ମୋଦିଙ୍କ ମନ୍ତ୍ରୀ ଦେଲେ ବଡ ବୟାନ । ଖୁବଶୀଘ୍ର ପିଓକେକୁ ଭାରତରେ ମିଶାଇବୁ ।

395

କନକ ବ୍ୟୁରୋ : ପାକ-ଅଧିକୃତ କଶ୍ମୀର ଭାରତର ଅଞ୍ଚଳ । ଭାରତ ଦିନେ ନା ଦିନେ ଏହାକୁ ଅଧିକାର କରିବ । ଏଣିକି ପାକିସ୍ତାନ ସହିତ ଆଲୋଚନା ହେଲେ ତାହା କେବଳ ପାକ-ଅଧିକୃତ କଶ୍ମୀର ଉପରେ ହେବ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ।

ନୂଆଦିଲ୍ଲୀରେ ମୋଦି ସରକାର-୨ର ୧୦୦ ଦିନ ଅବସରରେ ପିଓକେକୁ ନେଇ ଏଭଳି ବୟାନ ଦେଇଛନ୍ତି ଜୟଶଙ୍କର । ପିଓକେ ସର୍ମ୍ପକରେ ମୋଦି ସରକାରଙ୍କ ନୀତି ସ୍ପଷ୍ଟ । ଏହା ଭାରତର ଏକ ଅଞ୍ଚଳ ରହିଥିଲା । ଆଉ ପିଓକେକୁ ଖୁବଶୀଘ୍ର ଭାରତର ଭୌଗଳିକ ସୀମାରେ ସାମିଲ କରାଯିବ । ଜୟଶଙ୍କର କହିଛନ୍ତି, ଆମେ ସବୁ ପଡୋଶୀ ଦେଶଙ୍କ ସହ ଭଲ ସଂପର୍କ ରକ୍ଷା କରୁଛୁ । କିନ୍ତୁ ଗୋଟିଏ ପଡୋଶୀ ଦେଶପଟୁ ଆମେ ସବୁବେଳେ ସମସ୍ୟାର ସମ୍ମୁଖୀନ ହେଉଛୁ । ଯେତେଦିନ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦୀ ଶେଷ ନ ହୋଇଛି ଓ ଉକ୍ତ ପଡୋଶୀ ଦେଶର ଆଚରଣ ସ୍ୱାଭାବିକ ନ ହୋଇଛି, ଏହି ସମସ୍ୟା ବଜାୟ ରହିବ । ଦକ୍ଷିଣ ଏସିଆରେ ସମସ୍ୟା ଧାରା ୩୭୦ ନୁହେଁ, ବରଂ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଅଟେ ଓ ସମଗ୍ର ବିଶ୍ୱକୁ ଆମକୁ ଏହା ବୁଝାଇବାକୁ ପଡିବ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ପିଓକେକୁ ନେଇ ବଡ କଥା କହିଥିଲେ । ପିଓକେକୁ ଭାରତରେ ସାମିଲ କରିବା ମୋଦି ସରକାରଙ୍କ ଆଗାମୀ ଏଜେଣ୍ଡା ବୋଲି ରୋକଠୋକ କହିଥିଲେ ଜିତେନ୍ଦ୍ର ।