ବାତ୍ୟା ପାଇଁ ଓଡ଼ିଶାରେ ବ୍ୟାପକ ସ୍ଥାନାନ୍ତରଣ ଜାରି । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ସ୍ଥାନାନ୍ତରଣର ବିରଳ ଚିତ୍ର । ୯୧ ବର୍ଷିୟ ବୃଦ୍ଧାକୁ ଭାରରେ ଆଶ୍ରୟସ୍ଥଳୀ ନେଲେ ପୁଲିସ କର୍ମୀ

272

କନକ ବ୍ୟୁରୋ: ବିପର୍ଯ୍ୟୟ ସହ ମୁକାବିଲା ଏତେ ସହଜ ନୁହେଁ । ଏଥିରେ ପ୍ରତିଟି ମଣିଷର ସହଯୋଗ ଦରକାର । ବାତ୍ୟା, ବନ୍ୟା ଭଳି ବଡ଼ ବଡ଼ ବିପଦକୁ ଓଡ଼ିଶା ଅତିକ୍ରମ କରିଯିବା ପଛରେ ହୁଏତ, ଏହି ଭଳି ଛୋଟ ଛୋଟ ପ୍ରୟାସ ରହିଛି । ଏହି ଦୃୃଶ୍ୟ ପଛରେ କେବଳ ସରକାରୀ ଦାୟିତ୍ୱ ନାହିଁ, ବରଂ ବ୍ୟକ୍ତିଗତ ସହାୟତା କରିବାର ଇଚ୍ଛାଶକ୍ତି ଲୁଚି ରହିଛି ।

ବାତ୍ୟା ଆସୁଛି, ସାଥିରେ ବିପଦ ଆଣିଛି । ଆଉ ଏହି ବିପଦ ବେଳାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଇଏ ହେଉଛି ସେତେବେଳର ଚିତ୍ର, ଯେତେବେଳେ ରାଜନଗର ଅମରାବତୀ ଗାଁର ଜଣେ ୯୧ ବର୍ଷିୟ ବୃଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଉଥିଲା । ବାର୍ଦ୍ଧକ୍ୟ କାରଣରୁ ଚାଲିବାକୁ ସକ୍ଷମ ନୁହନ୍ତି ମହିଳା । ଏଭଳି ସ୍ଥିତିରେ ତାଙ୍କୁ ଭାରବାନ୍ଧି ବୋହି ଅଣାଯାଇଛି ।

ବୃଦ୍ଧା ଜଣକ ଘରେ ଅଛନ୍ତି ଏବଂ ଚାଲିବାକୁ ସକ୍ଷମ ନୁହଁନ୍ତି ଜାଣିବା ପରେ ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ତାଙ୍କ ଘରେ ପହଂଚିଥିଲେ । ବାତ୍ୟା ବିପନ୍ନଙ୍କୁ ଭାର ସାହାର୍ଯ୍ୟରେ କାନ୍ଧରେ ବୋହି ବାତ୍ୟା ଆଶ୍ରୟ ସ୍ଥଳୀକୁ ଆଣିଥିଲେ ।

ଠିକ୍ ସେଭଳି ରଙ୍ଗଣୀ ପଂଚାୟତର ଭେକ୍ଟା ଗାଁରେ ଥାନା ଅଧିକାରୀ ଦେବଦୂତ ସାଜିଥିବା ବେଳେ ଏଠି ବିପଦର ବନ୍ଧୁ ସାଜିଛନ୍ତି, ଜଣେ ଶିକ୍ଷକ । ଗାଁର ଜଣେ ବୃଦ୍ଧାଙ୍କୁ ଭାର ସାହାର୍ଯ୍ୟରେ କାନ୍ଧରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯାଇଛି । ଭେକ୍ଟା ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଜୟ ମହାରଣାଙ୍କ ଉଦ୍ୟମରେ ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।