କନକ ବ୍ୟୁରୋ : କରୋନା କାଳରେ ଶ୍ରେଣୀଗୃହ ଶିକ୍ଷାଦାନ ସମ୍ଭବ ହେଉନଥିବାରୁ ସାରାରାଜ୍ୟରେ ଚାଲିଛି ଅନଲାଇନ କ୍ଲାସ । ହେଲେ ନେଟୱାର୍କ ସମସ୍ୟା ଯୋଗୁଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ୟୁ-ଟୁବରେ ପିଲା ପାଠ ପଢିବା ପାଇଁ ପ୍ରତିଦିନ କରୁଥିବା ସଂଘର୍ଷର ଚିତ୍ରସବୁ ଆସିବାରେ ଲାଗିଛି । ଦିନ ଗଡିବା ସହିତ ସମସ୍ୟା ବଢିବାରେ ଲାଗିଛି । ପାଲଲହଡାର ଯୋଲାଣ୍ଡ ଗାଁରେ ଆସୁନି ମୋବାଇଲ ନେଟୱାର୍କ । ସେଥିପାଇଁ ଗାଁର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ୨ କିଲୋମିଟର ଚାଲି ପାହାଡ ତଳେ ଥିବା ଏକ ଜଙ୍ଗଲକୁ ଆସୁଛନ୍ତି ।
ଯେଉଁଠି ମୋବାଇଲ ନେଟୱାର୍କ ଆସୁଛି, ସେଇଠି ଅନଲାଇନ କ୍ଲାସ ହେଉଛି । ଜଙ୍ଗଲୀ ଜନ୍ତୁଙ୍କ ଭୟ ଭିତରେ ପିଲା ପାଠ ପଢିବାକୁ ଏଭଳି ହାଇରାଣ ହରକତ ହେଉଥିଲେ ସୁଦ୍ଧା କାହାରି ଦୃଷ୍ଟିନାହିଁ । ତେଣୁ ଗାଁରେ ଏକ ମୋବାଇଲ ଟାୱାର ବସାଇବାକୁ ଦାବି ହେଉଛି । ଗାଁର ଶିକ୍ଷିତ ଯୁବକଙ୍କ କହିବା ହେଲା, ସରକାର ସେବାଶ୍ରମ ସ୍କୁଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାବୃତି ଦେଉଛନ୍ତି । ହେଲେ କରୋନା କାଳରେ ଅନଲାଇନ କ୍ଲାସର ସୁବିଧା ପାଇବା ପାଇଁ ମୋବାଇବ ଟ୍ୱାୱାର ବସାଇବା ଉପରେ ଗୁରୁତ୍ୱ ଦେଉନାହାନ୍ତି ।