ଭୁବନେଶ୍ୱରରେ ‘ଫୋନି’ର ତାଣ୍ଡବ : ବାତ୍ୟା ପ୍ରଭାବରେ ରାଜଧାନୀରେ ବହୁଛି ଘଂଟା ପ୍ରତି ୧୫୦ କିମି ବେଗରେ ପବନ, ଆହୁରୀ ଦୁଇ ଘଂଟା କାଳ ରଚିବ ତାଣ୍ଡବ

ବହୁ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ, ତଳିଆ ଅଂଚଳରେ ପାଣି ପଶିଲା

2,013

କନକ ବ୍ୟୁରୋ: ରାଜ୍ୟରେ ତାଣ୍ଡବ ରଚିଛି ଫୋନି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ସାରା ରାଜ୍ୟରେ ପ୍ରଳୟଙ୍କାରୀ ବାତାବରଣ ସୃଷ୍ଟି କରିଛି । ତେବେ ଫୋନି ପ୍ରକୋପରେ ପୁରୀ ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ କରିଦେଇଛି ତାଣ୍ଡବ ଲୀଳା । ବଡ କଥା ହେଲା ଏହି ସାମୁଦ୍ରିକ ଝଡ ଗତିପଥରେ ଯିଏ ବି ପଡିଲା ତାକୁ ସେ ଧ୍ୱଂସ କରି ଆଗକୁ ଆଗକୁ ମାଡି ଚାଲିଛି । ପୁରୀରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ତାଣ୍ଡବ ରଚିଚାଲିଛି ଏହି ଭୟଙ୍କର ବାତ୍ୟା ଫୋନି ।

ଆଜି ସକାଳ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାଫଳରେ ଏବେ ଫନିର ଅଧିକାଂଶ ଅଂଶ ସ୍ଥଳଭାଗ ଭିତରେ ରହିଛି । ଏହାର ପ୍ରଭାବରେ ପୁରୀ ସମେତ ଖୋର୍ଦ୍ଧା,ଜଗତସିପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନ ଓ ବର୍ଷାର ତାଣ୍ଡବ ଦେଖାଦେଇଛି । ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି । ସ୍ଥଳାଭାଗ ଛୁଇଁଥିବାରୁ ଆସନ୍ତା କିଛି ଘଣ୍ଟାପରେ ଏହାର ଶକ୍ତି ହ୍ରାସ ପାଇବା ଆରମ୍ଭ କରିବ । ଧୀରେ ଧୀରେ ଏହା ଉତ୍ତପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ଆସନ୍ତା କାଲି ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

କେବଳ ପୁରୀ ନୁହେଁ ଏହି ଭୟଙ୍କର ବାତ୍ୟାର ମୁହଁରୁ ବର୍ତ୍ତିଯାଇନି ରାଜଧାନୀ ଭୁବନେଶ୍ୱର । ପୁରୀ ଭଳି ଭୁବନେଶ୍ୱରରେ ମଧ୍ୟ ଦେଖଇବାକୁ ମିଳିଛି ବାତ୍ୟା ଫୋନିର କରାଳ ରୂପ । ରାଜଧାନୀରେ ବି ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ଲାଗି ରହିଛି । ଦିନ ଯେତିକି ଯେତିକି ବଢୁଛି ରାଜଧାନୀରେ ଉଭୟ ପବନ ଏବଂ ବର୍ଷାର ପରିମାଣ ମଧ୍ୟ ସେତିକି ସେତିକି ବଢିବାରେ ଲାଗିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଫୋନି ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ସକାଳୁ ହିଁ ବର୍ଷାର ପରିମାଣ ବଢିଥିବା ଦେଖାଯାଇଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ହେଉଥିବା କାରଣରୁ ରାସ୍ତା ଘାଟ ମଧ୍ୟ ଶୂନଶାନ ହୋଇପଡିଛି । ବଡ କଥା ହେଲା ରାଜଧାନୀରେ ଘଂଟାପ୍ରତି ପାଖାପାଖି ଦେଢ ଶହ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ସହିତ ପ୍ରବଳ ମାତ୍ରାରେ ବର୍ଷା ମଧ୍ୟ ଜାରି ରହିଛି । ଯାହା ଫଳରେ ବଡ ବଡ ଗଛ ଗୁଡିକ ଉପୁଡି ପଡି ରାସ୍ତା ଉପରେ ପଡିଛି । ଏପିରକି ଅନେକ ଦୋକାନ ମଧ୍ୟ ପବନରେ ଭାଙ୍ଗି ଯାଇଛି ।

ଖାଲି ଏତିକି ନୁହେଁ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀରେ ଥିବା ବହୁତ ତଳିଆ ଅଂଚଳରେ ପାଣି ପଶିଯାଇଥିବା ଖବର ଆସୁଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଫୋନି ଲ୍ୟାଣ୍ଡଫଲର ପ୍ରକ୍ରିୟା ଚାଲିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ଥିବାରୁ ଲୋକମାନେ ମଧ୍ୟ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଗତକାଲି ମଧ୍ୟ ବାତ୍ୟା ଲ୍ୟାଣ୍ଡ ଫଲ ସମୟରେ ଘରୁ ନବାହାରିବା ପାଇଁ ସରକାର ଲୋକମାନଙ୍କୁ ଅପିଲ କରିଥିଲେ । ତେବେ କହିବାକୁ ଗଲେ ବାତ୍ୟା ଫୋନିର ପ୍ରଭାବ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଛି ।