ଦୂତୀଙ୍କ ବିରୋଧରେ ଅଶାଳୀନ ଟିପଣୀ ପଡିଲା ମହଙ୍ଗା : ୱେବ୍ ପୋର୍ଟାଲର ଏଡ଼ିଟର ଗିରଫ

ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ, ମହିଳା ଥାନାରେ ଅଟକ ରଖିବା ପଚରାଉଚରା କରିବା ପରେ ଗିରଫ କଲା ପୋଲିସ; ଏତଲା ଦେଇଥିଲେ ଦୂତୀ

177

କନକ ବ୍ୟୁରୋ : ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଭାଷାରେ ରିପୋର୍ଟ କରିଥିବା ୱେବ୍ ପୋର୍ଟାଲର ଏଡ଼ିଟରଙ୍କୁ ଗିରଫ କରିଛି ପୋଲିସ । ଏହାସହ ତାଙ୍କ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ଗତକାଲି ଠାରୁ ସୁଧାଂଶୁ ରାଉତଙ୍କୁ ଅଟକ ରଖିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ଆଜି ସୁଧାଂଶୁଙ୍କୁ କୋର୍ଟ ଚାଲାଣ କରାଯିବ । ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଂଚ ଆଣିବା ପରି କାର୍ଯ୍ୟ କରିବା ଭଳି ଧାରାରେ ପୋଲିସ ମାମଲା ରୁଜୁ କରିଛି ।

ଦୂତୀ ସୁଧାଂଶୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଆଲମ୍ପିକ୍ ଖେଳିବାକୁ ଯାଇଥିବା ସୁଧାଂଶୁଙ୍କ ୱେବ୍ ପୋର୍ଟାଲରେ ଦୂତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ସହ ବିବାଦୀୟ ଖବର ପ୍ରସାରଣ କରିଥିଲେ । ଯେଉଁଥି ପାଇଁ ସେ ଅଲମ୍ପିକ୍ସରେ ଦୌଡିବା ବେଳେ ମାନସିକ ଚାପରେ ଥିଲେ ବୋଲି କହିଥିଲେ । ସେପଟେ, ଦୂତୀଙ୍କ ମାନହାନୀ କଲା ଭଳି କିମ୍ବା ଚରିତ୍ର ସଂହାର କଲା ଭଳି ଖବର ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିଭିଲ୍ ଜର୍ଜ ସିନିୟର ଡିଭିଜନ୍ କୋର୍ଟ । ବ୍ୟକ୍ତିଗତ ହାଜର ହେବା ସହ କାରଣ ଦର୍ଶାଇବାକୁ ନିର୍ଦେଶ ଦିଆଯାଇଛି । ୱେବ ପୋର୍ଟାଲ ମାଲିକ, ସଂପାଦକ ସୁଧାଂଶୁ ରାଉତ, ପ୍ରଦୀପ ପ୍ରଧାନଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲେ ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ।

ସେ ଅଭିଯୋଗ କରିଥିଲେ, ତାଙ୍କ ବିରୋଧରେ ମିଛ ଖବର ପ୍ରକାଶ କରାଯାଇ ଚରିତ୍ର ସଂହାର କରାଯାଉଛି । ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଇଥିବା ଏପରି ଖବରକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ସେ ନିବେଦନ କରିଛନ୍ତି । ଏହା ସହ ସୋସିଆଲ ମିଡିଆ ଓ ଅନ୍ୟ ପ୍ଲାଟଫର୍ମକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ଦୂତୀ । ଏହି ମାମଲାକୁ ଗ୍ରହଣ କରିଛନ୍ତି କୋର୍ଟ । ପରବର୍ତୀ ଶୁଣାଣୀ ପର୍ଯ୍ୟନ୍ତ ମାନହାନୀ କଲା ଭଳି କିମ୍ବା ଚରିତ୍ର ସଂହାର କଲା ଭଳି ଖବର ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ବ୍ୟକ୍ତିଗତ ହାଜର ପାଇଁ କହିଛନ୍ତି କୋର୍ଟ ।