କଡ଼ା ସୁରକ୍ଷା ମଧ୍ୟରେ ଅପରାଜିତାଙ୍କ ପଦଯାତ୍ରା । ଗ୍ୟାସ ଦରବୃଦ୍ଧିକୁ ନେଇ ଅଧାବାଟରେ ବିରୋଧ କଲେ ବିଜେଡି କର୍ମୀ ।

175

କନକ ବ୍ୟୁରୋ : ଆଜି ପ୍ରତିବାଦ ଭିତରେ ପୁଣି ଭୁବନେଶ୍ୱରରେ ପଦଯାତ୍ରା କରିଛନ୍ତି ସାଂସଦ ଅପରାଜିତା । ଦୁଇ ଦିନ ତଳେ ଘଟିଥିବା ଘଟଣାକୁ ଦୃଷ୍ଟିିରେ ରଖି ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେଇଥିଲା ପୋଲିସ୍ । ଆଜି ଅପରାଜିତାଙ୍କ ପଦଯାତ୍ରା ବେଳେ ବି ସେ ବିରୋଧର ସମ୍ମୁଖୀନ ହୋଇଥିଲେ । ଗ୍ୟାସ୍ ଦର ବୃଦ୍ଧି ନେଇ ତାଙ୍କୁ ଅଧାବାଟରେ ଘେରିଥିଲେ ବିଜେଡି କର୍ମୀ ।

ପୁଣି ଅପରାଜିତାଙ୍କୁ ଘେରିଲେ ବିଜେଡି କର୍ମୀ । ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜରାସ୍ତାରେ ପଚାରିଲେ ପ୍ରଶ୍ନ । ରାଜଧାନୀର ୬୧ ନମ୍ବର ୱାର୍ଡରେ ସାଂସଦ ପଦଯାତ୍ରା କରୁଥିବା ବେଳେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ । ପରେ ପୁଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ହେଲେ ଆଗକୁ ମଧ୍ୟ ଏଭଳି ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେଡି କର୍ମୀ ।

ଗତ ଦୁଇ ଦିନ ତଳେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ଏକ ବୈଠକରେ ଯୋଗ ଦେଇଥିବା ବେଳେ ମଧ୍ୟ ସାଂସଦ ଅପରାଜିତାଙ୍କୁ ଘେରି ହଟହଟା କରିଥିଲେ ବିଜେଡି ସମର୍ଥକ । ବିବାଦ ପରେ ନିଜକୁ ଅସୁରକ୍ଷିତ ବୋଲି କହିଥିବା ଅପରାଜିତାଙ୍କ ପଦଯାତ୍ରାରେ କିନ୍ତୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ପୁଲିସ । ହେଲେ ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ଏବେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଥିବା ବେଳେ ଏବେ ଠାରୁ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଲାଣି । ବିରୋଧୀ ସରକାରଙ୍କୁ ଆକ୍ରମଣ କରିବାକୁ କୌଣସି ସୁଯୋଗ ହାତଛଡା କରୁନଥିବା ବେଳେ ଏବେ ସରକାରୀ ଦଳ ମଧ୍ୟ ସମାନ ରଣକୌଶଳ ଆପଣେଇଛି । ତେଣୁ ଆଗକୁ ଏମିତି ଦୃଶ୍ୟ ଅଧିକରୁ ଅଧିକ ଦେଖିବାକୁ ମିଳିବା ନେଇ ସ୍ପଷ୍ଟ ସୂଚନା ମିଳୁଛି ।