ଗାଁ ପରେ ସହର ଭୋଟରଙ୍କ ଉପରେ ଆଖି! ଯୋଜନା ସଂପର୍କରେ ସହରବାସୀଙ୍କୁ ଜଣାଇବେ ସରକାର

96

କନକ ବ୍ୟୁରୋ: ଗାଁ ପରେ ଏବେ ସହର ଭୋଟରଙ୍କ ଉପରେ ଆଖି । ସହରବାସୀଙ୍କୁ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବେ ସରକାର । ୧୧୫ଟି ପୌରାଂଚଳରେ ୪୯୭ ସଚେତନତା ଶିବିର କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନଗରଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଫେବୃଆରୀ ୭ ତାରିଖ ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିବ । ସେପଟେ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

ଗ୍ରାମାଂଚଳରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଆୟୋଜନ ପରେ ଏବେ ସହରରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସହର ପାଇଁ ସରକାରଙ୍କ କି କି ଯୋଜନା ରହିଛି, ହିତାଧିକାରୀଙ୍କୁ କି କି ସୁବିଧା ମିଳୁଛି, ତାହା ଜଣାଇବା ପାଇଁ ନଗର ଉନ୍ନୟନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏ ନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନ୍ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

୧୧୫ ପୌରାଂଚଳରେ ୪୯୭ଟି ସଚେତନତା ଶିବିର କରାଯିବ
ଆୟୋଜିତ ହେବ ଆଓନୋ ବା ଆମ ଓଡ଼ିଶା, ନବୀନ ଓଡ଼ିଶା(ସହରୀ) ଶିବିର
ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ
ପ୍ରତ୍ୟେକ କ୍ୟାମ୍ପ ପାଇଁ ଖର୍ଚ୍ଚ ହେବ ୬୫ ହଜାର ଟଙ୍କା
ସରକାରଙ୍କ ସ୍କିମ୍ ସଂପର୍କରେ ଅବଗତ କରାଯିବ
କାର୍ଯ୍ୟକ୍ରମର ଭିଡିଓଗ୍ରାଫି କରାଯାଇ ନଗର ଉନ୍ନୟନ ବିଭାଗକୁ ପଠାଯିବ

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । କହିଛନ୍ତି, ସରକାରୀ କାର୍ଯ୍ୟକ୍ରମ ନାଁରେ ଦଳୀୟ ପ୍ରଚାର କରାଯାଉଛି । ସେପଟେ ବିଜେଡି କହିଛି, ହତାଧିକାରୀଙ୍କ ପାଖରେ ସରକାରୀ ଯୋଜନା କେତେ ପହଁଚୁଛି, ତା’ର ତଦାରଖ କରୁଛନ୍ତି ସରକାର । ନିର୍ବାଚନ ଯେତିକି ପାଖେଇ ଆସୁଛି, ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି ।