କନକ ବ୍ୟୁରୋ : ଭୁବନେଶ୍ୱରରେ ମେୟର ପ୍ରାର୍ଥୀ ଘୋଷଣାକୁ ନେଇ ତିନି ପ୍ରମୁଖ ଦଳର, ଛକାପଂଝା ଭିତରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀଙ୍କ ନାଁ । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୁ ।

Advertisment

ସେ ଛାତ୍ରଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । କମଳା ନେହେରୁ କଲେଜର ଛାତ୍ର ସଂସଦର ସଭାପତି ହୋଇଥିଲେ । ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ଥିଲେ । ଏକାଧିକ ମହିଳା ନେତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି କଂଗ୍ରେସ ଦଳ ମଧୁସ୍ମିତାଙ୍କ ଉପରେ ଭରଷା କରିଛି ।

କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ସମସ୍ତଙ୍କ ନଜର ବିଜେଡି ଓ ବିଜେପି ଉପରେ । ବିଶେଷ କରି ଶାସକ ଦଳ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଶାସକ ଦଳର ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ ବି ସୁପ୍ରିମୋ କାହା ଉପରେ ଭରସା କରିବେ ତାହା ଆକଳନ କରିବା କଷ୍ଟକର ।

ଅନ୍ୟପଟେ ଯେଉଁ କିଛି ଜଣଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଥିଲା, ସେମାନଙ୍କର ଭୁବନେଶ୍ୱରରେ ଭୋଟର କାର୍ଡ ନଥିବାରୁ ଦଳ ଏକ ବିଷମ ସମସ୍ୟାରେ ପଡିଛି । ସେହିପରି ବିଜେପି ମଧ୍ୟ ମେୟର ପ୍ରାର୍ଥୀ ଘୋଷଣା କରିନାହିଁ । ଶାସକ ଦଳର ନାଁ ଘୋଷଣାକୁ ବିଜେପି ଅପେକ୍ଷା କରିଥିବା କୁହାଯାଉଛି । ଏବଂ ନୂଆ ଚେହେରା ମଇଦାନକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।