ରାମଦେବ ବାବାଙ୍କ ବିବାଦୀୟ ବୟାନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ : ହର୍ଷବର୍ଦ୍ଧନ କହିଲେ, ଆପତିଜନକ ମନ୍ତବ୍ୟ ପ୍ରତ୍ୟାହାର କର

ଏଲୋପାଥିକୁ ଦେବାଳିଆ ବିଜ୍ଞାନ କହିବା ପରେ ରାମଦେବଙ୍କୁ ମହାମାରୀ ଆଇନ ଅନୁଯାୟୀ ମାମଲା କରିବାକୁ ଦାବି କରିଥିଲା ଆଇଏମଏ

260

କନକ ବ୍ୟୁରୋ :କରୋନା ସମୟରେ ବାବା ରାମଦେବଙ୍କ ଏଲୋପାଥିକ ଔଷଧକୁ ନେଇ ଗୋଟିଏ ବୟାନ ଦେଶରେ ତାତିକୁ ବଢାଇ ଦେଇଛି । ବାବାଙ୍କ ବୟାନକୁ ନେଇ ଏବେ ଭାରତୀୟ ମେଡିକାଲ ଆସୋସିଏସନ୍ ପକ୍ଷରୁ ଦାଏର ହୋଇଛି ଏତଲା । ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଆଇଏମଏ । ବିବାଦ ବଢ଼ିବା ପରେ ବାବା ରାମଦେବ ଦେଇଥିବା ଆପତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିନେବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।

ବୟାନକୁ ନେଇ ଏବେ ହରଡ଼ଘଣାରେ ପଡିଛନ୍ତି, ବାବା ରାମଦେବ । ବାବା କହୁଛନ୍ତି- ଯେତେ ଲୋକ ଡାକ୍ତରଖାନାରେ ଚିକିତ୍ସା ନପାଇ କିମ୍ବା ଅକ୍ସିଜେନ ନପାଇ ମୃତ୍ୟୁବରଣ କରିଛନ୍ତି, ତାଠୁ ଅଧିକ ଏଲୋପାଥି ଔଷଧ ଖାଇ ପ୍ରାଣ ହରାଇଛନ୍ତି । ବାବାଙ୍କ ଏହି ବୟାନକୁ ନେଇ ଚିହିଁକି ଉଠିଛି, ଇଣ୍ଡିଆନ୍ ମେଡିକାଲ ଆସୋସିଏସନ । ପ୍ରାୟ ସାଢେ ୩ ଲକ୍ଷ ଡାକ୍ତର ଥିବା ଏହି ସଂଘ ବାବାଙ୍କୁ ଲିଗାଲ୍ ନୋଟିସ ପଠାଇଛି ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିଛି ।

ଭିତ୍ତିହୀନ ଅଭିଯୋଗ ପାଇଁ ବାବା ରାମଦେବ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଆଏମଏ । ସେହିପରି ଏପିଡେମିକ୍ ଡିଜିଜ୍ ଆକ୍ଟ ଜରିଆରେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟଙ୍କ ଦୃଷ୍ଟିକୁ ଆଣିଛି । ଏପଟେ ବିବାଦ ପରେ ପତଞ୍ଜଳି ପକ୍ଷରୁ କୁହାଯାଇଛି-ଏକ କାର୍ଯ୍ୟକ୍ରମରେ ସମୟରେ ବାବାଙ୍କ ପାଖକୁ ଆସିଥିବା ଏକ ହ୍ୱାଟସ୍ ଆପ୍ ମେସେଜ୍ ସେ ପଢୁଥିଲେ । ଏହା ତାଙ୍କ ମନନୁହଁ । ସେଥିରେ ତାଙ୍କ ମତକୁ ଏପଟ ସେପଟ ମଧ୍ୟ କରାଯାଇଛି । ଆଧୁନିକ ଚିକିତ୍ସା ଓ ଡାକ୍ତରଙ୍କ ପ୍ରତି ତାଙ୍କ ଯଥେଷ୍ଟ ସମ୍ମାନ ଅଛି ।

ବିବାଦ ଓ ରାମଦେବ ବାବା, ଅଧିକାଂଶ ସମୟରେ ଏକାଠି ଥାନ୍ତି। ଯେତେବେଳେ ବାବାଙ୍କ ପତଞ୍ଜଳି କରୋନିଲ ଔଷଧ ଆଣି ଥିଲା, ସେତେବେଳେ ବି ଏକ ବଡ ବିବାଦ ସୃଷ୍ଟି ହୋଇଥିଲା। ଆଉ ଶେଷରେ ଔଷଧକୁ ଇମ୍ୟୁନିଟି ବୁଷ୍ଟର କହି ବାବା, ବିବାଦକୁ ଏଡେଇଥିଲେ।