କନକ ବ୍ୟୁରୋ : କାଲିଠାରୁ ପବିତ୍ର କାର୍ତିକ ମାସ ଆରମ୍ଭ ହେବ । ହବିଷ୍ୟାଳିମାନେ କାର୍ତିକ ବ୍ରତ ପାଳନ ଆରମ୍ଭ କରିବେ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ପୂର୍ବପ୍ରସ୍ତୁତି ଚାଲିଛି । ତେବେ ଯେତିକି ସଂଖ୍ୟାରେ ହବିଷ୍ୟାଳି ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଜିକୃତ ହୋଇଛନ୍ତି, ତା’ଠାରୁ ବହୁ ଅଧିକ ଅପେକ୍ଷାରେ ରହିଛନ୍ତି । ପୂର୍ବବର୍ଷ ଭଳି ଅନେକ ସିଧାସଳଖ ହବିଷ୍ୟାଳି ଶିବିରରେ ପହଞ୍ଚିଥିବା ବେଳେ ରେଜିଷ୍ଟ୍ରି କରିପାରିନଥିବାରୁ ସୁବିଧାରୁ ବଞ୍ଚିତ ହେବାସହ ଅସନ୍ତୋଷ ଦେଖାଦେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଭଳି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ତିକ ବ୍ରତଧାରୀ ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରହିବା, ଖାଇବା ଆଦିର ମାଗଣା ବ୍ୟବସ୍ଥା କରାଯାଉଛି । ଚଳିତବର୍ଷ ବି ଏହି ବ୍ୟବସ୍ଥା କରାଯାଇଥିବାବେଳେ ଏ ଭିତରେ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଛି । ରହଣୀ ପାଇଁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ମୋଚିସାହିସ୍ଥିତ ପୌର କଲ୍ୟାଣ ମଣ୍ଡପର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ ସୂଚନା ମୁତାବକ, ଚଳିତବର୍ଷ ରାଜ୍ୟରୁ ସର୍ବମୋଟ ୩ହଜାର ୨୪ଜଣ ହବିଷ୍ୟାଳି ବୃଦ୍ଧାଙ୍କ ନାମ ପଞ୍ଜିକରଣ କରାଯାଇଛି । କିନ୍ତୁ ନାମ ପଞ୍ଜିକରଣ ପାଇଁ ଆହୁରି ଅନେକ ଇଛୁକ ଥିଲେ ମଧ୍ୟ ସେମାନଙ୍କୁ ପଞ୍ଜିକରଣରୁ ବଞ୍ଚିତ କରାଯାଇଛି । ଯାହାକୁ ନେଇ ହବିଷ୍ୟାଳିଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଅନେକ ହବିଷ୍ୟଳି ସରକାରୀ ସୁବିଧା ଆଶାରେ ଆଗୁଆ ପୁରୀ ଚାଲି ଆସିଥିବା ବେଳେ କୋଉଠି ଓ କିପରି ରହିବେ ସେନେଇ ଏବେ ସ୍ଥାନ ଖୋଜୁଛନ୍ତି । ସେପଟେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ସୁବିଧା କରାଯାଉ ବୋଲି ଦାବି ହୋଇଛି ।