କନକ ବ୍ୟୁରୋ:ସାମ୍ବାଦିକଙ୍କ ଟିଭି ଡିବେଟରୁ ପ୍ରଭାବିତ ହେଲେ ମହିଳା ଆଇଏଏସ୍ । ତା’ପରେ ବନ୍ଧୁତା । ୨ ବର୍ଷର ବନ୍ଧୁତା ନେଲା ପ୍ରେମର ରୂପ । ଏବେ ଏହି ପ୍ରେମ ବିବାହରେ ପରିଣତ ହେବାକୁ ଯାଉଛି । ହେଲେ ଏହି ବିବାହ ସବୁଠୁ ନିଅ।।ରା । କାରଣ ଏଠି ଉଭୟ ବର କନିଆଁଙ୍କ ବୟସ ୫୦ ଉପରେ । ଜଣଙ୍କୁ ୫୬ ହେଲେ ଅନ୍ୟଜଣଙ୍କୁ ୫୭ । ଦୁହେଁ ବି ଉଚ୍ଚ ପଦସ୍ଥ । ଜଣେ ଆଇଏଏସ୍ ଅଫିସରଙ୍କୁ ଅନ୍ୟଜଣେ ନାମକରା ବରିଷ୍ଠ ସାମ୍ବାଦିକ । ଆମେ କହୁଛୁ ମହିଳା ଆଇଏଏସ୍ ଶୈଳବାଳା ମାର୍ଟିନ୍ ଓ ବରିଷ୍ଠ ପତ୍ରକାର ରାକେଶ ପାଠକଙ୍କ କଥା । ଏବେ ଏହି ଦୁହିଁଙ୍କ ଲଭ୍ ମ୍ୟାରେଜକୁ ନେଇ ସବୁଆଡେ ଚର୍ଚ୍ଚା ।
ଶୈଳବାଳା ମାର୍ଟିନ୍ ଇନ୍ଦୋରର ବାସିନ୍ଦା । ଖ୍ରୀଷ୍ଟିଆନ୍ ପରିବାରରେ ଜନ୍ମିତ ଶୈଳବାଳା ୨୦୦୯ ବ୍ୟାଚର ଆଇଏଏସ୍ ।ପୂର୍ବରୁ ଅନେକ ବିଭାଗରେ ନିଜର କାର୍ଯ୍ୟ ଦକ୍ଷତା ପ୍ରମାଣିତ କରିସାରିଥିବାବେଳେ ଏବେ ବଲ୍ଲଭ ଭବନ ଭୋପାଳରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୫୬ ବର୍ଷିୟା ଶୈଳବାଳା ଏଯାଏଁ ଅବିବାହିତ ଥିବାବେଳେ ରାକେଶ ପାଠକ କିନ୍ତୁ ବିବାହିତ । ହେଲେ ୨୦୧୫ ମସିହାରେ ତାଙ୍କର ପ୍ରଥମ ପତ୍ନୀଙ୍କର କ୍ୟାନସରରେ ଦେହାନ୍ତ ହୋଇସାରିଛି । ତାଙ୍କର ଦୁଇ ଝିଅଙ୍କ ମଧ୍ୟରୁ ଜଣେ ବିବାହିତ । ହେଲେ ଏବେ ଶୈଳବାଳାଙ୍କୁ ନିଜର ଜୀବନସାଥୀ ଭାବେ ବାଛିନେଇଛନ୍ତି ରାକେଶ ପାଠକ । ତେବେ ଏହି ଦୁହିିଁଁଙ୍କ ପ୍ରେମ କାହାଣୀ ଭାରି ନିଆରା ।
ସବୁବେଳେ ଅଫିସରୁ ଫେରିବା ପରେ ଟିଭିରେ ଡିବେଟ୍ ଶୋ’ସବୁ ଦେଖନ୍ତି । ଦିନେ ଏପରି ଏକ ଡିବେଟ ତାଙ୍କ ନଜରକୁ ଆସିଥିଲା ଯେଉଁଥିରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବରିଷ୍ଠ ସାମ୍ବାଦିକ ରାକେଶ ପାଠକ୍ । ତାଙ୍କର କହିବାର ତରିକା ଓ ଅତି ସରଳ ଯୁକ୍ତି ଶୈଳବାଳାଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏହାପରେ ରାକେଶଙ୍କ ଡିବେଟ ଗୁଡିକୁ ଚାତକ ଭଳି ଚାହିଁ ରହୁଥିଲେ ଶୈଳବାଳା । ଏହାପରେ ମହାମାରୀ କରୋନା ସମୟରେ ରାକେଶ ପାଠକଙ୍କ ସେବା କାର୍ଯ୍ୟ ତାଙ୍କ ମନ ମୋହିନେଇଥିଲା । ଦୁଇଜଣଙ୍କ ଚିନ୍ତାଧାରାରେ ବେଶ ତାଳମେଳ ଥିଲା । ଏହାପରେ ତାଙ୍କୁ ଫେସବୁକରେ କୃତଜ୍ଞତା ଜଣାଇଥିଲେ ଶୈଳବାଳ । ଏହାକୁ ଦେଖି ଶୈଳଙ୍କ ପ୍ରୋଫାଇଲ ମଧ୍ୟ ଚେକ୍ କରିଥିଲେ ରାକେଶ । ତାଙ୍କୁ ଶୈଳଙ୍କ ଅନେକ ଲେଖା, ପ୍ରତିଭାର ପରିଚୟ ମିଳିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚ୍ୟାଟିଙ୍ଗ ହୁଏ । ଆଉ ୨ ବର୍ଷ ଭିତରେ ଦୁହେଁ ଦୁହିଁଙ୍କୁ ଖୁବ ଭଲ ଭାବେ ଜାଣିନେବା ପରେ ପରସ୍ପରକୁ ହୃଦୟ ଦେଇ ବସନ୍ତି । ଦୁହିଁଙ୍କ ଜାତି ଧର୍ମ ସମ୍ପୂର୍ଣ୍ଣ ଅଲଗା ହୋଇଥିଲେ ବି କିଛି ଫରକ୍ ପଡିନଥିଲା ।
ଏକଥା କାହାରିକୁ ଜଣାନଥାଏ । ଥରେ ରାକେଶଙ୍କ ଜନ୍ମଦିନରେ ତାଙ୍କ ଘରକୁ ଏକ ବୁକେ ସହ କେକ୍ ପଠାଇଥିଲେ ଶୈଳବାଳା । ଏହା ଜାଣିପାରି ରାକେଶଙ୍କୁ ଏବାବଦରେ ପଚାରିଥିଲେ ସାନଝିଅ । ଆଉ ସବୁ ଜାଣିବା ପରେ ତାଙ୍କୁ ପ୍ରପୋଜ୍ କରିବାକୁ ବାପା ରାକେଶ ପାଠକଙ୍କୁ ଅନୁରୋଧ କରିଥିଲା ଝିଅ । ଆଉ ନିଜର ନିର୍ବନ୍ଧ ଦିନ ବାପା ରାକେଶ ପାଠକଙ୍କ ସହ ଶୈଳବାଳା ମାର୍ଟିନଙ୍କ ବିବାହ ବିଷୟରେ ସର୍ବ ସମକ୍ଷରେ ଘୋଷଣା କରିଥିଲେ ଦୁଇ ଝିଅ । ଝିଅର ବିବାହ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଦୁଇ ପ୍ରେମପକ୍ଷୀ ।