ଅଜା ଦେଇଥିଲେ ଜାଗା, ନାତି ପାଇବ ଡିହ । ୬୦ ବର୍ଷ ପରେ ହୀରାକୁଦ ବିସ୍ଥାପିତଙ୍କୁ ମିଳିଲା ଜମି ପାଇବାର ପ୍ରତିଶ୍ରୁତି ।

328

କନକ ବ୍ୟୁରୋ : ଜାଗା ଦେଇଥିଲେ ଅଜା ଏବେ ଡିହ ପାଇବ ନାତି । ୬୦ ବର୍ଷ ପରେ ହୀରାକୁଦ ବିସ୍ଥାପିତଙ୍କୁ ଜମି ମିଳିବାର ଆଶା ଦେଖାଦେଇଛି । ବିସ୍ଥାପିତଙ୍କ ପରିବାରକୁ ଯାଇ ଭେଟିଥିଲା କନକ ନ୍ୟୁଜ କ୍ୟାମେରା ଟିମ୍ । ସେମାନେ କହିଥିଲେ, ଜାଗା ପାଇବା ନେଇ ସେମାନେ ଆଶା ହରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏବେ ଆଶା ଦେଖାଦେଇଛି ।

ହୀରାକୁଦ ନଦୀବନ୍ଧ ଯୋଗୁଁ ବିସ୍ଥାପିତ ହେବାର ଦଶନ୍ଧି ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି କଥା କେଇପଦା ବିସ୍ଥାପିତଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି । ସମସ୍ୟାର ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି ।

୧୯୫୫ ମସିହା । ହୀରାକୁଦ ଜଳଭଣ୍ଡାର ପାଇଁ ବନ୍ଧ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିଲେ ଝାରସୁଗୁଡା ସମେତ ସମ୍ବଲପୁର, ବରଗଡ ଏବଂ ସୋନପୁରର ହଜାର ହଜାର ଲୋକ । ତଥ୍ୟ ଅନୁସାରେ ନଦୀ ବନ୍ଧ ଯୋଗୁଁ ୧୬୮ ଗାଁ ଜଳଭଣ୍ଡାରରେ ଲୀନ ହୋଇଯାଇଥିଲା । ଆଉ ରାତାରାତି ବେଘର ହୋଇଯାଇଥିଲେ ବାପା ଅଜା ଅମଳରୁ ରହି ଆସିଥିବା ଲୋକେ ।

ତୃତୀୟ ପିଢ଼ୀଙ୍କୁ ମିଳିବ ନ୍ୟାୟ? ଚୟନରେ ହୋଇପାରେ ସମସ୍ୟା? ବିସ୍ଥାପନ ହେବାକୁ ଏହା ଭିତରେ ଦୀର୍ଘ ବର୍ଷ ବିତି ଯାଇଥିବାରୁ କାହାକୁ ଘରବାଡି ମିଳିବ ତାକୁ ନେଇ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଛି । କାରଣ ଯେଉଁମାନେ ଜମି ହରାଇ ବିସ୍ଥାପିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଆରପାରିରେ । ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ନାଁରେ ସେତେବେଳେ ଜମି ନଥିଲା । ତେଣୁ ସରକାର କେମିତି ହିତାଧିକାରୀ ଚୟନ କରିବେ ତାକୁ ନେଇ ସନ୍ଦେହରେ ଅଛନ୍ତି ।

କେବଳ ଏତିକି ନୁହେଁ ହୀରାକୁଦର ବିସ୍ଥାପନଙ୍କୁ କ୍ଷତିପୂରଣ ନମିଳିବାରୁ ଏହା ସାଧାରଣରେ ଏକ ଖରାପ ପ୍ରଭାବ ପକାଇଥିଲା । ଆଉ କେହି ଜମି ଛାଡିବାକୁ ରାଜି ହୋଇନଥିଲେ । ସବୁଠି ପ୍ରତିବାଦର ସ୍ୱର ତୀବ୍ର ହୋଇଥିଲା । ଯାହା ଫଳରେ ହୀରାକୁଦ ଜଳଭଣ୍ଡାର ପରେ ଏପର୍ଯ୍ୟନ୍ତ, ସରକାର ଆଉ କୌଣସି ବଡ ଜଳଭଣ୍ଡାର ନିର୍ମାଣ କରିପାରି ନାହାନ୍ତି ।