ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ୩ ମାସ ବଢିଲା ଟ୍ରାଫିକ୍ ନିୟମ କୋହଳ ସମୟସୀମା । କେବଳ ଲାଇସେନ୍ସ ଓ ଗାଡି କାଗଜପତ୍ର ପ୍ରସ୍ତୁତି ପାଇଁ ବଢିଲା ସମୟ

ବିଧାନସଭାରେ ସୂଚନା ଦେଲେ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

3,835

କନକ ବ୍ୟୁରୋ: ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ତିନି ମାସ ଘୁଂଚିଲା ଟ୍ରାଫିକ ନିୟମ କୋହଳ ସମୟ ସୀମା । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନୂଆ ମୋଟର ଯାନ ଆଇନକୁ ଆହୁରୀ ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରାଳୟ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଥ ବେହେରା । ତେବେ କେବଳ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡି କାଗଜପତ୍ର ପ୍ରସ୍ତୁତ ପାଇଁ ଏହି ସମୟ ସୀମାକୁ ବଦ୍ଧିତ କରାଯାଇଥିବା ବେଳେ ହେଲମେଟ୍, ସିଟବେଲ୍ଟ, ମୋବାଇଲ, ଟ୍ରିପଲ ରାଇଡିଂ ଏବଂ ମଦୁଆ ଡ୍ରାଇଭରଙ୍କ ଉପରେ ରହିବ ଟ୍ରାଫିକ୍ ପୁଲିସର କଡ଼ା ନଜର ।

ଅର୍ଥାତ୍ କେବଳ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡି କାଗଜପତ୍ର ନଥିବା ଚାଳକଙ୍କୁ ଏବେ ଆଶ୍ୱସ୍ତି ମିଳିବ । ମାତ୍ର ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ କିନ୍ତୁ ତଣ୍ଡ ଗଣିବାରୁ ଆଶ୍ୱସ୍ତି ପାଇବେ ନାହିଁ ।  ଯଦି କୌଣସି ଚାଳକ ଗାଡି ଚଳାଇବା ବେଳେ ହଲେମେଟ ପିନ୍ଧିନଥିବେ , କିମ୍ବା ସିଟବେଲ୍ଟ ପିନ୍ଧିନଥିବେ କି ମଦ ପିଇ ଗାଡି ଚଳାଉଥିବେ ତେବେ ଏଭଳି ବିଶୃଂଖଳାକାରୀ ଚାଳକଙ୍କ ବିରୋଧରେ ଡିସେମ୍ବର ୧ ତାରିଖରୁ ଜରିମାନା ସାଙ୍ଗକୁ ଦୃଢ କାର୍ଯ୍ୟାନଷ୍ଠାନ ନିଆଯିବ । ସେହି ପରି ରଙ୍ଗ ରୁଟରେ ଗାଡି ଚଳାଇଲେ , ଅଧିକ ସ୍ପିଡରେ ଡ୍ରାଇଭିଂ କରୁଥିବାର ଧରା ପଡିଲେ ମଧ୍ୟ ଜରିମାନା ସାଙ୍ଗକୁ ଉକ୍ତ ଚାଲକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ତେବେ ପୂର୍ବ ନିର୍ଧାରିତ ସମୟ ତଥା ଡିସେମ୍ବର ୧ ରୁ ରାଜ୍ୟରେ ପୁଣି ଟ୍ରାଫିକ ନିୟମ କଡାକଡି ହେବା ନେଇ ଗାଡି କାଗଜପତ୍ର କରିବାକୁ ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ଆଗରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । । ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁଁ ଲୋକଙ୍କୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ତେବେ ଚେକିଂ ପାଇଁ ଡିସେମ୍ବର ପହିଲା ପରିବର୍ତେ ଅଧିକ ସମୟ ଦେବା ଲାଗି ଆଜି ବିଧାନସଭାରେ ଦାବି କରିଥିଲେ ବିଧାୟକ ଦେବୀ ମିଶ୍ର । ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ପରିବହନ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଦୁର୍ନୀତି ବଢିଛି । ଲୋକେ କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ତେଣୁ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ତାରାପ୍ରସାଦ ବାହିନପତି ଦାବି କରିଥିଲେ । ଏପରିକି ଦେବୀ ମିଶ୍ର ଓ ତାରା ବାହିନୀପତିଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ବିଧାୟକ ପ୍ରଦୀପ ମହାରଥୀ । ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର ଯାଂଚର ଅବଧି ବୃଦ୍ଧି କରିବାକୁ ହାତ ଯୋଡି ବାଚସ୍ପତିଙ୍କୁ ନିବେଦନ ମଧ୍ୟ କରିଥିଲେ । ଯାହାକୁ ନେଇ ଗାଡି କାଗଜ ପତ୍ର ପାଇଁ ନୂଆ ମୋଟର ଯାନ ଆଇନକୁ ଆହୁରୀ ୩ ମାସ ପାଇଁ ବଦ୍ଧିତ କରିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।