ଉଗ୍ର ହେଉଛି ‘ଫୋନି’: ସାମୁଦ୍ରିକ ଝଡ ଯୋଗୁଁ ସମୁଦ୍ରରେ ଉଠିପାରେ ଦେଢ ମିଟର ଉଚ୍ଚର ଜୁଆର, ୪ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ସମ୍ଭାବନା

970

କନକ ବ୍ୟୁରୋ: ସନ୍ଧ୍ୟା ସୁଦ୍ଧା ରାଡାରକୁ ଆସିବା ପରେ ସ୍ପଷ୍ଟ ହେବ ବାତ୍ୟା ଫୋନିର ଚିତ୍ର । ଏହା ପରେ ଏହା ଓଡିଶାର କେଉଁଠି ମାଡ ହେବ ତାହା ସ୍ପଷ୍ଟ ହୋଇଯିବ । ଏହା କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ, ଫୋନି ଆଜି ସକାଳେ ଉତର-ପୂର୍ବ ଗତି କରି ପ୍ରାୟ ପୁରୀ ପାଖରୁ ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୬୮୦ କିଲୋମିଟର ଦୂରରେ କେନ୍ଦ୍ରିଭୁତ ହେଉଛି । ୩ ତାରିଖ ଅପରାହ୍ଣରେ ଫୋନି ଓଡିଶା ଉପକୂଳ ଛୁଇଁବ । ବାତ୍ୟା ଫୋନି ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିପାରେ । ସେତେବେଳେ ପବନର ବେଗ ଘଂଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ମଧ୍ୟରେ ରହିବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଂଜୟ ମହାପାତ୍ର ।

ମୃତ୍ୟୁଂଜୟଙ୍କ ସୂଚନା ଅନୁସାରେ, ଫୋନିର ପ୍ରଭାବ ନିଶ୍ଚିତ ଭାବରେ ଓଡିଶା ଉପରେ ରହିବ । ତେବେ ଘଂଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ମାତ୍ର ଆସନ୍ତା କାଲିକୁ ବାତ୍ୟାର ଦିଗରେ ପରିବର୍ତ୍ତନ ଆସିବ । ବର୍ତ୍ତମାନ ସ୍ଥିତି ଅନୁସାରେ , ୩ତାରିଖ ଅପରାହ୍ଣରେ ଚାନ୍ଦବାଲି ଏବଂ ଗୋପାଳପୁର ମଧ୍ୟରେ ପୁରୀ ପାଖରେ ଏହା ଓଡିଶା ଉପକୂଳକୁ ଅତିକ୍ରମ କରିବ । ସେତେବେଳେ ଏହାର ପବନର ୧୭୦ରୁ ୧୮୦ କିଲୋମିଟର ପ୍ରତିଘଂଟା ବୋହିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ସେହିଭଳି ଉପକୂଳ ଓଡିଶା ଦେଇ ଏହା ଉତର-ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗରେ ପହଂଚିବ ବାତ୍ୟା ଫୋନି । ସାମୁଦ୍ରିକ ଝଡ ଫୋନି ଓଡିଶାର ଉପକୂଳ ବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରି ୪ ତାରିଖ ସକାଳେ ପଶ୍ଚିମବଙ୍ଗ ସୀମାରେ ପହଂଚିବ । ତେବେ ୧୭୦ରୁ ୧୮୦ କିଲୋମିଟର ପବନରେ ଚାଳଛପର, ଟାଇଲ, ପୁରୁଣା ପକ୍କା ଘର ଆଦି କ୍ଷତିଗ୍ରସ୍ତ ହୋଇପାରେ । ଅଧିକ ବର୍ଷା ହେତୁ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ଦେଢ ମିଟର ସମୁଦ୍ର ଜୁଆର ଆସିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଫୋନି ପ୍ରଭାବରେ ୪ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ । ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇପାରେ କେନ୍ଦ୍ରାପଡା ଓ ବାଲେଶ୍ୱର । ୪୮ ଘଂଟା ମଧ୍ୟରେ ପବନର ଗତିରେ କିଛି ବି ପରିବର୍ତନ ହୋଇପାରେ ବୋଲି କହିଛନ୍ତି ଆଇଏମଡି ଏଡିଜି ।