାତେଇବାକୁ ଲାଗିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଅଧିକ ଫୋକସ କରୁଥିବା ଦେଖାଯାଇଛି । ଏନେଇ ‘ଫେସବୁକ ଆଡ ଲାଇବ୍ରେରୀ ରିପୋର୍ଟ’ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ ଗତ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ରାଜନୈତିକ ଦଳମାନେ ଫେସବୁକ ବିଜ୍ଞାପନରେ କେତେ ବ୍ୟୟ କରିଛନ୍ତି ତାହା ଏହି ରିପୋର୍ଟରେ ପ୍ରକାଶ କରାଯାଇଛି ।

ଏହି ଦୁଇମାସରେ ବିଭିନ୍ନ ଦଳମାନେ ଫେସବୁକରେ ମୋଟ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ବିଜ୍ଞାପନ ଦେଇଛନ୍ତି । ତେବେ ଫେସବୁକ ବିଜ୍ଞାପନରେ ବିଜେପି ସବୁଠାରୁ ଆଗରେ ଥିବାବେଳେ ତାପଛକୁ ରହିଛି କଂଗ୍ରେସ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ, ଓଡ଼ିଶାର ଆଞ୍ଚଳିକ ଦଳ ବା ଶାସକ ବିଜେଡି ଏହି ତାଲିକାର ୩ୟ ସ୍ଥାନରେ ରହିଛି । ଗତ ଦୁଇମାସ ମଧ୍ୟରେ ବିଜେପି ଫେସବୁକ ପ୍ରଚାରରେ ପ୍ରାୟ ୩ହଜାର ୭୦୦ଟି ବିଜ୍ଞାପନ ଦେଇଥିବାବେଳେ ଏଗୁଡ଼ିକର ମୂଲ୍ୟ ୨.୨୩ କୋଟି ଟଙ୍କା ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏହି ରିପୋର୍ଟ ମୁତାବକ ବିଜେପି, ଭାରତକେ ମନ କି ବାତ ପେଜ ମାଧ୍ୟମରେ ଏସବୁ ବିଜ୍ଞାପନ ଦେଇଛି । ସେହିପରି ଆଉ ଦୁଇଟି ପେଜ ‘ମାଇଁ ଫାଷ୍ଟ ଭୋଟ ଫର ମୋଦି’ ଓ ‘ନେସନ ଓ୍ଵିଥ ନମୋ’ ମାଧ୍ୟମରେ ଆଉ ୩୬.୨ ଲକ୍ଷ ଟଙ୍କା ବ୍ୟୟ କରିଛି । ଅନ୍ୟପଟେ କଂଗ୍ରେସ ଏଯାବତ୍ ୪୧୦ଟି ବିଜ୍ଞାପନ ଦେଇ ପ୍ରାୟ ୫.୯୧ ଲକ୍ଷ ଟଙ୍କା ବ୍ୟୟ କରିଛି । ଶେଷରେ ଫେସବୁକ ପେଜରେ ବିଜ୍ଞାପନ ପାଇଁ ଅର୍ଥ ଖର୍ଚ୍ଚ କରିଥିବା ଶାସକ ବିଜେଡି ୮.୫୬ ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ଟିଡିପି ୧.୫୮ଲକ୍ଷ ଟଙ୍କା ବ୍ୟୟ କରିଛି ।

ସୋସିଆଲ ମିଡ଼ିଆର କିଙ୍ଗ୍ କୁହାଯାଉଥିବା ଫେସବୁକ ଜରିଆରେ ବିଭିନ୍ନ ଦଳମାନେ ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜ୍ଞାପନ ଦେଉଛନ୍ତି । କାରଣ ଭାରତରେ ୨୦କୋଟିରୁ ଉଦ୍ଧ୍ୱର୍ ଫେସବୁକ ୟୁଜର ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକ ପ୍ରତିଶତ ଯୁବପିଢ଼ୀ ରହିଥିବାରୁ ସେମାନଙ୍କୁ ଆକୃଷ୍ଟ କରିବାକୁ ଗୋଟିଚାଳନା କରୁଛନ୍ତି ବିଭିନ୍ନ ଦଳ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।