କନକ ବ୍ୟୁରୋ: ଆଗାମି ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଶାସକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ଦଳର ସୁପ୍ରିମୋ ଦଳର ବରିଷ୍ଠ ନେତା ଓ ବିଧାୟକମାନଙ୍କୁ ନବୀନ ନିବାସକୁ ଡାକି ନିର୍ବାଚନ ପାଇଁ ମନ୍ତ୍ର ଦେଉଛନ୍ତି । ଏହି ପ୍ରସ୍ତୁତି ଭିତରେ ଏଥର ବିଜେଡିରୁ କାହାକୁ ଟିକେଟ ମିଳିବ, କାହାର ଟିକେଟ କଟିବ, ତାହା ଆଲୋଚନାର ବିଷୟ ହୋଇଛି । ଆଉ ଏହି ଆଲୋଚନା ଭିତରେ ବିଜେଡିର ଟିକେଟ ବଂଟାକୁ ନେଇ ତେରଛା ବାଣ ମାରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଜବାବ ରଖିଛି ବିଜେଡି ।

Advertisment

ନିର୍ବାଚନକୁ ଆହୁରି ଢ଼େର ଦିନ ବାକି ଥିଲେ ବି, ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରସ୍ତୁତି ରାଜ୍ୟ ରାଜନୀତିକୁ ଉଷ୍ଣ କରି ରଖିଛି । ବିଶେଷ କରି ଶାସକ ଦଳ ବିଜେଡିର ପ୍ରସ୍ତୁତି ସ୍ପଷ୍ଟ ବାରି ହୋଇପଡୁଛି । କିନ୍ତୁ ଏତିକିବେଳେ ବିଜେଡି ଓ ରାଜ୍ୟ ସରକାରଙ୍କୁ ତେରାଛା ବାଣ ମାରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଅଭିଯୋଗ କରି କହିଛନ୍ତି,

ପ୍ରଦୀପଙ୍କ ଅଭିଯୋଗ..
- ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିବା ବେଳେ ଦଳ ଏବେ ଫାଇଭ-ଟି ସଚିବଙ୍କ ହାତକୁ ଚାଲିଯାଇଛି
- ବିଜେଡିର ବଡ଼ ବଡ଼ ନେତା ଅସନ୍ତୁଷ୍ଟ ଅଛନ୍ତି, ବ୍ୟକ୍ତିଗତ ଭାବରେ ପ୍ରତିବାଦ କରୁଛନ୍ତି କିନ୍ତୁ ମୁହଁ ଖୋଲୁନାହାନ୍ତି
- ୧୪୭ ବିଧାୟକ ଓ ୨୧ ସାଂସଦ ପଦରେ କିଏ ଲଢ଼ିବେ ସେ ଟିକେଟ୍ ସଚିବଙ୍କ ହାତରେ
- ସେ ହିଁ ଟିକେଟ୍ ବାଂଟିବେ, ଯିଏ ବିରୋଧ କରିବେ ତାଙ୍କ ନାଁ କଟିଯିବ, ସେଥିପାଇଁ ନେତାଙ୍କ ମୁହଁ ବନ୍ଦ

ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଟିକେଟ ବଂଟାକୁ ନେଇ ପ୍ରଦୀପ ପୁରୋହିତ ଅଭିଯୋଗ ଆଣିବା ପରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା । କହିଛନ୍ତି, ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି । ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅପପ୍ରଚାର । ଲୋକଙ୍କ ପାଖରେ ରହିବ ଓ ଲୋକଙ୍କ ଦ୍ୱାରା ଆଦୃତ ହେଉଥିବା ବ୍ୟକ୍ତି ଦଳରେ ଟିକେଟ ପାଆନ୍ତି । ୫-ଟି ସଚିବ ଟିକେଟ ଦେବା କଥା ସମ୍ପୂର୍ଣ୍ଣ ମିଛ । ବିଜେଡିର ନେତା ନବୀନ ପଟ୍ଟନାୟକ । ଆଗାମୀ ନିର୍ବାଚନରେ ବିଜେପି ହାରିବା ସ୍ୱୀକାର କରିସାରିଲାଣି । ତାଙ୍କ ସ୍ୱପ୍ନ ୧୨୦ରୁ ୮୦କୁ ଖସିଲାଣି ।

ଶାସକ ଦଳରୁ ଟିକେଟ ପାଇବା ପାଇଁ ବହୁ ନେତା ଆଶାୟୀ ଅଛନ୍ତି । ଏପରିକି ଗୋଟିଏ ଗୋଟିଏ ବିଧାନସଭା କ୍ଷେତ୍ରରେ ଏକାଧିକ ପ୍ରାର୍ଥୀ ଟିକେଟ ଆଶାୟୀ ଥିବା କୁହାଯାଉଛି । ଚର୍ଚ୍ଚା ହେଉଛି, ଯେଉଁମାନଙ୍କର ପ୍ରଦର୍ଶନ ଭଲ ନାହିଁ, ଲୋକପ୍ରିୟତା କମ୍ ରହିଛି, ଏଥର ସେମାନଙ୍କ ଟିକେଟ କଟିପାରେ । ତେବେ ଦଳ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହି ଚର୍ଚ୍ଚା ବିରୋଧୀଙ୍କୁ ଆଲୋଚନା କରିବାକୁ ସୁଯୋଗ ଆଣି ଦେଇଛି ।