ଅପରେସନ ବେଳେ କାନ୍ଦିବାରୁ ମହିଳାଙ୍କୁ ଦେବାକୁ ହେଲା ଅଧିକ ଦେୟ, ଭାଇରାଲ ହେଉଛି ବିଲ ସଲଗ୍ନ ଟ୍ୱିଟ୍

232

କନକ ବ୍ୟୁରୋ : ଅପରେସନ ଏମିତି ଏକ ଶବ୍ଦ ଯାହାକୁ ଶୁଣିବା ପରେ ପ୍ରତିଟି ମଣିଷର ହୃଦସ୍ପନ୍ଦନ ବଢିଯାଇଥାଏ । କୌଣସି ପ୍ରକାର ଅପରେସନ ହେଉ ନା କାହିଁକି, ଯାହା ଭିତରେ ବିତିଛି ସେ ହିଁ ଜାଣିଛି ସେହି ସମୟରେ ମଣିଷର ମାନସିକ ଅବସ୍ଥା କିଭଳି ଥାଏ । ଏହା ସ୍ୱଭାବିକ ଯେ ଅପରେସନ ରୁମକୁ ନେବା ପୂର୍ବରୁ ହେଉ ବା ଅପରେସନ ବେଳେ ହେଉ ମଣିଷ ଆଖିରେ ଲୁହ ଆସିଯାଇଥାଏ । କେହି କେହି ବି ବଡ ପାଟିରେ କାନ୍ଦନ୍ତି ଓ କିଛି ଲୋକ ଚିକ୍ରାର ବି କରନ୍ତି । ଏହା ମେଡିକାଲରେ ଏକ ସ୍ୱଭାବିକ କଥା ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅପରେଶନ ସମୟରେ ଜଣେ ମହିଳା କାନ୍ଦିବାରୁ ମେଡିକାଲ କର୍ତ୍ତୁପକ୍ଷ ମହିଳାଙ୍କ ଉପରେ ଅଧିକ ଚାର୍ଜ ଲଗାଇଛନ୍ତି ଓ ଏହି ଚାର୍ଜ ଲଗାଇବାର କାରଣ ବି କାନ୍ଦିବା ପାଇଁ ଲଗାଯାଇଛି ବୋଲି ବିଲରେ ଦର୍ଶା ଯାଇଛି ।

ସୂଚନା ମୁତାବକ ଆମେରିକାର ଜଣେ ମହିଳା ଦାବି କରି କହିଛନ୍ତି କି, ଅପରେସନ ବେଳେ ସେ କାନ୍ଦିବାରୁ ଡାକ୍ତର ତାଙ୍କ ଉପରେ ଅଧିକ ବିଲ ଲଗାଇଛନ୍ତି । ଏହାର ପ୍ରମାଣ ଆଧାରରେ ମହିଳା ଜଣଙ୍କ ମେଡିକାଲ ବିଲକୁ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହି ବିଲ୍ ମୁତାବକ ମହିଳା ଜଣଙ୍କ କାନ୍ଦିବାରୁ ତାଙ୍କ ଉପରେ ଡାକ୍ତର ଅଧିକ ୧୧ ଡଲାର ଚାର୍ଜ କରିଛନ୍ତି । ତାଙ୍କର ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ କିଛି ଲୋକ ନିଜ ବିଚାର ରଖିଛନ୍ତି । କହିରଖୁ କି ଏହି ପୋଷ୍ଟଟି ଆମେରିକାର ମିଜ ନାମକ ଜଣେ ମହିଳା ସେୟାର କରିଛନ୍ତି । ମହିଳା ଜଣଙ୍କ ନିଜ ଶରୀରରେ ଥିବା ଏକ କଳାଜାଇକୁ ହଟାଇବାକୁ ଅପରେସନ କରାଇଥିଲେ । ଏନେଇ ମେଡିକାଲ ପକ୍ଷରୁ ମୋଟ ୨୩୪ ଡଲାରର ଏକ ବିଲ ଦିଆଯାଇଛି । ଏଥିରେ କେଉଁ ବାବଦରେ କେତେ ଟଙ୍କା ଲାଗିଛି ତାହା ଲେଖା ହୋଇଛି । ଏହାସହ ଏଥିରେ ମହିଳା ଜଣଙ୍କ କାନ୍ଦିବାରୁ ତାଙ୍କ ଉପରେ ଅଧିକ ୧୧ ଡଲାର ଚାର୍ଜ ଲଗାଯାଇଥିବା ବି ସାମିଲ ଅଛି ।