ବିଦ୍ୟାଳୟରେ ଆଖିଧରା ଆତଙ୍କ। ଏକାଥରେ ୫୩ ଛାତ୍ରଛାତ୍ରୀ ଆକ୍ରାନ୍ତ

262

କନକ ବ୍ୟୁରୋ: ବିଦ୍ୟାଳୟରେ ବ୍ୟାପୁଛି ଆଖିଧରା ରୋଗ । ଜଣେ ଦୁଇ ଜଣ ନୁହେଁ ସ୍କୁଲର ସବୁ ପିଲା ପ୍ରାୟ ସଂକ୍ରମିତ । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୪ ଦିନ ହେଲା ମୋହନା ସରକାରୀ ଏସଏସଡି ହାଇସ୍କୁଲର ଛାତ୍ରାବାସରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତ ଛାତ୍ରମାନଙ୍କୁ ମୋହନା ମେଡ଼ିକାଲରେ ଚିକିତ୍ସା କରିବା ପରେ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ଘରକୁ ନେଇଯାଇଛନ୍ତି । ପ୍ରଥମେ ଆଖି କୁଣ୍ଡେଇ ହେବା ସହ ଆଖି ଲାଲ ପଡ଼ିଯିବା ପରେ ଆଖି ଫୁଲିଯାଉଛି । ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ମଧ୍ୟ ଆଖିଧରା ରୋଗ ବ୍ୟାପୁଛି । ପ୍ରତିଦିନ ଶହ ଶହ ସଂଖ୍ୟକ ଆକ୍ରାନ୍ତ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଖପାଖର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭିଡ ଲଗାଉଛନ୍ତି । ବିଦ୍ୟାଳୟରେ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି । ଆଖିଧରା ଯୋଗୁଁ ସୋର ଅଂଚଳର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଛି । ସ୍ୱାସ୍ଥ୍ୟ ବିଭାଗ ଅବସରପ୍ରାପ୍ତ ଯୁଗ୍ମ ନିର୍ଦେଶକ ଡାକ୍ତର ଶଶାଙ୍କ ଶେଖର ଆଚାର୍ଯ୍ୟ କହିଛନ୍ତି, ଏହା ଋତୁଗତ ଭୂତାଣୁ ଜନିତ ରୋଗ । ଥଣ୍ଡାରୁ ଅଧିକ ହୋଇଥାଏ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲେ ଏହା ଅଧିକ ବ୍ୟାପିଥାଏ ।

ଆଖିଧରା ଏକ ଋତୁଗତ ଭୂତାଣୁ ଜନିତ ରୋଗ
ଥଣ୍ଡା ଓ ସନ୍ତସନ୍ତିଆ ପାଗ ହେଲେ ରୋଗାଙ୍କ ସଂଖ୍ୟା ବଢେ
ଆଖି ଧରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପକ ହୁଏ ଆକ୍ରାନ୍ତ ସଂଖ୍ୟା
ଜନଗହଣିପୂର୍ଣ୍ଣ ସ୍ଥାନ, ହାଟ, ସ୍କୁଲ କଲେଜ ଓ ସଭା ସମିତିରୁ ଲୋକେ ସଂକ୍ରମିତ ହୁଅନ୍ତି
ଆକ୍ରାନ୍ତଙ୍କ ଯତ୍ନ ନେଲେ ୬ରୁ ୭ ଦିନର ଭଲ ହୋଇଯାଏ
ଚଷମା ଏବଂ ହଳଦିକନା ବ୍ୟବହାର କରି ଆଖି ଡ୍ରପ ପକାଇବା ଆବଶ୍ୟକ