କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଆସନ୍ତା ୧୦ଦିନ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ମଡେଲ୍ କହିଲାଣି ।
ଗୋଟିଏ ଘୂର୍ଣିବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଦୁଇଟି ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଗୁଡିକ ଦକ୍ଷିଣ ଚାଇନା ସାଗରରୁ ପଶ୍ଚିମ ଦିଗକୁ ଗତି କରି ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛନ୍ତି । ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଠାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆଜିଠାରୁ ୨୨ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ସେହିପରି ୨୪ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୫ରେ ଏହା ଲଘୁଚାପରେ ପରିଣତ ହେବ ଏବଂ ୨୬ରେ ଅବପାତର ରୂପ ନେବ । ଏହା ପ୍ରଭାବରେ ୨୬ ଓ ୨୭ ତାରିଖରେ ଉପକୂଳ ଓଡିଶା ଓ ଏହାର ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହା ଭଦ୍ରକ ଜିଲ୍ଲା ଦେଇ ଉତ୍ତର ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ଏହାର ପ୍ରଭାବ ନକମୁଣୁ ୨୬ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ ୨୮ ତାରିଖ ସୁଦ୍ଧା ଏହା ଲଘୁଚାପ ରେ ପରିଣତ ହେବ । ଯାହା ପ୍ରଭାବରେ ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଶ୍ରୀ ସାହୁ କହିଛନ୍ତି ।
ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସପ୍ତାହେ ପରେ ରାଜ୍ୟରେ ଅବପାତଜନିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ । ଉଭୟ ଜିଏଫ୍ଏସ୍-ଏନ୍ସିଇପି ଓ ଇସିଏଚ୍ଡବ୍ଲ୍ୟୁଏଫ୍ ମଡେଲରୁ ଜଣାପଡ଼ୁଛି, ଦକ୍ଷିଣ ଚୀନ୍ ସାଗରରୁ ଲଘୁଚାପ ବଳୟର ଅବଶିଷ୍ଟାଂଶ ଆସି ସେପ୍ଟେମ୍ବର ୨୩ରେ ମିଆଁମାର ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି କରିବ । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଉପକୂଳ ନିକଟକୁ ଆସିବା ବେଳକୁ ସମ୍ଭବତଃ କିଛି ମାତ୍ରାରେ ଦୁର୍ବଳ ହୋଇପାରେ । ତେବେ ଏହା ପ୍ରଭାବରେ ୨୬ରୁୁ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହେବ । ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହାର ପ୍ରଭାବ ରହିବ ।
୨୭ ଓ ୨୮ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହାର ଗତିପଥ କ’ଣ ରହିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଉଭୟ ଏନ୍ସିଇପି ଓ ଇସିଏଚ୍ଡବ୍ଲ୍ୟୁଏଫ୍ କହୁଛି, ରାଜ୍ୟରେ ଏହାର ପ୍ରଭାବ ରହିବ। ଇସିଏଚ୍ଡବ୍ଲ୍ୟୁଏଫ୍ କହୁଛି, ଏହା ଓଡ଼ିଶା ସ୍ଥଳଭାଗ ଛୁଇଁବ ଓ ଗଭୀର ଅବପାତ ହେବାର ସମ୍ଭାବନା ରହିଛି । ୨୩ ତାରିଖ ବେଳକୁ ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଏବଂ ବର୍ତ୍ତମାନର ଲଘୁଚାପ ବଳୟ କେନ୍ଦ୍ରୀୟ ଭାରତକୁ ଯିବା ପରେ ଏହାର ଗତିପଥ ସହିତ କେତେ ଘନୀଭୂତ ହେବ ଓ ରାଜ୍ୟରେ ଏହାର କି ପ୍ରଭାବ ରହିବ; ସେ ନେଇ ସ୍ପଷ୍ଟ କହିହେବ ବୋଲି ସେ କହିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ଏବେ ବି ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବାବେଳେ ଆସୁଥିବା ଲଘୁଚାପ ଏହାକୁ ଭରଣା କରିବାର ସମ୍ଭାବନା ସୃଷ୍ଟି ହୋଇଛି । ବର୍ଷା ସିନା ଭରଣା ହୋଇଯିବ ହେଲେ ବିଳମ୍ବ ଯୋଗୁଁ ଚାଷ ପ୍ରଭାବିତ ହୋଇଯିବ ।