କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ଫେବ୍ରୁଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ; ବର୍ତ୍ତମାନ ପରିସ୍ଥିତିରେ ଏହା ୩୦ ଜୁନ୍ ଯାଏଁ ବୈଧ ରହିବ

ଫିଟନେସ, ଡିଏଲ୍ ଓ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ

10,593

କନକ ବ୍ୟୁରୋ: ଗାଡି ଚାଳକଙ୍କୁ ଆଶ୍ୱସ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଫେବ୍ରୁଆରୀରେ ଅବଧି ସରିଥିବା ଗାଡି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ ଯାଏଁ ବୈଧ ବିବେଚନା କରାଯିବ । ତେବେ ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯଦି ଆପଣଙ୍କର ଗାଡିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡିବ ନାହିଁ । କାରଣ ଏହା ବର୍ତ୍ତମାନ ଆପଣାଛାଏଁ ଜୁନ୍ ୩୦ ତାରିଖ ଯାଏଁ ନବୀକରଣ ହୋଇଯିବ । ଏପରିକି ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡି ଯାଂଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କ ଗାଡିର ଡିଏଲ କିମ୍ବା ଅନ୍ୟ କୌଣସି ଗାଡି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ ତେବେ ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୁଲିସ୍ । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ୨ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ଏହାସହ ଭାରତର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ୫୧ ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୧ ଶହରୁ ଅଧିକ ଆକ୍ଟିଭ୍୍ କେସ୍ ଥିବାବେଳେ ପ୍ରାୟ ଶହେ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ତେଙ୍ଗୋନାରେ ଗୋଟିଏ ଦିନରେ ୬ଜଣଙ୍କ ମୃତ୍ୟୁ ସହ ମୃତକଙ୍କ ସଂଖ୍ୟା ୩୨ରେ ପହଁଚିଛି । ଦିଲ୍ଲୀର ନିଜାମୁଦିନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ତେଲେଙ୍ଗାନାର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକଙ୍କୁ ହସ୍ପିଟାଲରେ ଭତ୍ତର୍ତି କରାଯାଇଛି । ୧୩ ମାର୍ଚ୍ଚରୁ ୧୫ ମାର୍ଚ୍ଚ ଭିତରେ ହୋଇଥିବା ମୁସଲିମ୍ ଧାର୍ମିକ ସମାବେଶରେ ଦେଶ ଓ ବିଦେଶରୁ ବହୁ ଲୋକ ଯୋଗଦେଇଥଇଲେ । ଏହି ସମାବେଶର ଆୟୋଜନ ନେଇ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ସରକାର । ତେବେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସ୍ଥିର ରହିଛି । ଏବେ ସୁଦ୍ଧା ପରୀକ୍ଷା କରାଯାଇଥିବା ମୋଟ ୩୭୦ଟି ରକ୍ତ ନମୂନା ମଧ୍ୟରୁ ୩ଜଣଙ୍କର ପଜିଟିଭ୍ ବାହାରିଛି ।