କନକ ବ୍ୟୁରୋ : ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିକୁ ନେଇ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ପଞ୍ଚାୟତରେ ଉତ୍ତେଜନା । ପ୍ରଶାସନ ଓ ସାଧାରଣ ଲୋକେ ମୁହାଁମୁହିଁ । ଜବରଦଖଲ ଦାବିରେ ତମ୍ବୁମାରି ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ଖବର ପାଇ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠାଇବାକୁ ଆସିଥିଲେ ପ୍ରଶାସନିକ ଅଧିକାରୀ । ତହସିଲଦାରଙ୍କ ଉପସ୍ଥିତିରେ ବିଡିଓ ତମ୍ବୁ ଉପାଡିବାରୁ ଉତ୍ତେଜନା ଦେଖା ଦେଇଥିଲା ।

Advertisment

ଯାହାକୁ ନେଇ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ବଢିଥିଲା । ଜବର ଦଖଲ ଉଚ୍ଛେଦ ନହେଲେ ଧାରଣାରୁ ହଟିବୁ ନାହିଁ ବୋଲି ଲୋକ ରୋକଠୋକ ଶୁଣାଇଦେବା ପରେ ମୁଣ୍ଡ ନୁଆଁଇ ପଛକୁ ହଟିଥିଲା ପ୍ରଶାସନ । ଗ୍ରାମବାସୀଙ୍କ ତୀବ୍ର ବିରୋଧ ପରେ ଫେରିଗଲେ ପ୍ରଶାସନିକ ଅଧିକାରୀ । ପୂର୍ବରୁ ଗୋପୀନାଥପୁର ପଞ୍ଚାୟତର ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିରେ ଭୋଗରାଇ ତହସିଲଦାରଙ୍କ ଅଭିଯୋଗ କରିଥିଲେ ଗ୍ରାମବାସୀ ।

କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ କୋର୍ଟଙ୍କ ଆଶ୍ରୟ ନେଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଶୀଘ୍ର ମାପଚୁପ କରି ୨ ସପ୍ତାହ ଭିତରେ ଜବର ଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେହି ସମୟ ଅବଧିରେ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିନପାରିବାରୁ ଏବେ ତମ୍ବୁମାରି ଗଣଧାରଣା ଦେଇଛନ୍ତି ଗ୍ରାମବାସୀ ।