କନକ ବ୍ୟୁରୋ : କୁଆଡେ ଗଲା ସାତକୋଶିଆ ବାଘୁଣୀ । ଦେଢ ମାସ ହେଲା ଏକମାତ୍ର ବାଘୁଣୀର ପତା ପାଉନି ବନବିଭାଗ । ବାଘୁଣୀ ନିଖୋଜ ହୋଇଯିବା ପରେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ସେପଟେ ପିସିସିଏଫ କହିଛନ୍ତି, ବାଘୁଣୀ ଜୀବିତ ଅଛି, ବାଘ ଗଣନା ଯୋଗୁଁ କ୍ୟାମେରା କମ ଥିବାରୁ ତା’ ଗତିବିଧି ଜଣାପଡୁନାହିଁ । ସାତକୋଶିଆର କୋର ଏରିଆରେ କିଛି ତୃଣଭୋଜୀ ପ୍ରାଣୀଙ୍କ ଶିକାର ହେଉଛି, ଯାହା ବାଘୁଣୀ ବଞ୍ଚିଥିବା ନେଇ ପ୍ରମାଣ କରୁଛି ।

Advertisment

ବାଘୁଣୀ ପାଇଁ ବାଉଳା ବନବିଭାଗ । ସାତକୋଶିଆରୁ ହଜିଗଲା ଶେଷ ସନ୍ତକ । ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରୁ ନିଖୋଜ ହୋଇଯାଇଛି ଏକମାତ୍ର ବାଘୁଣୀ । ଦେଢ ମାସ ଧରି ବନବିଭାଗ ଏହି ବୟସ୍କ ବାଘୁଣୀର ପତା ପାଉନି । ଏପରିକି ବାଘୁଣୀର ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ଖଞ୍ଜାଯାଇଥିବା କ୍ୟାମେରାରେ ମଧ୍ୟ ଦେଖିବାକୁ ମିଳୁନି ବାଘୁଣୀର ଚିତ୍ର । ଶେଷ ଥର ପାଇଁ ଗତ ନଭେମ୍ବର ୨୩ ତାରିଖରେ କ୍ୟାମେରା ଟ୍ରାପରେ ଦୃଶ୍ୟମାନ ହୋଇଥିଲା ଏହି ରୋଗିଣୀ ବାଘୁଣୀ । ୨୦୦୪ରେ ୧୮ଟି ମହାବଳ ବାଘ ଥିବା ସାତକୋଶିଆ ଅଭୟାରଣ୍ୟ, ଏବେ ବାଘଶୂନ୍ୟ ହେବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ତୁରନ୍ତ ଏହି ବାଘ ବିଷୟରେ ବିଭାଗ ତଥ୍ୟ ପ୍ରକାଶ କରିବା ଦରକାର ବୋଲି ଦାବି କରିଛନ୍ତି ବିଶେଷଜ୍ଞ ।

ତେବେ ବାଘୁଣୀ ଜୀବିତ ଥିବା ଓ ଅନ୍ୟ କେଉଁ ଅଞ୍ଚଳକୁ ଚାଲିଯାଇଥିବା ଅନୁମାନ କରୁଛି ବନବିଭାଗ । ରାଜ୍ୟରେ ଚାଲିଥିବା ବାଘ ଗଣନା କାର୍ଯ୍ୟକ୍ରମ ଯୋଗୁଁ କ୍ୟାମେରା ସଂଖ୍ୟା ହ୍ରାସ କରାଯାଇଥିବା ଯୋଗୁଁ ବାଘକୁ ଠାବ କରାଯାଇପାରୁନାହିଁ ଓ କୋର ଏରିଆରେ କିଛି ତୃଣଭୋଜୀ ପ୍ରାଣୀଙ୍କ ଶିକାର, ବାଘୁଣୀ ବଞ୍ଚିଥିବା ନେଇ ପ୍ରମାଣ କରୁଛି ବୋଲି କହିଛନ୍ତି ପିସିସିଏଫ ।

ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାକୁ ୨୦୧୮ରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା । କିନ୍ତୁ ବନବିଭାଗର ଦାୟିତ୍ୱହୀନତା ଯୋଗୁଁ ଗୋଟିଏ ବାଘ ଶିକାରୀଙ୍କ ଫାଶରେ ପ୍ରାଣ ହରାଇଥିଲା । ଅନ୍ୟ ବାଘୁଣୀକୁ ମଧ୍ୟ ପୁଣିଥରେ ମଧ୍ୟପ୍ରଦେଶକୁ ଫେରାଇବା ପାଇଁ ବାଧ୍ୟ ହୋଇଥିଲେ ସରକାର । ଏବେ ବହୁ ଦିନ ଧରି ସାତକୋଶିଆରେ ରହିଆସୁଥିବା ଏହି ଏକମାତ୍ର ବାଘୁଣୀ ନିଖୋଜ ହେବା ବନ୍ୟପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏପରିକି ବ୍ୟାଘ୍ରଶୂନ୍ୟ ହେବା ପରେ ୭୯୬ ବର୍ଗ କିଲୋମିଟର ବ୍ୟାପି ଜଙ୍ଗଲ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ହରାଇବା ସମ୍ଭାବନା ସୃଷ୍ଟି ହୋଇଛି ।