କନକ ବ୍ୟୁରୋ : ଆଜି ପୁଣି ଥରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରି ଶାସକ ଦଳକୁ ସମାଲୋଚନା କରିଛନ୍ତି ନରସିଂହ ମିଶ୍ର । ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ବାରମ୍ବାର ଗଣମାଧ୍ୟମକୁ ଆସି ସୌମ୍ୟରଞ୍ଜନ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ କରିଥିଲେ । ଏହାକୁ ସମାଲୋଚନା କରି ରାଜାଙ୍କ କୋଳି ଉପାଖ୍ୟାନ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କହିଛନ୍ତି ଥରେ ରାଜା, ଶୌଚ ହେବା ସମୟରେ ଏକ କୋଳି ଖାଇଦେଇଥିଲେ । ସେହି ରାଜ୍ୟରେ ଜଣେ ବାଦକ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ ବେଳେ ‘କହିଦେବିରେ ରାଜା’ ବୋଲି ବାରମ୍ବାର ଉଚ୍ଚାରଣ କରୁଥିଲେ ।

Advertisment

ଏକଥା ଶୁଣି ରାଜାଙ୍କ ରହସ୍ୟ ବାଦକ ଜଣଙ୍କ ଜାଣିପାରିଥିବା ସେ ଅନୁମାନ କଲେ । ଆଉ ସେଥିପାଇଁ ସେ ଶୌଚ ହେବା ସମୟରେ କୋଳି ଖାଇଥିବା କଥା ପ୍ରକାଶ କରିଦେବେ ବୋଲି ଚିନ୍ତା କରୁଥିଲେ । ଏକାହାଣୀର ମର୍ମ ହେଉଛି କାହାରି ଦୋଷ ଦୁର୍ବଳତା ଥିଲେ ଏବଂ ସେ ସମ୍ପର୍କରେ କେହି କହିଲେ ତାକୁ ବ୍ଲାକମେଲ ବୋଲି ବିଚାର କରାଯାଏ । ନରସିଂହ ମିଶ୍ର କହିଛନ୍ତି ବିଜେଡି ନେତା ଓ ମନ୍ତ୍ରୀଙ୍କ କୌଣସି ଦୋଷ ଦୁର୍ବଳତା ନଥିଲେ ସେମାନେ ବ୍ଲାକମେଲ କଥା କୁହନ୍ତେ ନାହିଁ । ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ନେଇଥିବା କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ନରସିଂହ ମିଶ୍ର ।