ଗୋବିନ୍ଦଙ୍କ ପରକିୟା ପ୍ରୀତି ଜାଣିଥିବାରୁ ମମିତାଙ୍କୁ କରାଯାଇଛି ହତ୍ୟା । ତଣ୍ଟିଚିପି ମାରି ଦେଇଥିଲେ ନିଜେ ଗୋବିନ୍ଦ ।

162

କନକ ବ୍ୟୁରୋ : ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କର କେମିତି ଓ କାହିଁକି ହେଲା ମୃତ୍ୟୁ, ତା’ର କାରଣ ଜାଣିବା ପାଇଁ ସାରା ରାଜ୍ୟ ଚାହିଁ ରହିଥିବା ବେଳେ ଆଜି ବଲାଙ୍ଗୀର ପୋଲିସ ମମିତାଙ୍କ ମୃତ୍ୟୁ ପଛର କାରଣ କହିଛି । ପୋଲିସ କହିଛି ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ପରକୀୟା ପ୍ରୀତି ଜାଣିଥିବାରୁ ମମିତାଙ୍କୁ ସେ ହତ୍ୟା କରିଛନ୍ତି ।

ପୋଲିସର କହିବା ଅନୁସାରେ ମମିତାଙ୍କୁ ଗାଡି ଭିତରେ ତଣ୍ଟି ଚିପି ହତ୍ୟା କରିଥିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତା ବଞ୍ଚିବା ପାଇଁ କାର ଭିତରେ ସଂଘର୍ଷ କରିଥିଲେ । ଧସ୍ତାଧସ୍ତିରେ ଗାଡି ସିଟର କିଛି ଅଂଶ ଛିିଣ୍ଡି ବି ଯାଇଥିଲା । ହେଲେ, ରାକ୍ଷସ ବନିଯାଇଥିବା ଗୋବିନ୍ଦ ପଂଝାରୁ ନିଜକୁ ବଞ୍ଚାଇ ପାରିନଥିଲେ ମମିତା । ଆଉ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।

ଗୋବିନ୍ଦ କରୁଥିଲେ ପରକିୟା ପ୍ରୀତି । ଜାଣିଥିଲେ ମମିତା, ବାଟରୁ ହଟାଇବା ପାଇଁ ରଚିଥିଲେ ଷଡଯନ୍ତ୍ର । ମମିତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର କୁଆଡେ ପରକିୟା ପ୍ରୀତି ରହିଥିଲା । ଆଉ ଗୋବିନ୍ଦଙ୍କ ପରକିୟା ପ୍ରୀତିର ଚିଠା ମମିତାଙ୍କ ପାଖରେ ରହିଥିଲା । ମମିତା କାଳେ ଗୋବିନ୍ଦଙ୍କ ଏହି ଗୁମର ଖୋଲିଦେବେ ସେଥିପାଇଁ ହତ୍ୟା ପାଇଁ ନୀଳନକ୍ସା ଆଙ୍କିଥିଲେ ହତ୍ୟାକାରୀ ଗୋବିନ୍ଦ । ମମିତାଙ୍କୁ ପ୍ରଥମେ ଘରୁ ଡାକିଥିଲେ । ଘରୁ ଆସିବା ପରେ ବିଶ୍ୱାସ ଜନ୍ମାଇ ଅଧାବାଟରୁ ମମିତାଙ୍କୁ ନିଜ କାରରେ ଆଣିଥିଲେ ଗୋବିନ୍ଦ । ତାପରେ, ପୂର୍ବ ଯୋଜନା ଅନୁଯାୟୀ ଅଧାବାଟରେ ମାରି ଦେଇଥିଲେ ।

ମମିତାଙ୍କୁ ମାରିବା ପରେ କେମିତି ପ୍ରମାଣ ନଷ୍ଟ କରିବ । ସେଥିପାଇଁ ପୂର୍ବରୁ ଯୋଜନା କରିଥିଲେ ଜଘନ୍ୟ ଅପରାଧୀ ଗୋବିନ୍ଦ । ଯୋଜନା ମୂତାବକ ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଜେସିବି ଡ୍ରାଇଭରକୁ କହିଥିଲେ । ଆଉ ହତ୍ୟା କରିବା ପରେ ୮ ତାରିଖରେ ସେହି ଗାତ ଭିତରେ କାଠପ୍ଲାଏ, ଟାୟାର ପକାଇ ତାଉପରେ ମମିତାଙ୍କ ଶବକୁ ଜାଳି ଦେଇଥିଲା । ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ପକାଯାଇଥିଲା । ଗୋବିନ୍ଦ ଡ୍ରାଇଭରକୁ ଜେରା କରିବା ପରେ ପୋଲିସକୁ ଏପରି ତଥ୍ୟ ମିଳିଥିବା ଜଣାପଡ଼ିଛି । କିନ୍ତୁ ପୋଲିସର ଏହି ଥିଓରୀ କେତେ ଠିକ୍ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ହେଉଛି ପରକିୟା ପ୍ରୀତି ପାଇଁ ଗୋବିନ୍ଦ ହତ୍ୟା କରିଛନ୍ତି ନାଁ ଏହା ପଛରେ ଏକ ବଡ ସେକ୍ସ ସ୍କାଣ୍ଡାଲର ଲିଙ୍କ୍ ରହିଛି ।