ଉତ୍ତର ଭାରତରେ ବନ୍ୟାର ପ୍ରକୋପ : ଲଗାଣ ବର୍ଷାରେ ଦିଲ୍ଲୀ ପାଣି–ପାଣି । ଉତରାଖଣ୍ଡରେ ଭୂସ୍ଖଳନରେ ଧୋଇଗଲା ଜାତୀୟ ରାଜପଥ

186

କନକ ବ୍ୟୁରୋ : ଉତରାଖଣ୍ଡରେ ପ୍ରକୃତିର କୋପ । ପ୍ରବଳ ବର୍ଷା ପରେ ଭୂସ୍ଖଳନ । ରାସ୍ତା ଉପରକୁ ମାଡି ଆସିଛି ପାହାଡ । ପାହାଡ ଧସିବା ପରେ ରାସ୍ତା ଉପରେ ବଡ ବଡ ପଥର ଖଣ୍ଡ । ଉତରାଖଣ୍ଡର ପିଥୋରାଗଡରେ ଦେଖିବାକୁ ମିଳିଛି ଏପରି ଚିତ୍ର । ପିଥୋରାଗଡର ଧରଚୁଲା ଅଂଚଳରେ ବର୍ଷା ପରେ ପରେ ଆରମ୍ଭ ହୋଇଯାଇଛି ଭୂସ୍ଖଳନ । ଏଥିପାଇଁ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ସାବଧାନତା ଅବଲଂବନ କରିବାକୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ । ସେପଟେ ବର୍ଷା ପରେ ପରେ ଫୁଲିବାକୁ ଆରମ୍ଭ କରିଛି କାଲି ଓ ଗୋରୀ ଗଙ୍ଗା ନଦୀ । ଯାହାକି ସ୍ଥାନୀୟ ଅଂଚଳର ଜନଜୀବନକୁ ଗଭୀର ପ୍ରଭାବିତ କରିଛି ।
ସେପଟେ, ଲଗାଣ ବର୍ଷା ପରେ ପରେ ଜଳ ବନ୍ଦୀରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନ । ମାନେକସ ରୋଡରେ ଗୋଟେ ଫୁଟରୁ ଅଧିକ ଉଚରେ ବି ପାଣି ଜମି ରହିଛି । ଫଳରେ ଏହାରି ଭିତରେ ଗଭୀର ପ୍ରଭାବିତ ହୋଇଛି ଗମନାଗମନ ଏବଂ ସାଧାରଣ ଜୀବନ ଯାତ୍ରା । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି , ଦିଲ୍ଲୀରେ ଆଜି ପ୍ରବଳ ବର୍ଷା ସହିତ ଘଡଘଡି ସଂଭାବନା ରହିଛି । ଏହି ବର୍ଷା ପରେ ଜଳଘେରରେ ଥିବା ସ୍ଥାନ ଗୁଡିକରେ ପାଣି ସ୍ତର ବଢିବା ଆକଳନ କରାଯାଉଛି । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ତଳି ଅଂଚଳ ଲୋକେ ।