‘ଲେଡକି ହୁଁ, ଲଡ ସକତି ହୁଁ’ ର ପୋଷ୍ଟର ଗାର୍ଲ ବିଜେପିରେ ଯୋଗଦେବା ନେଇ ଆକଳନ, ଜାଣନ୍ତୁ ଦଳ ଛାଡିବା ପଛରେ କଣ ରହିଛି କାହାଣୀ

219

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଗରୁ କଂଗ୍ରେସକୁ ବଡ ଝଟକା ଲାଗିପାରେ । ରାଜ୍ୟର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରେ ‘ଲେଡକି ହୁଁ, ଲଡ ସକତି ହୁଁ’ ଅଭିଯାନ ଆରମ୍ଭ କରିଥିଲେ । ଏହି ପ୍ରିୟଙ୍କାଙ୍କ ଏହି ନାରା ପରେ ୟୁପିର ମହିଳାମାନେ ପାଗଳ ଭଳି ପ୍ରିୟଙ୍କାଙ୍କୁ ସମର୍ଥନ ଦେଉଥିବା ଦେଖିବାକୁ ମିଳିଥିଲା । ହେଲେ ଏହି ଅଭିଯାନ ନେଇ କଂଗ୍ରେସ ତରଫରୁ ପ୍ରସ୍ତୁତ ହୋଇଥିବା ପୋଷ୍ଟରରେ ଯେଉଁ ମହିଳାଙ୍କୁ ଆପଣ ଦେଖିବାକୁ ପାଇଥିଲେ ଏବେ ସେହି ମହିଳା ଜଣଙ୍କ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି ।

କହିରଖୁ କି ଏହି ପୋଷ୍ଟର ଗାର୍ଲଙ୍କ ନାମ ପ୍ରିୟଙ୍କା ମୌର୍ଯ୍ୟ । ପ୍ରିୟଙ୍କା କିଛିଦିନ ପୂର୍ବରୁ ଅଭିଯୋଗ କରିଥିଲେ କି କଂଗ୍ରେସର ଜଣେ ରାଜ୍ୟନେତା ତାଙ୍କୁ ଏହି ପୋଷ୍ଟର ପାଇଁ ଟଙ୍କା ମାଗୁଛନ୍ତି । ଅନ୍ୟପଟେ ୟୁପିରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ମୋଟ ୧୨୫ ଜଣ ଆଶାୟୀଙ୍କ ତାଲିକା ଘୋଷଣା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ଜଣ ମହିଳାଙ୍କ ନାମ ରହିଛି । ହେଲେ ଏହି ତାଲିକାରେ ପ୍ରିୟଙ୍କା ମୌର୍ଯ୍ୟଙ୍କ ନାମ ନଥିବାରୁ ପ୍ରିୟଙ୍କା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ସେ କଂଗ୍ରେସର ହାତ ଛାଡିପାରନ୍ତି ବୋଲି ଆଲୋଚନା ହେଉଛି ।

ଏନେଇ ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି କି ‘ଲେଡକି ହୁଁ, ଲଡ ସକତି ହୁଁ’ ଅଭିଯାନ ପାଇଁ କଂଗ୍ରେସ ମୋ ଚେହେରା, ମୋ ନାଁ ଓ ମୋର ୧୦ ଲକ୍ଷ ସୋସିଆଲ ମିଡିଆ ଫଲୋଅର୍ସଙ୍କୁ ବ୍ୟବହାର କରିଥିଲା । କିନ୍ତୁ ଆଗାମୀ ନିର୍ବାଚନ ପାଇଁ ଯେତେବେଳେ ଟିକେଟ ଦେବାର ସମୟ ଆସିଲା ମୋତେ ଟିକେଟ ଦିଆ ନଯାଇ ଅନ୍ୟକୁ ଟିକେଟ ଦିଆଗଲା । ଏହାକୁ ପ୍ରିୟଙ୍କା ମୌର୍ଯ୍ୟ ଅନ୍ୟାୟ କହିବା ସହ ଏହା ଯୋଜନା ମୁତାବକ କରାଯାଇଥିବା ସେ କହିଛନ୍ତି ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ଲକ୍ଷ୍ନୌରେ ଘୋଷଣା କରିଥିଲେ କି ୟପି ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ଟିକେଟ ମହିଳାଙ୍କୁ ଦେବ । ହେଲେ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଟିକେଟ ନମିଳିବା ପରେ ଏବେ ନୂଆ ବିବାଦ ଭିତରେ ଫଶିଛି କଂଗ୍ରେସ ।