ବ୍ରହ୍ମଗିରିର ଅଭୟ ଜେନାଙ୍କୁ ଏୟାର ଆଂବୁଲାନ୍ସରେ ହାଇଦ୍ରାବାଦ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା : ବାଟ କଢାଇନେଲେ ଟ୍ରାଫିକ୍ ଡିସିପି; ବିଭିନ୍ନ ଛକରେ ଜଗି ରହି ଆଂବୁଲାନ୍ସକୁ ବିନା ବାଧାରେ ଛାଡିଲେ ୫୦ କର୍ମଚାରୀ  

488

କନକ ବ୍ୟୁରୋ : ଗୁରୁତର ଅଭୟଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା ଏୟାର ଆଂବୁଲାନ୍ସର । ରାଜଧାନୀର ବିମାନ ବନ୍ଦରରେ ଏୟାର ଆଂବୁଲାନ୍ସ ପହଁଚିବା ମାତ୍ରେ, ନୟାପଲ୍ଲୀର ଘରୋଇ ଡାକ୍ତରଖାନାରୁ ଆଂବୁଲାନ୍ସ ଯୋଗେ ଗ୍ରୀନ୍ କରିଡରରେ ପହଁଚାଇ ଦିଆଯାଇଥିଲା ଏୟାରପୋର୍ଟ । ରୋଗୀଙ୍କୁ ନେଇ ଆଂବୁଲାନ୍ସ ପହଁଚିବା ମାତ୍ରେ ସଜାଗ ରହିଥିଲେ ଟିମ୍ । ତୁରନ୍ତ ତାଙ୍କୁ ଆଂବୁଲାନ୍ସରୁ ନେଇ ଏୟାର ଆଂବୁଲାନ୍ସକୁ ସ୍ଥାନାନ୍ତର କରିଥିଲେ ।

ଅଭିଜ୍ଞ ଡାକ୍ତରୀ ଟିମ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଏହି କାମକୁ ଅତି କୁଶଳତାର ସହ କରିଥିଲେ । ଏହି ଏୟାର ଆଂବୁଲାନ୍ସ ଭିତରେ ରୋଗୀ ପାଇଁ ରହିଥାଏ ସମସ୍ତ ଜରୁରୀ ଚିକିତ୍ସା ସେବା ବ୍ୟବସ୍ଥା । ରୋଗୀ ଯିବେ, ତା ସହିତ ଏକ ଡାକ୍ତରୀ ଟିମ୍ ମଧ୍ୟ ଯାଇଥାନ୍ତି । ଏହି ଏୟାର ଆଂବୁଲାନ୍ସ ଜରିଆରେ ବ୍ରହ୍ମଗିରିର ଅଭୟ ଜେନାଙ୍କୁ ରାଜଧାନୀରୁ ହାଇଦ୍ରାବାଦ୍ କିମ୍ସ ଡାକ୍ତରଖାନାକୁ ନିଆଯାଇଛି ।

ଗତକାଲି ରାତିରୁ ଅଭୟ ଜେନାଙ୍କୁ ଅଧିକ ଚିକିତ୍ସା ପାଇଁ ଯୋଜନା ଆରମ୍ଭ କରିଥିଲେ ଡାକ୍ତରୀ ଟିମ୍ । ତେବେ ଆବଶ୍ୟକ ସୁବିଧା ଓଡିଶାରେ ଅଭାବ ଥିଲା । ଏଥିପାଇଁ ହାଇଦ୍ରାବାଦରେ ଥିବା କିମ୍ସ ହସ୍ପିଟାଲକୁ ଯୋଗାଯୋଗ କରାଯାଇଥିଲା । ସେଠାରୁ ଚିକିତ୍ସା ନେଇ ସହମତି ମିଳିବା ପରେ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ନିଆଯିବା ପାଇଁ ଯୋଗାଡ ହେଲା ଏୟାର ଆଂବୁଲାନ୍ସ ।